ବାରିପଦା : ଆଜି ସନ୍ଧ୍ୟାରେ ପ୍ରାୟ ସାଢ଼େ ୬ଟା ସମୟରେ ଲକ୍ଷ୍ମୀପୋଷିସ୍ଥିତ ୫ମ ବାଟାଲିଅନ୍ରେ ଖାକି ଖାକି ପିଟାପିଟିରୁ ତୁମୁଳକାଣ୍ଡ ଘଟିଯାଇଛି। କମାଣ୍ଡାଣ୍ଟ୍ରେ ମେଜର ପଦବିରେ ଅବସ୍ଥାପିତ ତଥା ଷ୍ଟୋର୍ ଏବଂ ସବ୍ସିଡିଆରି ଇନ୍ଚାର୍ଜ ଥିବା ଜଣେ ନେପାଳୀ ପୁଲିସ୍ ଅଧିକାରୀ ଡି ବି ଭଟ୍ଟରାୟ ଜଣେ ମହିଳାଙ୍କୁ ଅଶାଳୀନ ଆଚରଣ ପ୍ରଦର୍ଶନରୁ ଏପରି କାଣ୍ଡ ଘଟିଥିବା ସୂଚନା ମିଳିଛି। ମାତ୍ର ଉକ୍ତ ନେପାଳୀ ପୁଲିସ ଅଧିକାରୀଙ୍କୁ ସମର୍ଥନ କରି ବାଟାଲିଅନ୍ର ଆସଷ୍ଟାଣ୍ଟ କମାଣ୍ଡାଣ୍ଟ୍ ଗୌରାଙ୍ଗ ଚରଣ ସାହୁ, ଏସ୍ଆଇ ର୍ୟାଙ୍କ୍ର ଅଧିକାରୀ ସହକାରୀ ଜମାଦାର୍ ଅସିତ କୁମାର ପତିଙ୍କ ସମେତ ଆହୁରି ୫ରୁ ୬ଜଣ କର୍ମଚାରୀ ସିପାହୀ କାଳୀଚରଣ କିସ୍କୁଙ୍କୁ ଲାଠିରେ ପିଟି ଲହୁଲୁହାଣ କରିଛନ୍ତି। ଏମାନଙ୍କ ମିଳିତ ଆକ୍ରମଣରେ ଗୁରୁତର ଆହତ ହୋଇ କାଳୀଚରଣ ବାରିପଦା ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇ ସଦର ଥାନା ଆଇଆଇସି ସ୍ୱର୍ଣ୍ଣଲତା ମିଞ୍ଜ ବାଟାଲିଅନ୍ ପରିସରରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି। ଆହତ କାଳୀଚରଣଙ୍କ ଭଉଣୀ ସଦର ଥାନାରେ ଏନେଇ ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ଙ୍କ ନାମରେ ଏତଲା ଦେଇଥିବା ସୂଚନା ମିଳିଛି। କାଳୀଚରଣଙ୍କ ଘର ଚାନ୍ଦୁଆ ଥାନା ଅନ୍ତର୍ଗତ ରାଜାପଷା ପଞ୍ଚାୟତରେ ବୋଲି ଜଣାପଡ଼ିଛି। ଅପରପକ୍ଷରୁ ମଧ୍ୟ ଏକ ଏତଲା ହୋଇଥିବା ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଘଟଣା ଅନୁଯାୟୀ ସିପାହୀ କାଳୀଚରଣଙ୍କ ଭଉଣୀ ବାଟାଲିଅନ୍ ନିକଟରେ ଏକ ଚା’ ଦୋକାନ କରିଛନ୍ତି। ଆଜି ସନ୍ଧ୍ୟାବେଳେ ଡି ବି ଭଟ୍ଟରାୟ ସେହି ଦୋକାନକୁ ଚା’ ପିଇବାକୁ ଆସିଥିଲେ। ଚା’ ପିଇବା ଆଳରେ ଭଟ୍ଟରାୟ ଉକ୍ତ ମହିଳାଙ୍କୁ ଅଶାଳୀନ ବ୍ୟବହାର କରିଥିବା ସେ ଅଭିଯୋଗ କରିଥିଲେ। କାଳୀଚରଣ ମଧ୍ୟ ସେହି ସମୟରେ ଉକ୍ତ ସ୍ଥାନରେ ଉପସ୍ଥିତ ଥିଲେ। ନିଜ ଭଉଣୀଙ୍କୁ ଅଶାଳୀନ ବ୍ୟବହାର କରିଥିବାରୁ ସେ ତାଙ୍କର ବରିଷ୍ଠ ଅଧିକାରୀ ଭଟ୍ଟରାୟଙ୍କୁ ବିରୋଧ କରିଥିଲେ। ଏନେଇ ଉଭୟଙ୍କ ମଧ୍ୟରେ କଥା କଟାକଟିରୁ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯାଇଥିଲା। ପରେ ଭଟ୍ଟରାୟ କାଳୀଚରଣଙ୍କ ନାମରେ ଥାନାରେ ଅଭିଯୋଗ କରିବାର ଧମକ ଦେବା ସହିତ ବାଟାଲିଅନ୍ ପରିସରକୁ ଯାଇ ଅନ୍ୟ ପୁଲିସ୍ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ଗୌରାଙ୍ଗ ଚରଣ ସାହୁ ଓ ଅନ୍ୟମାନେ ବାଟାଲିଅନ୍ ପରିସରରୁ ଆସି କାଳୀଚରଣଙ୍କୁ ଲାଠିରେ ଆକ୍ରମଣ କରିଥିଲେ। ତଳେ ପକେଇ ବାଡ଼େଇ ରକ୍ତାକ୍ତ କରିଦେଇଥିଲେ। ଏଥିରେ କାଳୀଚରଣଙ୍କର ମୁହଁ ଫାଟିଯାଇଛି।