ହରେକୃଷ୍ଣ ମହତାବଙ୍କଠାରୁ ନବୀନ ପଟ୍ଟନାୟକ

ନିର୍ବାଚନକୁ ନେଇ ଯେମିତି ଅବଗଣନା ଆରମ୍ଭ ହୋଇଥାଏ, କାହା ନେତୃତ୍ବରେ ସରକାର ଗଠନ ହେବ ତାହାକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଉତ୍ସୁକତା ରହିଥାଏ। ମୁଖ୍ୟମନ୍ତ୍ରୀ ପଦ ହିଁ ସବୁ ଆକର୍ଷଣର କେନ୍ଦ୍ରବିନ୍ଦୁ।

ଆମ ରାଜନୈତିକ ଇତିହାସରେ ମୁଖ୍ୟମନ୍ତ୍ରୀ ନିଯୁକ୍ତିକୁ ନେଇ ତିନିଟି ଚିତ୍ର ରହିଛି। ପ୍ରଥମତଃ- ଏକ ନିର୍ଦ୍ଦିଷ୍ଟ ଦଳ ସରକାର ଗଠନ କଲେ ନେତୃତ୍ବ ଭାର କାହା ଉପରେ ପଡ଼ିବ, ତାହା ପୂର୍ବରୁ ଜଣାପଡ଼ିଥାଏ। ଦ୍ବିତୀୟତଃ- ଅନ୍ୟ କେତେକ ଦଳ କ୍ଷେତ୍ରରେ ଏହାକୁ ନେଇ ଅସ୍ପଷ୍ଟ ଚିତ୍ର ଥାଏ ଏବଂ ସରକାର ଗଠନ ପରେ ହିଁ କିଏ ମୁଖ୍ୟମନ୍ତ୍ରୀ ହେଲେ ଜଣାପଡ଼େ। ତୃତୀୟତଃ- କୌଣସି ରାଜ‌ନୈତିକ ପରିବର୍ତ୍ତନ ଘଟିଲେ, ତାହାର ପ୍ରଭାବ ମୁଖ୍ୟମନ୍ତ୍ରୀ ପଦରେ ପଡ଼େ। ଏଭଳି କ୍ଷେତ୍ରରେ ଅପ୍ରତ୍ୟାଶିତ ଭାବେ ଅନ୍ୟଜଣଙ୍କ ଉପରେ ଏହି ଦାୟିତ୍ବ ନ୍ୟସ୍ତ କରାଯାଇଥାଏ।

ସ୍ବାଧୀନତା ପରବର୍ତ୍ତୀ କାଳରେ ଆମ ରାଜ୍ୟରେ ଏଯାବତ୍‌ ୧୪ ଜଣ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଯାବତ୍‌ ୧୮ ବର୍ଷରୁ ଉର୍ଦ୍ଧ୍ବ କାଳ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏଥିସହିତ, ସର୍ବାଧିକ ଶାସନଭାର ଗ୍ରହଣ କରିବାର ରେକର୍ଡ ଶ୍ରୀ ପଟ୍ଟନାୟକଙ୍କ ନାମରେ ଲିପିବଦ୍ଧ ହୋଇସାରିଛି। ତାଙ୍କ ପରେ ଜାନକୀ ବଲ୍ଳଭ ପଟ୍ଟନାୟକ ୩ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବ‌ା ସହିତ ଏହି ପଦରେ ସମୁଦାୟ ୪୯୦୬ ଦିନ ରହିଥିଲେ। ଉଭୟ ନବୀନ ପଟ୍ଟନାୟକ ଓ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବାଦ୍‌ ଯେଉଁମାନେ ଦୁଇଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରେ ରହିଛନ୍ତି ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ହେମାନନ୍ଦ ବିଶ୍ବାଳ। ସବୁଠୁ କମ୍‌ ସମୟ ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ବିନାୟକ ଆଚାର୍ଯ୍ୟ ଏବଂ ତାଙ୍କର କାର୍ଯ୍ୟକାଳ ଥିଲା ମାତ୍ର ୧୨୩ ଦିନ। ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ନନ୍ଦିନୀ ଶତପଥୀ। ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବରେ ଥିବାବେଳେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା ଏବଂ ଏହା ପ୍ରତ୍ୟାହାର ପରେ ସେ ପୁନର୍ବାର ଏହି ଦାୟିତ୍ବରେ ରହିଥିଲେ।

ମୁଖ୍ୟମନ୍ତ୍ରୀ ପଦକୁ କଂଗ୍ରେସ ଓ ଅଣକଂଗ୍ରେସ ଦୃଷ୍ଟିକୋଣରୁ ଦୁଇଭାଗରେ ବିଭକ୍ତ କଲେ, ତାହାର ପରିସଂଖ୍ୟାନ ହେବ ଏହିଭଳି: କଂଗ୍ରେସ ସମୁଦାୟ ୧୩,୮୧୧ ଦିନ ବା ପାଖାପାଖି ୩୮ ବର୍ଷ ୭ ମାସ ଶାସନ କରିଥିବାବେଳେ ଅଣକଂଗ୍ରେସ ଦଳ ୧୧,୫୪୭ ଦିନ ବା ୩୨ ବର୍ଷ ୪ ମାସରୁ ଉର୍ଦ୍ଧ୍ବ ସମୟ ରାଜ୍ୟର ଶାସନ ଭାର ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର