ପଞ୍ଚମ ବିଧାନସଭାରେ ବିଧାୟକଙ୍କ ଦଳବଦଳ ଯୋଗୁ ବିଶ୍ବନାଥ ଦାସଙ୍କ ସରକାରର ପତନ ହୋଇଥିଲା। ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ନନ୍ଦିନୀ ଶତପଥୀ ଦାୟିତ୍ବ ଗ୍ରହଣ କରିଥିଲେ। ଏହି ସମୟରେ ବିରୋଧୀ ଦଳ ନେତା ପଦରେ ୩ ଜଣଙ୍କୁ ଦେଖିବାକୁ ମିଳିଥିଲା। ବିଧାନସଭା ୫ ବର୍ଷ ଅବଧି ପୂରଣ କରିନଥିଲେ ବି ଏହି ସମୟ ରାଜନୈତିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ବପୂର୍ଣ୍ଣ ଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
୧୯୭୧ ମସିହା ମାର୍ଚ ୫ ତାରିଖ ଦିନ ଲୋକସଭା ସହିତ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏବଂ, ରାଜ୍ୟରେ ଦ୍ବିତୀୟ ଥର ପାଇଁ ମତଦାନ ଗୋଟିଏ ଦିନରେ ସମ୍ପନ୍ନ ହେଲା।
ଏଠାରେ ସୂଚିତ କରାଯାଇପାରେ ଯେ, ପ୍ରଥମ ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନର ସମୟସୀମା ଥିଲା ୩୬ ଦିନ। ଦ୍ବିତୀୟ ବିଧାନସଭା ବେଳକୁ ଏହା ୧୪ ଦିନକୁ ହ୍ରାସ ପାଇଥିଲା। ୧୯୬୧ ମସିହାରେ ଅନୁଷ୍ଠିତ ମଧ୍ୟବର୍ତୀକାଳୀନ ନିର୍ବାଚନ ୫ ଦିନରେ ଶେଷ ହୋଇଥିଲା।
ଏହି ପଞ୍ଚମ ବିଧାନସଭାରେ ବିଶ୍ବନାଥ ଦାସଙ୍କ ନେତୃତ୍ବରେ ସ୍ବତନ୍ତ୍ର ଓ ଉତ୍କଳ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିଥିଲେ। ବିଶ୍ବନାଥ ବିଧାନସଭା ସଦସ୍ୟ ନଥିଲେ, ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ରାଉରକେଲା ଉପନିର୍ବାଚନରୁ ବିଜୟୀ ହୋଇଥିଲେ। କିନ୍ତୁ, ସରକାର ଗଠନର କିଛିଦିନ ପରେ ଉତ୍କଳ କଂଗ୍ରେସର ଅଧିକାଂଶ ବିଧାୟକ କଂଗ୍ରେସ ପାର୍ଟିରେ ଯୋଗଦାନ କରିବା ପରେ ବିଶ୍ବନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ଏହାପରେ କଂଗ୍ରେସ ପାର୍ଟି ସରକାର ଗଠନ କରିଥିଲେ ଏବଂ ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ନନ୍ଦିନୀ ଶତପଥୀ ଶପଥ ଗ୍ରହଣ କରିଥିଲେ। ନନ୍ଦିନୀ ୧୯୭୧ ମସିହା ଜୁନ୍ ୧୪ ତାରିଖରୁ ୧୯୭୩ ମସିହା ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଦାୟିତ୍ବରେ ରହିଥିଲେ।
ଏହି ସମୟରେ ବିରୋଧୀ ଦଳ ନେତା ପଦରେ ତିନି ଜଣ ରହିଥିଲେ। ପ୍ରଥମେ କଂଗ୍ରେସ ପାର୍ଟିର ନେତା ବିନାୟକ ଆଚାର୍ଯ୍ୟ ଏବଂ ପରେ ସ୍ବତନ୍ତ୍ର ପାର୍ଟିର ନେତା ଭାବେ ଆର୍.ଏନ୍. ସିଂହଦେଓ ଏହି ପଦ ଅଳଙ୍କୃତ କରିଥିଲେ। ଯେତେବେଳେ ପ୍ରଗତି ପାର୍ଟି ଗଠିତ ହେଲା, ବିଜୁ ପଟ୍ଟନାୟକ ବିରୋଧୀ ଦଳ ନେତା ଭାବେ ଭୂମିକା ନିର୍ବାହ କରିଥିଲେ। ଯଦିଓ, ବିଜୁ ପଟ୍ଟନାୟକ ୧୯୭୩ ମସିହା ଫେବ୍ରୁଆରି ୯ ତାରିଖରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ।
ପଞ୍ଚମ ବିଧାନସଭାରେ ମାତ୍ର ୫ଟି ଅଧିବେଶନ ବସିଥିଲା। ଗତ ବିଧାନସଭାରେ ବାଚସ୍ପତି ଥିବା ନନ୍ଦକିଶୋର ମିଶ୍ର (ସ୍ବତନ୍ତ୍ର) ପୁଣିଥରେ ଏହି ପଦ ଅଳଙ୍କୃତ କରିଥିଲେ। ଉପବାଚସ୍ପତି ପଦରେ ରହିଥିଲେ ଉତ୍କଳ କଂଗ୍ରେସର ନାରାୟଣ ବୀରବର ସାମନ୍ତ।
ତେବେ, ୫ ବର୍ଷ ପୂରଣ ପୂବର୍ରୁ ଏହି ବିଧାନସଭାର ଆୟୁଷ ଶେଷ ହୋଇଯାଇଥିଲା। ୧୯୭୩ ମସିହା ମାର୍ଚ୍ଚ ୩ ତାରିଖ ଦିନ ବିଧାନସଭା ଭଙ୍ଗ ହୋଇଯାଇଥିଲା।
ନିର୍ବାଚନ ଫଳାଫଳ ଏହିଭଳି:
ପଞ୍ଚମ ବିଧାନସଭା(୧୯୭୧-୭୩)
ଦଳ ଆସନ ଭୋଟହାର
କଂଗ୍ରେସ (ଆର୍) ୫୧ ୨୮.୧୮%
ସ୍ବତନ୍ତ୍ର ୩୬ ୧୭.୪୪%
ଉତ୍କଳ କଂଗ୍ରେସ ୩୩ ୨୩.୮୩%
ପିଏସ୍ପି ୦୪ ୬.୦୮%
ସିପିଆଇ ୦୪ ୪.୭୯%
ଝାଡ଼ଖଣ୍ଡ ୦୪ ୧.୬୮%
ସିପିଆଇ(ଏମ୍) ୦୨ ୧.୨୦%
କଂଗ୍ରେସ(ଓ) ୦୧ ୧.୮୧%
ଜନକଂଗ୍ରେସ ୦୧ ୫.୧୬%
ସ୍ବାଧୀନ ଓ ଅନ୍ୟାନ୍ୟ ୦୪ ୯.୮୩%
ସମୁଦାୟ ୧୪୦ ୧୦୦%