ବିଜେପିର ଆରୋପ: ସରକାର ପଳାୟନପନ୍ଥୀ

ଆଗୁଆ ବିଧାନସଭା ବନ୍ଦ ପ୍ରସଙ୍ଗ

୨୦ରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର : ବିଧାନସଭାର ଶୀତ ଅଧିବେଶନ ଆଗୁଆ ବନ୍ଦ କରିଦେବାକୁ ବିରୋଧ କରିଛି ବିଜେପି। ରାଜ୍ୟ ସରକାର ପଳାୟନପନ୍ଥୀ ବୋଲି ଦଳ ଆକ୍ଷେପ କରିଛି। ଏହାର ପ୍ରତିବାଦରେ ଦଳ ପକ୍ଷରୁ ଆସନ୍ତା ୨୦ରୁ ୨୨ ତାରିଖ ମଧ୍ୟରେ ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଲେ, ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଧାନସଭା ଅଧିବେଶନରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବାର ଥିଲା। କିନ୍ତୁ ହଠାତ୍‌ ଗତକାଲି ସରକାର ଅଧିବେଶନ ବନ୍ଦ ଘୋଷଣା କଲେ। ବିଧାନସଭାରୁ ବିଜେଡି ମୁହଁ ବୁଲାଇଲେ ମଧ୍ୟ ଜନତାର କାଠଗଡ଼ାରେ ଠିଆ କରି ଓଡ଼ିଆଙ୍କ ହକ୍‌ର ଲଢ଼େଇରେ ବିଜେଡି ସରକାରଙ୍କୁ ୧୮ ବର୍ଷର ସ୍ଥାଣୁତା ଓ ଅପାରଗତାର କୈଫୟତ ମଗାଯିବ।

ଚାଷ ପ୍ରସଙ୍ଗ ଉଠାଇ ଶ୍ରୀ ପଣ୍ଡା କହିଲେ, ଓଡ଼ିଶାରେ ଚାଷୀ ଦୁର୍ଦ୍ଦିନରେ। ମରୁଡ଼ି, ଚକଡ଼ା ପୋକ ଆକ୍ରମଣ ଓ ଅଦିନିଆ ବର୍ଷା ଓଡ଼ିଆ ଚାଷୀଙ୍କୁ ମେରୁଦଣ୍ଡ ଭାଙ୍ଗିଦେଇଛି। ପୁଣି ନକଲି ବିହନ, ନକଲି କୀଟନାଶକ କାରଣରୁ ଚାଷୀ ହନ୍ତସନ୍ତ ହେଉଛନ୍ତି। କିନ୍ତୁ କ୍ଷତିପୂରଣ ଦେବାରେ ସରକାର ରାଜନୀତି କରୁଛନ୍ତି। କ୍ଷତିପୂରଣ ଦେବା ପାଇଁ ସ୍ୱଚ୍ଛତାର ସହ ଜନତାଙ୍କ ଉପସ୍ଥିତି ଓ ସହମତିରେ କ୍ଷୟକ୍ଷତିର ଆକଳନ କରାଯାଉ ନାହିଁ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଲାଭ ରାଜ୍ୟ ସରକାର ଉଠାଇବାରେ ସଫଳ ହୋଇ ନାହାନ୍ତି। ଯଦି ଏହି ଯୋଜନାର ଉପଯୁକ୍ତ ବ୍ୟବହାର କରିଥା’ନ୍ତେ, ତେବେ ରାଜ୍ୟର କ୍ଷତିଗ୍ରସ୍ତ ଚାଷୀଙ୍କୁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ମିଳିଥା’ନ୍ତା। ଧାନ ସଂଗ୍ରହରେ ଅନିୟମିତତା ଚାଲିଛି। ଏଫ୍‌ଏକ୍ୟୁ ଆଳ ଦେଖାଇ ଚାଷୀଙ୍କ ଠାରୁ ଧାନ କଟାଯାଉଛି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ରାଜସ୍ଥାନ ଆଦି ରାଜ୍ୟରେ ସରକାର କୃଷି ଋଣ ଛାଡ଼ କରିଛନ୍ତି। କିନ୍ତୁ ରାଜ୍ୟ ସରକାର ଏ ପର୍ଯନ୍ତ ଋଣ ଛାଡ଼ କଲେ ନାହିଁ। ଚାଷ ପ୍ରସଙ୍ଗ ସହ ବେକାରୀ ସମସ୍ୟା, ମହିଳାଙ୍କ ପ୍ରତି ନିର୍ଯାତନା, ଖଣି ମାଫିଆଙ୍କୁ ସୁରକ୍ଷା ଆଦି ପ୍ରସଙ୍ଗକୁ ନେଇ ବିଜେପି ଆନ୍ଦୋଳନ ଜାରି ରଖିବ ବୋଲି ଶ୍ରୀ ପଣ୍ଡା କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ବିଧାୟକ ରବି ନାଏକ, ପ୍ରଦୀପ ପୁରୋହିତ, ରାଧାରାଣୀ ପଣ୍ଡା ଓ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର