ଅସୁସ୍ଥ ହୋଇପଡିଲେ ଆଶୀର୍ବାଦ ବେହେରା, ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଅସୁସ୍ଥ ହୋଇପଡିଛନ୍ତି | ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଅର୍ଥତତ୍ୱ ଚିଟ୍‌ଫଣ୍ଡ ଲିଙ୍କ୍‌ରେ ଆଶୀର୍ବାଦ ଗିରଫ ହୋଇଥିଲେ | ଏଠାରେ ସୂଚନା ଥାଉ କି ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଓ ହୋଟେଲ ସୋଲାନ୍‌-ଇନ୍‌ ମାଲିକ କମଳାକାନ୍ତ ଦାସଙ୍କୁ ସେପ୍ଟେମ୍ବର ୧୯ ତାରିଖ ଦିନ ସିବିଆଇ ଗିରଫ କରିଥିଲା ।

ଦୁ‌ହେଁ ଅର୍ଥତତ୍ତ୍ବ ଚିଟଫଣ୍ଡ ସଂସ୍ଥାର ଆର୍ଥିକ କାରବାରରେ ସଂପୃକ୍ତ‌; କୋଟି କୋଟି ଟଙ୍କା ଆତ୍ମସାତ କରିଥିଲେ। ଏନେଇ ସେମାନଙ୍କ ନାଁରେ ସିବିଆଇ ଗତ ମାସ‌‌ରେ ଅତିରିକ୍ତ ଅଭିଯୋଗ ଫର୍ଦ ଦାଖଲ କରିଥିଲା। କୋର୍ଟ ପକ୍ଷରୁ ସେମାନଙ୍କ ବିରୋଧରେ ଜାମିନ୍‌ ବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲ୍ୟୁ) ଜାରି ହେବା ପରେ ୨୦ ତାରିଖ ସକାଳେ ଆଶୀର୍ବାଦଙ୍କୁ କଟକରୁ ଏବଂ କମଳାକାନ୍ତଙ୍କୁ ପୁରୁଣା ଭୁବନେଶ୍ବରରୁ ସିବିଆଇ ଅଧିକାରୀମାନେ ଗିରଫ କରିଥିଲେ।

ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଜାମିନ୍‌ ନାମଞ୍ଜୁର କରିବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତ (ଝାରପଡ଼ା ଜେଲ)କୁ ପଠାଇ ଦିଆଯାଇଥିଲା । ଆସନ୍ତା ମାସ ୧ ତାରିଖରେ ଜାମିନ ଆବେଦନର ଶୁଣାଣି ହେବ।

ସମ୍ବନ୍ଧିତ ଖବର