ରାଜ୍ୟ ଶିକ୍ଷା ଟ୍ରିବ୍ୟୁନାଲ୍‌ରୁ ଅତିରିକ୍ତ ସରକାରୀ ଓକିଲ ବହିଷ୍କୃତ

ଭୁବନେଶ୍ବର : ରାଜ୍ୟ ଶିକ୍ଷା ଟ୍ରିବ୍ୟୁନାଲ୍‌(ଏସ୍‌ଇଟି)ରେ କାର୍ଯ୍ୟରତ ଅତିରିକ୍ତ ସରକାରୀ ଓକିଲ ଧ୍ରୁବ ଚରଣ ଧଳଙ୍କୁ ବହିଷ୍କାର କରାଯାଇଛି। ଏ ନେଇ ଆଇନ ବିଭାଗ ପକ୍ଷରୁ ଗତ ୨୭ ତାରିଖରେ ଏକ ବିଜ୍ଞପ୍ତି ଜାରି ହୋଇଛି। ୨୦୧୭ ଫେବ୍ରୁଆରି ୨୩ ତାରିଖରେ ଶ୍ରୀ ଧଳଙ୍କୁ ଏସ୍‌ଇଟିରେ ଅତିରିକ୍ତ ସରକାରୀ ଓକିଲ ଭାବେ ନିଯୁକ୍ତି ଦିଆଯାଇଥିଲା। ତାଙ୍କ ନାମରେ କିଛି ଆର୍ଥିକ ଅନିୟମିିତତା ଅଭିଯୋଗ ଆଇନ୍‌ ବିଭାଗକୁ ଆସିବାରୁ ସେସବୁର ତଦନ୍ତ କରାଯାଇଥିଲା। ତଦନ୍ତରେ ଅନିୟମିତତା ଅଭିଯୋଗ ସତ ବୋଲି ଜଣାପଡ଼ିଥିଲା। ଏସ୍‌ଇଟିର ପ୍ରିଜାଇଡିଂ ଅଫିସର୍‌ ଛୁଟିରେ ଥିବା ସତ୍ତ୍ବେ ଶ୍ରୀ ଧଳ ନିଜର ଦୈନିକ ପାଉଣା ନିମନ୍ତେ ବିଲ୍‌ ଦାଖଲ କରିଥିଲେ। ସେହିପରି ହାଇକୋର୍ଟ ବାର୍‌ ଆସୋସିଏସନ୍ ଡାକରାରେ ଏସ୍‌ଇଟି ବାର୍‌ ଆସୋସିଏସନ୍ ୨୯.୮.୨୦୧୮ରୁ ୧୨.୧୧.୨୦୧୮ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲା। ଏହି ସମୟରେ ମଧ୍ୟ ଶ୍ରୀ ଧଳ ଦୈନିକ ପାଉଣା ପାଇବା ନିମ‌େନ୍ତ ବିଲ୍‌ ଦେଇଛନ୍ତି। ଏପରିକି ୨୦୧୭ ମସିହାରେ ପ୍ରିଜାଇଡିଂ ଅଫିସର୍‌ ପଦବି ଖାଲି ପଡ଼ିଥିଲେ ବି ଶ୍ରୀ ଧଳ ବିଲ୍‌ ଦାଖଲ କରିଛନ୍ତି। ତେଣୁ ଶ୍ରୀ ଧଳଙ୍କ ନାମରେ ଆସିଥିବା ଅଭିଯୋଗ ପ୍ରମାଣିତ ହୋଇଛି ବୋଲି ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି। ଏହି ରିପୋର୍ଟ ଭିତ୍ତିରେ ଶ୍ରୀ ଧଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର