ରେକର୍ଡ କଲେ ନବୀନ

ରାଜ୍ୟର ମୁଖ୍ୟମନ୍ତ୍ରୀ ଭ‌ାବେ ଚତୁର୍ଥଥର ପାଇଁ ଦାୟିତ୍ବ ଗ୍ରହଣ କରି ନବୀନ ପଟ୍ଟନାୟକ ‌ରେକର୍ଡ କଲେ। ତାଙ୍କ ପୂର୍ବରୁ ଜାନକୀ ବଲ୍ଲଭ ପଟ୍ଟନାୟକ ତିନିଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ବିଧାନସଭାରେ ଆସନ ଦୃଷ୍ଟିକୋଣରୁ ବିଜେଡି ନିରଙ୍କୁଶ କ୍ଷମତା ଅକ୍ତିଆର କରିଥିଲେ ମଧ୍ୟ ଏହି ସମୟରେ ବିଭିନ୍ନ କାରଣରୁ ରାଜ୍ୟ ରାଜନୀତି ଉଷ୍ମ ରହିଆସିଛି।

୨୦୧୪ ମସିହା ନିର୍ବାଚନ ଫଳାଫଳ ବିଜେଡିକୁ ଚତୁର୍ଥଥର ପାଇଁ କ୍ଷମତାସୀନ କରାଇଥିଲା। ଏଥିସହିତ, ନବୀନ ପଟ୍ଟନାୟକ ଚତୁର୍ଥଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ, ଯାହାକି ଏକ ରେକର୍ଡ। ପୂର୍ବରୁ ଜାନକୀବଲ୍ଲଭ ପଟ୍ଟନାୟକ ତୃତୀୟଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ଏହି ରେକର୍ଡର ଅଧିକାରୀ ଥିଲେ।

ନିର୍ବ‌ାଚନରେ ବିଜେଡି ୧୧୭ଟି ଆସନରେ ବିଜୟ ହାସଲ କରିଥିଲା। ପୂର୍ବ ୨୦୦୯ ନିର୍ବାଚନ ତୁଳନାରେ ଦଳ ୧୪ଟି ଅଧିକ ଆସନ ପାଇଥିଲା। ରାଜନୈତିକ ବିଶ୍ଲେଷକଙ୍କ ମତ ହେଉଛି, ବିଜେଡି ଆଡ଼କୁ ୬ ପ୍ରତିଶତ ଅଧିକ ଭୋଟର ଢଳିବା ହିଁ ଏହି ବୃହତ୍‌ ବିଜୟର ମୂଳକାରଣ। ୨୦୦୯ ମସିହାରେ ଦଳର ଭୋଟହାର ୩୭.୨୩ ପ୍ରତିଶତ ଥିବାବେଳେ ୨୦୧୪ ମସିହାରେ ଏହା ୪୪.୧୦ ପ୍ରତିଶତକୁ ବୃଦ୍ଧି ପାଇଥିଲା।

କେନ୍ଦ୍ରରେ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏନ୍‌ଡିଏ)ର ରାଜନୈତିକ ଅଭ୍ୟୁତ୍‌ଥାନ ଏବଂ ନରେନ୍ଦ୍ର ମୋଦୀଙ୍କ କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ଓ ପତିଆରା ସତ୍ତ୍ବେ ରାଜ୍ୟରେ ବିଜେପି କୌଣସି ଫାଇଦା ନେଇପାରିଥିଲା। ଦଳ ମାତ୍ର ୧୦ଟି ଆସନରେ ବିଜୟ ହାସଲ କରିଥିଲା, ଯଦିଓ ଗତ ନିର୍ବାଚନ ତୁଳନାରେ ଏହା ୪ଟି ଅଧିକ ଆସନ ଲାଭ କରିଥିଲା।

ଅନ୍ୟପକ୍ଷରେ, ୨୦୦୦ ମସିହାଠାରୁ ଆରମ୍ଭ ହୋଇଥିବା ବିପର୍ଯ୍ୟୟ ପରିସ୍ଥିତିରୁ କଂଗ୍ରେସ ନିଜକୁ ମୁକୁଳାଇ ପାରିନଥିଲା। ଗତ ନିର୍ବାଚନ ତୁଳନାରେ ଏହି ଦଳର ଭୋଟ ହାର କେବଳ ୩.୪୦ ପ୍ରତିଶତ ହ୍ରାସ ପାଇନଥିଲା, ଏହା ୧୧ଟି ଆସନ ହରାଇଥିଲା।

ନିର୍ବାଚନରେ ଅନ୍ୟ ରାଜନୈତିକ ଦଳ ଗୁଡ଼ିକର ପ୍ରଦର୍ଶନ ସମ୍ପୂର୍ଣ୍ଣ ପ୍ରଭାବହୀନ ଥିଲା। ବିଜେଡି, କଂଗ୍ରେସ ଓ ବିଜେପି ମିଶି ସମୁଦାୟ ୮୭. ୧୦ ପ୍ରତିଶତ ଭୋଟ ଅକ୍ତିଆର କରିଥିବାବେଳେ ଗୋଟିଏ ଲେଖାଏଁ ଆସନ ପାଇଥିବା ସିପିଏମ୍‌, ବିଜେପି ଓ ସମ‌ତାକ୍ରାନ୍ତି ସମେତ ଅନ୍ୟଦଳ ଗୁଡ଼ିକର ଭୋଟହାର ଥିଲା ମାତ୍ର ୧୨.୯୦ ପ୍ରତିଶତ। (ସମତାକ୍ରାନ୍ତି ଦଳ ବିଧାୟକ ଜର୍ଜ ତିର୍କୀ ପରେ କଂଗ୍ରେସରେ ଯୋଗ ଦେଇଥିଲେ।

ବିଜେଡି ବିଧାୟକଦଳ ନେତା ଭାବେ ନବୀନ ପଟ୍ଟନାୟକ ୨୦୧୪ ମସିହା ମେ ୨୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ତାଙ୍କ ସହିତ ୨୧ ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ୮ ଜଣ ଥିଲେ ନୂଆ ନୁହେଁ।

ଚଳିତ ବିଧାନସଭାର କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବାକୁ ଆଉ ୧୧୦ ବାକି ଥି‌ଲାବେଳେ ସରକାରଙ୍କ ଯୋଜନା, କାର୍ଯ୍ୟାବଳୀ ସମ୍ପୂର୍ଣ୍ଣ ବୋଲି କୁହାଯାଇପାରିବ ନାହିଁ। ତେବେ, ଏହି ସମୟସୀମା‌ ମଧ୍ୟରେ ବିଭିନ୍ନ କାରଣରୁ ରାଜ୍ୟର ରାଜନୀତି ସମ୍ପୂର୍ଣ୍ଣ ଉଷ୍ମ ରହିଛି।

ପଞ୍ଚଦଶ ବିଧାନସଭାରେ କଂଗ୍ରେସ ନେତ‌ା ନରସିଂହ ମିଶ୍ର ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ। ପ୍ରଥମେ ନିରଞ୍ଜନ ପୂଜାରୀ ଓ ପରେ ପ୍ରଦୀପ କୁମାର ଅମାତ ବାଚସ୍ପତି ପଦ ଅଳଙ୍କୃତ କରିଥିଲେ। ପୂର୍ବ ବିଧାନସଭାରେ ଦାୟିତ୍ବରେ ଥିବା ସାନନ୍ଦ ମାରାଣ୍ଡି ପୁନର୍ବାର ଉପବାଚସ୍ପତି ଭାବେ ପଦାସୀନ ହୋଇଥିଲେ।

ନିର୍ବାଚନ ଫଳାଫଳ ଏହିପରି:

ପଞ୍ଚଦଶ ବିଧାନସଭା(୨୦୧୪-୧୯)

ଦଳ            ଆସନ      ଭୋଟହାର
ବିଜେଡି        ୧୧୭      ୪୩.୪୦%
କଂଗ୍ରେସ         ୧୬      ୨୫.୭୦%
ବିଜେପି          ୧୦      ୧୮.୦୦%
ସିପିଏମ୍‌          ୦୧        ୦.୪୦%
ସମତାକ୍ରାନ୍ତି ଦଳ  ୦୧       ୦.୪୦%
ସ୍ବାଧୀନ            ୦୨       ୫.୦୦%
ଅନ୍ୟାନ୍ୟ          ୦୦        ୭.୧୦%
ମୋଟ           ୧୪୭        ୧୦୦%

ସମ୍ବନ୍ଧିତ ଖବର