ପୁଣି ଚର୍ଚ୍ଚାରେ ଆସିକା ସବ୍‌ଜେଲ୍‌: ଜେଲର୍‌ଙ୍କୁ ଅପରାଧୀଙ୍କ ହତ୍ୟା ଧମକ

ଆସିକା : ‘ଆଗରୁ ଜଣେ ପୁଲିସ ଅଧିକାରୀକୁ ମାରିଥିଲି। ଚୂପ୍‌ଚାପ୍‌ ନ ରହିଲେ ତମର ବି ମୁଣ୍ଡ ଗଡ଼ାଇ ଦେବି’। ଇଏ କୌଣସି ଫିଲ୍ମର ଡାଇଲଗ୍‌ ନୁହେଁ। ଜେଲ୍‌ ଭିତରେ ଜେଲର୍‌ଙ୍କୁ ଜଣେ ହାର୍ଡକୋର୍‌ ଅପରାଧୀଙ୍କ ଚ୍ୟାଲେଞ୍ଜଭରା ଧମକ। ଗଂଜାମ ଜିଲ୍ଲାର ସମ୍ବେଦନଶୀଳ ଆସିକା ସବ୍‌ଜେଲ୍‌ର ଜେଲର୍‌ ପ୍ରଦୀପ୍ତ ବେହେରାଙ୍କୁ ଜଣେ ହାର୍ଡକୋର୍‌ ଅପରାଧୀ ଏଭଳି ଧମକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଜେଲର୍‌ଙ୍କ ଅଭିଯୋଗ ଡିଆଇଜି ରଘୁନାଥ ମାଝୀ ଫୁଙ୍ଖାନୁଫୁଙ୍ଖ ତଦନ୍ତ କରିଛନ୍ତି। ବିଭିନ୍ନ ସେଲ୍‌ରେ ଶ୍ରୀ ମାଝୀଙ୍କ ନେତୃତ୍ୱରେ ଭୁବନେଶ୍ୱର ମୁକ୍ତାକାଶ ଜେଲ୍‌ କର୍ମଚାରୀ ମାନେ ଚଢଉ କରିଛନ୍ତି। ପ୍ରତି ସେଲ୍‌ରେ ଯାଞ୍ଚ କରାଯାଇଛି। ଅନ୍ୟପକ୍ଷରେ ଏହି ଘଟଣା ପରେ ଜେଲ୍‌ କର୍ମଚାରୀ ମାନେ ଅସୁରକ୍ଷିତ ମଣୁଛନ୍ତି। ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି କୌଣସି ଅଘଟଣ ଘଟିବା ପୂର୍ବରୁ ତୁରନ୍ତ ଏଠାରେ ୪-ଜି ଜାମର୍‌ ଏବଂ ସିସିଟିଭି ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ଜେଲର୍‌ ପ୍ରଦୀପ୍ତ ବେହେରା ସୂଚନା ଦେଇଛନ୍ତି।

ଘଟଣା ଅନୁସାରେ, ଦୁଇ ଦିନ ତଳେ ଜେଲର୍‌ ବେହେରା ବିଭିନ୍ନ ସେଲ୍‌ରେ ଚଢଉ କରିଥିଲେ। ଏହି ସମୟରେ ଏକ ହତ୍ୟା ମାମଲାରେ ବିଚାରାଧୀନ କଏଦୀ ଭାବେ ରହୁଥିବା ଜଣେ ଅଭିଯୁକ୍ତ ପାଖରୁ ମୋବାଇଲ୍‌ ଜବତ ହୋଇଥିଲା। ଏହାକୁ ନେଇ ଶ୍ରୀ ବେହେରାଙ୍କ ସହ ସେ ଯୁକ୍ତିତର୍କ କରିଥିଲା। ପରେ ହତ୍ୟା ପାଇଁ ଧମକ ଦେଇଥିଲା। ସଙ୍ଗେ ସଙ୍ଗେ ଏନେଇ ଡିଆଇଜି ରଘୁନାଥ ମାଝୀଙ୍କୁ ଅଭିଯୋଗ ଦିଆଯିବା ପରେ ଗତକାଲି ତାଙ୍କ ନେତୃତ୍ୱରେ ଏକ ଟିମ୍‌ ଜେଲ୍‌କୁ ଆସି ଚଢଉ କରିଥିଲେ। ସାରା ଦିନ ବିଭିନ୍ନ ସେଲ୍‌ରେ ଯାଞ୍ଚ କରାଯାଇଥିଲା। କିନ୍ତୁ ଥାନାରେ ଏସଂକ୍ରାନ୍ତରେ କୌଣସି ଏତଲା ଦିଆଯାଇନି।

ସମ୍ବନ୍ଧିତ ଖବର