ଆସିକା ବିଧାନସଭା ନିର୍ବାଚନମଣ୍ଡଳୀ : ଲମ୍ବିଛି ଆଶାୟୀଙ୍କ ତାଲିକା

ଭଞ୍ଜନଗର, (ଜ୍ଞାନଚାନ୍ଦ ଜଗନ୍ନାଥ): ଗଞ୍ଜାମ ଜିଲ୍ଲା ନିର୍ବାଚନମଣ୍ଡଳୀ ମଧ୍ୟରେ ଆସିକା ନିର୍ବାଚନମଣ୍ଡଳୀ ଅନ୍ୟତମ। କେତେବେଳେ ସିପିଆଇ ଦଳ ତ ଅନ୍ୟ କେତେବେଳେ କଂଗ୍ରେସ ଦଳ ଏହାକୁ ନିଜର ଅକ୍ତିଆରକୁ ନେଇଛନ୍ତି। ତେବେ, ୨୦୦୦ ମସିହାରେ ଏହି ଆସନ ବିଜେଡି ହାତକୁ ଆସିଛି। ଚଳିତ ନିର୍ବାଚନରେ ବିଜେଡି ଏହି ଆସନ ବଜାୟ ରଖିବ କି ନାହିଁ, କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ୨୦୧୪ ମସିହା ନିର୍ବାଚନରେ କଂଗ୍ରେସ ପାର୍ଥୀ ସରୋଜ କୁମାର ପଢ଼ୀଙ୍କୁ ହରାଇ ପୁଣି ଦେବରାଜ ମହାନ୍ତି ତୃତୀୟ ଥର ପାଇଁ ବିଜୟଲାଭ କରିଥିଲେ। ଏହାପୂର୍ବରୁ ୨୦୦୯ ମସିହା ନିର୍ବାଚନରେ ପୁଣି ଦେବରାଜ ମହାନ୍ତି ଓ ସରୋଜ କୁମାର ପାଢ଼ୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଥିଲା। ଏଥିରେ ଦେବରାଜ ମହାନ୍ତି ସର୍ବାଧିକ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ସରୋଜ ପାଢ଼ୀ ଦ୍ବିତୀୟ ଓ କଂଗ୍ରେସରୁ ଅଲେଖ ଚୌଧୁରୀ ତୃତୀୟ ସ୍ଥାନ ହାସଲ କରିଥିଲେ।

ନିର୍ବାଚନ ବିଗୁଲ୍‌ ବାଜିବା ପରେ ବର୍ତ୍ତମାନ ବିଭିନ୍ନ ଦଳରେ ନିର୍ବାଚନକୁ ଚଳଚଞ୍ଚଳ ଦେଖିବାକୁ ମିଳିଛି। ବ‌ିଜେଡି ଲଗାତର ଦୁଇ ଥର ବିଜୟଲାଭ କରିଥିବା ବେଳେ ଚଳିତ ଥର ନିଜର ସ୍ଥିତି ବଜାୟ ରଖିବା ପାଇଁ ପ୍ରସ୍ତୁତି ହେଉଛି। ତେବେ ଦଳ ଭିତରେ କିଛିଟା ଅନ୍ତଃକନ୍ଦଳ ରହିଥିବା ନେଇ ନେତାକୁ ଚିନ୍ତାର କାରଣ ହୋଇଛି। ଏନେଇ ଆସନ୍ତା ନିର୍ବାଚନରେ ଟିକଟ ପାଇବା ପାଇଁ ଆଶାୟୀଙ୍କ ତାଲିକା ମଧ୍ୟ ସେହି ଅନୁସାରେ ବଢ଼ି ଲାଗିଛି। ସେହିପରି ବ‌ିଜେପି ଆକ୍ତିଆରକୁ ଏହି ଆସନ କେବି ଆସିନଥିବା ବେଳ ବିଭିନ୍ନ ସ୍ଥାନରେ ବିଭିନ୍ନ ନେତାଙ୍କୁ ନେଇ କାର୍ଯ୍ୟକ୍ରମ କରିଥିବାର ଦେଖିବାକୁ ମିଳିଛି। ଏଥିସହ କଂଗ୍ରେସ ନୂଆ ପାର୍ଥୀ ସୁଯୋଗ ଦେଇ ନିର୍ବାଚନ ଲଢ଼ିବା ପାଇଁ ଯୋଜନା ରଖିଛି। ସେହିପରି ସିପଆଇ ଦଳ ମଧ୍ୟ ନିଜର ପାର୍ଥି ଦେବା ନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି।

ଏଥର ବିଜେଡିରେ ସ୍ଥାନୀୟ ବିଧାୟକ ଦେବରାଜ ମହାନ୍ତି ତିନି ଥର ବିଜୟୀ ହୋଇଥିବାବେଳେ ଚଳିତଥର ମଧ୍ୟ ଟିକେଟ ପାଇବା ଆଶା ରଖିଥିବା ବେଳେ ଦଳରେ ଆଶାୟୀଙ୍କ ଲମ୍ବା ଲାଇନ ଲାଗିଛି। ବର୍ତ୍ତମାନ ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲିକ, ସମାଜସେବୀ ବଂଶୀଧର ନାହାକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡା, ଯୁବ ବିଜେଡି ସଭାପତି ଅନୀଲ କୁମାର ନାୟକ, ସତ୍ୟନାରାୟଣ ସ୍ବାଇଁ, ଏଲ ସରୋଜ କୁମାର ପାତ୍ର, ମଧୁସ୍ମିତା ପୋଲେଇ ଓ ‌ସୌଦାମିନୀ ନାୟକ ପ୍ରମୁଖ ଦୌଡରେ ରହିଛନ୍ତି। ସେହିପରି ବିଜେପିକୁ ଆସିଥିବା ସରୋଜ କୁମାର ପାଢ଼ୀଙ୍କୁ ଟିକେଟ ଦେବା ପାଇଁ ଚର୍ଚ୍ଚା ହେଉଥିବା ବେଳେ ବ୍ରିଗେଡିୟର ଅଭିମନ୍ୟୁ ରାଉତ, ସୂର୍ଯ୍ୟନାରାୟଣ ଦାସ, ଆଇନଜୀବୀ ଭି.ଆର.କ ରାଓ ଆଶାୟୀ ରହିଛନ୍ତି। ସେହିପରି କଂଗ୍ରେସରୁ ଆସିକା ‌‌ଲୋକସଭା ମଣ୍ଡଳୀ କଂଗ୍ରେସ ଯୁବ ସଭାପତି ମନୋଜ କୁମାର ଜେନା ଓ ସ୍ବରୂପା ତ୍ରିପାଠୀ ପ୍ରମୁଖ ଦୌଡରେ ରହିଛନ୍ତି।

ସମ୍ବନ୍ଧିତ ଖବର