ପାଖାପଖି ୩୦ ବର୍ଷର ବ୍ୟବଧାନ ପରେ ବିଜୁ ପଟ୍ଟନାୟକ ଶାସନଗାଦିକୁ ଫେରିଲେ। ଅପରପକ୍ଷେ, ଦଶବର୍ଷର କଂଗ୍ରେସ ନେତୃତ୍ବାଧୀନ ସରକାରକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଲା। ଜାତୀୟ ସ୍ତରରେ ନୂଆ ରାଜନୈତିକ ଶକ୍ତି ଭାବେ ମୁଣ୍ଡ ଟେକିଥିବା ଜନତାଦଳ ରାଜ୍ୟରେ ନିଜର ପ୍ରଭାବ ଓ ପତିଆରା ବିସ୍ତାର କରିବା ଆରମ୍ଭ କରିଦେଲା।
Sambad is now on WhatsApp
Join and get latest news updates delivered to you via WhatsApp
୧୯୯୦ ମସିହା ଫେବ୍ରୁଆରି ମାସରେ ୧୦ମ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୧୪୭ ଆସନ ବିଶିଷ୍ଟ ବିଧାନସଭା ପାଇଁ ସମୁଦାୟ ୯୦୬ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ। ଉଲ୍ଲେଖନୀୟ ଘଟଣା ହେଉଛି, ୧୯୮୮ ମସିହାରେ ଭି.ପି. ସିଂହଙ୍କ ନେତୃତ୍ବେର ଗଠନ ହୋଇଥିବା ’ଜନତାଦଳ’ ନିର୍ବାଚନେର ଏକ ବୃହତ୍ ଶକ୍ତି ଭାବେ ଆବିର୍ଭୂତ ହୋଇଥିଲା। ଜୟପ୍ରକାଶ ନାରାୟଣଙ୍କ ଆଦର୍ଶ ଓ ବିଚାରାଧାରାକୁ ଗ୍ରହଣ କରିଥିବା ଏହି ଦଳରେ ଜନତାପାର୍ଟିର ବିଭାଜିତ ଗୋଷ୍ଠୀ, ଲୋକଦଳ, କଂଗ୍ରେସ (ଏସ୍), ଜନମୋର୍ଚ୍ଚା ଭଳି ଦଳ ବିଲୀନ ହୋଇଯାଇଥିଲେ।
ଓଡ଼ିଶାରେ ମଧ୍ୟ ଜନତା ଦଳର କେତେ ପ୍ରଭାବ ଓ ପତିଆରା ବିସ୍ତାର କରିଥିଲା, ତାହା ନିର୍ବାଚନ ଫଳାଫଳରୁ ହିଁ ପ୍ରମାଣିତ ହୋଇଥିଲା। ଏହି ଦଳ ସମୁଦାୟ ୧୩୯ଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରି ୧୨୩ଟି ବିଜୟ ହାସଲ କରିବାକୁ ସକ୍ଷମ ହୋଇଥିଲେ। ଦୀର୍ଘ ଏକଦଶନ୍ଧି ଧରି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ବାଧୀନ କଂଗ୍ରେସ କେବଳ ପରାଜୟର ମୁହଁ ଦେଖିନଥିଲା, ମାତ୍ର ୧୦ଟି ଆସନରେ ବିଜୟୀ ହୋଇଥିଲା। ଅପରପକ୍ଷେ, ଭାରତୀୟ ଜନାତା ପାର୍ଟି ୨ଟି ଆସନରେ ବିଜୟ ହାସଲ କରିଥିଲାବେଳେ କମ୍ୟୁନିଷ୍ଟ ୬ଟି ଆସନରେ ବିଜୟ ହାସଲ କରିଥିଲେ। ଜନତା ଦଳ ସହିତ ଉଭୟ ସିପିଆଇ ଓ ସିପିଏମ୍ର ନିର୍ବାଚନୀ ମେଣ୍ଟ ରହିଥିଲା। ଏବଂ, ସ୍ବାଧୀନ ପ୍ରାର୍ଥୀମାନେ ୬ଟି ଆସନରୁ ବିଜୟ ହାସଲ କରିଥିଲେ। ନିର୍ବାଚନରେ ବହୁ ଯୁବନେତା ବିଧାନସଭାରେ ପ୍ରତିନିଧିତ୍ବ କରିବା ପାଇଁ ସୁଯୋଗ ପାଇଥିଲେ। ୨୫ରୁ ୩୪ ବର୍ଷ ମଧ୍ୟରେ ୧୫ ଜଣ ବିଧାୟକ ନିର୍ବାଚିତ ହୋଇଥିବାବେଳେ ୩୫ରୁ ୪୪ ବର୍ଷ ମଧ୍ୟରେ ୫୫ ଜଣ ବିଜୟ ହାସଲ କରିଥିଲେ। ଯାହାକି, ରାଜ୍ୟ ବିଧାନସଭା ଇତିହାସରେ ଏକ ଚର୍ଚ୍ଚିତ ଘଟଣା ଥିଲା।
ଦୀର୍ଘ ୩୦ ବର୍ଷ ପରେ ବିଜୟ ପଟ୍ଟନାୟକ ଜନତାର ବିଧାୟକ ଦଳ ନେତା ଭାବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏବଂ, ଅଣକଂଗ୍ରେସ ରାଜନୀତି ସହିତ ଯୋଡ଼ି ହୋଇଥିବା ବହୁ ନେତା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ।
୧୯୯୦ ମସିହା ମାର୍ଚ ୩ ତାରିଖଠାରୁ ୧୯୯୫ ମସିହା ମାର୍ଚ ୧୫ ତାରିଖ ପର୍ଯ୍ୟନ୍ତ ଥିଲା ଦଶମ ବିଧାନସଭାର କାର୍ଯ୍ୟକାଳ। ଏହି ସରକାର ସମୟରେ ବିଧାନସଭାରେ ସମୁଦାୟ ୧୭ଟି ଅଧିବେଶନ ବସିଥିଲା ଏବଂ ସମୁଦାୟ କାର୍ଯ୍ୟଦିବସ ଥିଲା ୨୩୯ ଦିନ। ଯୁଧିଷ୍ଠିର ଦାସ ଓ ପ୍ରହ୍ଲାଦ ଦୋରା ଯଥାକ୍ରମେ ବାଚସ୍ପତି ଓ ଉପବାଚସ୍ପତି ପଦଭାର ସମ୍ଭାଳିଥିଲେ।
ନିର୍ବାଚନ ଫଳାଫଳ ଏହିଭଳି:
ଦଶମ ବିଧାନସଭା (୧୯୯୦-୯୫)
ଦଳ ଆସନ ଭୋଟହାର
ଜନତା ଦଳ ୧୨୩ ୫୩.୬୯%
କଂଗ୍ରେସ ୧୦ ୨୯.୭୮%
ବିଜେପି ୦୨ ୩.୫୬%
ସିପିଆଇ ୦୫ ୨.୯୮%
ସିପିଏମ୍ ୦୧ ୦.୮୪%
ସ୍ବାଧୀନ ୦୬ ୭.୩୬%
ଅନ୍ୟାନ୍ୟ ୦୦ ୧.୭୯%
ମୋଟ ୧୪୭ ୧୦୦%