ବନ୍ଦ ହେବ ଆସିକା ସମବାୟ ଚିନିଶିଳ୍ପ!

୨୪ ବର୍ଷରେ ୩୩ କୋଟି କ୍ଷତି, ଚିନି ବିକ୍ରି ହେଉନି, ପ୍ରାପ୍ୟ ମିଳୁନି, କାର୍ଯ୍ୟକ୍ଷମ ହେଉନି ଡିଷ୍ଟିଲେରୀ

ଆସିକା : ଗଞ୍ଜାମ ଜିଲ୍ଲା ଆସିକା ସହର ଠାରୁ ମାତ୍ର ଏକ କିଲୋମିଟର ଦୂର ନୂଆଗାଁ ଠାରେ ରହିଛି ଆସିକା ସମବାୟ ଚିନିଶିଳ୍ପ। ୧୯୬୩ ମସିହାରେ ପ୍ରତିଷ୍ଠିତ ଏସିଆ ମହ‌ାଦେଶର ଏହି ପ୍ରଥମ ଚିନିଶିଳ୍ପ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା। ଏଠାରୁ ଉତ୍ପାଦିତ ଚିନି ଦେଶ ଓ ଦେଶ ବାହାରକୁ ରପ୍ତାନି ବି ହେଉଥିଲା। ‌ହେଲେ ବିଭିନ୍ନ କାରଣରୁ ଏହି ଚିନିଶିଳ୍ପ ବର୍ତ୍ତମାନ ଜଟିଳ ପରିସ୍ଥିତିରେ ଗତି କରୁଛି। ୧୯୯୫ ମସିହାରୁ ବର୍ତ୍ତମାନ ସୁଦ୍ଧା ୨୪ ବର୍ଷରେ ମଧ୍ୟରେ ୩୩ କୋଟି କ୍ଷତି ମୁଣ୍ଡାଇସାରିଲାଣି। ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ଏହାର ପୁନରୁଦ୍ଧାର ଦିଗରେ ବିେଶଷ କିଛି ଉଦ୍ୟମ େହାଇନାହିଁ। ଉତ୍ପାଦନ ବଢୁନି, ଚିନି ବିକ୍ରି ହୋଇପାରୁନାହିଁ। ଆଖୁ ଚାଷୀଙ୍କୁ ସେମାନଙ୍କ ଉଚିତ୍ ପ୍ରାପ୍ୟ ମଧ୍ୟ ମିଳିପାରୁନି। ଖାଲି ଏତିକି ନୁହେଁ, ଡିଷ୍ଟିଲାରୀ ବି କାର୍ଯ୍ୟକ୍ଷମ ହୋଇନାହିଁ।

ଗତ ୩ ବର୍ଷ ଭିତରେ ଚିନିଦର ୫ ଟଙ୍କା ହ୍ରାସ ପାଇ ୩୩ ଟଙ୍କାରେ ପହଞ୍ଚିଛି। ଗୋଟିଏ କିଲୋ ଚିନି ପ୍ରସ୍ତୁତ ପାଇଁ ୪୨ ଟଙ୍କା ଖର୍ଚ୍ଚ ହେଉଛି। ଆଖୁ, ଆଖୁ ପରିବହନ, ବିଦ୍ୟୁତ୍, ପାଣି ଖର୍ଚ୍ଚ, କର୍ମଚାରୀଙ୍କ ଦରମା ବଢିଛି। କିନ୍ତୁ ଆଖୁ ପେଡ଼ି ଚିନି ବାହାର କରିବାରେ ୯ ଟଙ୍କା କ୍ଷତି ହେଉଛି। ମୋଲାସେସରୁ ମଦ ପ୍ରସ୍ତୁତି କାରଣରୁ କିଛି କ୍ଷତି ଭରଣା ହୋଇପାରୁନି।

ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ଆସିକା, ଶେରଗଡ଼, ଧରାକୋଟ, କବିସୂର୍ଯ୍ୟନଗର, କୋଦଳା, ସୋରଡ଼ା ସମେତ ମୋଟ ୧୬ଟି ବ୍ଲକର ହଜାର ହଜାର ହେକ୍ଟର ଜମିରେ ଆଖୁଚାଷ ହେଉଛି। ଜଟିଳ ପରିସ୍ଥିତିରେ ମଧ୍ୟ କିଛି ଚାଷୀ ଧାରକରଜ କରି ଚିନିଶିଳ୍ପକୁ ଆଖୁ ଯୋଗାଉଛନ୍ତି। ହେଲେ ୨ ମାସ ପରେ ବି ଚାଷୀଙ୍କୁ ସଂପୂର୍ଣ୍ଣ ପ୍ରାପ୍ୟ ପ୍ରଦାନ କରାଯାଇନି। ପ୍ରତି ବର୍ଷ ସରକାରୀ ଗ୍ୟାରେଣ୍ଟି ପରେ ଚିନିଶିଳ୍ପ ଋଣ ଆଣି ଚାଷୀଙ୍କୁ ପ୍ରାପ୍ୟ ପ୍ରଦାନ ସହ ଉତ୍ପାଦିତ ଚିନିକୁ ବିକ୍ରି କରି ପରିଶୋଧ କରାଯାଉଥିଲା।

ଉଦବେଗର ବି‌ଷୟ ହେଉଛି, ଚିନିଶିଳ୍ପ କର୍ତ୍ତୃପକ୍ଷ ବର୍ତ୍ତମାନ ନିଜ ଇଚ୍ଛାରେ ଚିନି ବିକ୍ରି କରିପାରୁନାହାନ୍ତି। କାରଣ କେନ୍ଦ୍ରୀୟ ଚିନି ଉତ୍ପାଦନ ନିର୍ଦ୍ଦେଶକ ନୂଆଦିଲ୍ଲୀଙ୍କ ବିନା ନିର୍ଦ୍ଦେଶରେ ଚିନି ବିକ୍ରି କରାଯାଇପାରିବ ନାହିଁ। ଧାର୍ଯ୍ୟ ମାସିକା କୋଟା ଅନୁସାରେ ଚିନି ବିକା ଯିବ। ଫଳରେ ନିର୍ଦ୍ଦେଶ ମିଳୁ ନଥିବାରୁ ବର୍ତ୍ତମାନ ଗୋଦାମରେ ଉତ୍ପାଦିତ ଚିନି ସେମିତି ପଡ଼ି ରହି ନଷ୍ଟ ହେଉଛି। ଯଦ୍ବାରା ଠିକ ସମୟରେ ଟଙ୍କା ମିଳୁ ନଥିବା ସହ ଋଣ ପରିଶୋଧ ହୋଇପାରୁନାହିଁ କି ଚାଷୀଙ୍କୁ ପ୍ରାପ୍ୟ ପ୍ରଦାନ କରିବା ଅସମ୍ଭବ ବ୍ୟାପାର ପାଲଟିଛି।

ଅନ୍ୟପକ୍ଷରେ ତରଳ ଗୁଡ଼ (ମୋଲାସେସ)କୁ ବ୍ୟବହାର କରି ମଦ ତିଆରି ହୁଏ। ‌ହେଲେ ମୋଲାସେସରୁ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ହେଉଥିବା ଡିଷ୍ଟିଲାରୀକୁ ୨୦୧୨ ମସିହାରୁ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡର ନିର୍ଦ୍ଦେଶ ଅନୁସାରେ ବନ୍ଦ କରିଦିଆଯାଇଛି। ଫଳରେ ମୋଲାସେସକୁ ବିକ୍ରି କରି ବାହାରୁ ସ୍ପିରିଟ୍ କିଣି ମଦ ପ୍ରସ୍ତୁତ ହେଉଛି। ଯାହାକି ବର୍ତ୍ତମାନ ଚିନିଶିଳ୍ପର ଏକ ମାତ୍ର ଆୟର ପନ୍ଥା ପାଲଟିଛି। ସ୍ଥିତି ନ ସୁଧୁରିଲେ, ଚିନିଶିଳ୍ପ ବନ୍ଦ େହବ, ହଜାର ହଜାର ଚାଷୀ ଓ କର୍ମଚାରୀ ଜୀବିକା ହରାଇପାରନ୍ତି।

ସମ୍ବନ୍ଧିତ ଖବର