୬୦ ଏଏସ୍‍ଓ ଚାକିରି ହରାଇବେ!

ଭୁବନେଶ୍ୱର : ସଚିବାଳୟରେ ନିଯୁକ୍ତି ପାଇଥିବା ପ୍ରାୟ ୬୦ଜଣ ସହକାରୀ ସେକ୍ସନ ଅଫିସର(ଏଏସ୍‍ଓ)ଙ୍କ ଚାକିରି ଯେକୌଣସି ସମୟରେ ଚାଲିଯିବାର ଆଶଙ୍କା ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ତ୍ରୁଟି ଯୋଗୁଁ ଏହିଭଳି ସ୍ଥିତି ଉପୁଜିଥିବା କୁହାଯାଉଛି।

ମିଳିଥିବା ସୂନଚା ଅନୁଯା‌ୟୀ, ସଚିବାଳୟ ପାଇଁ ପୂର୍ବରୁ ରାଜ୍ୟ ଲୋକସେବା ଆୟୋଗ ମାଧ୍ୟମରେ କନିଷ୍ଠ ସହକାରୀ ପଦବିରେ ନିଯୁକ୍ତି ହେଉଥିଲା। ୨୦୦୮ ମସିହାରେ ରାଜ୍ୟ ସରକାର କନିଷ୍ଠ ଓ ବରିଷ୍ଠ ସହକାରୀ ପଦବିକୁ ଉଚ୍ଛେଦ କରି ସେହି ସ୍ଥାନରେ ଏଏସ୍‍ଓ ପଦବି ସୃଷ୍ଟି କରିଥିଲେ । କିନ୍ତୁ ପ୍ରାୟ ୧୨ବର୍ଷ ବ୍ୟବଧାନରେ ୨୦୧୨ ମସିହାରେ ୮୦୦ ଏଏସ୍‍ଓ ପଦବି ପୂରଣ ପାଇଁ ରାଜ୍ୟ ଲୋକସେବା ଆୟୋଗ ମାଧ୍ୟମରେ ବିଜ୍ଞାପନ ପ୍ରକାଶ ପାଇଥିଲା । ସେତେବେଳକୁ ସଚିବାଳୟରେ ପ୍ରାୟ ୧୨୦୦ ଏଏସ୍‍ଓ ପଦବି ଖାଲିଥିଲା । ତେବେ ପ୍ରକାଶିତ ବିଜ୍ଞାପନରେ ଥିବା ଚାକିରି ସଂରକ୍ଷଣ ୫୦ ପ୍ରତଶିତ ସୀମା ଟପି ୬୮%ରେ ପହଞ୍ଚି ଥିବାବେଳେ ଅମର ଛାଟୋଇ ନାମକ ଜଣେ ଚାକିରି ପ୍ରତ୍ୟାଶୀ ଏହା ବିରୁଦ୍ଧରେ ମାମଲା ରୁଜୁ କରିଥିଲେ ।

ସ୍ୟାଟ୍‍ ରାଜ୍ୟ ସରକାର ପଛୁଆବର୍ଗଙ୍କ ପାଇଁ ଥିବା ୨୭ପ୍ରତିଶତ ସ୍ଥାନ ସଂରକ୍ଷଣ ଆଇନ୍‍କୁ ବାତିଲ କରିଦେଇ ଏହି ବର୍ଗଙ୍କ ପାଇଁ ସଂରକ୍ଷଣ ସୀମା ୧୧.୨୫ ପ୍ରତିଶତରେ ସୀମିତ କରିଥିଲେ । ଏହା ବିରୁଦ୍ଧରେ ରାଜ୍ୟ ସରକାର ହାଇକୋର୍ଟରେ ମାମଲା ରୁଜୁ କରି ହାରିଲେ । ତେବେ ସଂରକ୍ଷଣ ସୀମା କମିଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ପୁଣି ଏକ ଗେଜେଟ ବିଜ୍ଞପ୍ତି ପ୍ରକାଶ କରିବାରୁ ଲୋକସେବା ଆୟୋଗ ପୂର୍ବ ବିଜ୍ଞପ୍ତିର ସଂଶୋଧନ କରି ଯେଉଁମାନେ ୨୦୧୨ର ମୂଳ ଏଏସ୍‍ଓ ନିଯୁକ୍ତି ବିଜ୍ଞାପନ ବେଳକୁ ଆବଶ୍ୟକୀୟ ଯୋଗ୍ୟତା ହାସଲ କରିଥିବେ ସେମାନଙ୍କୁ ଆଉଥରେ ଆବେଦନ କରିବାକୁ ସୁଯୋଗ ଦେଇଥିଲେ । କିନ୍ତୁ ୨୦୧୨ ବେଳକୁୁ ଆବଶ୍ୟକୀୟ ଶିକ୍ଷାଗତ ଯୋଗ୍ୟତା ଓ ସର୍ବନିମ୍ନ ବୟସ ନଥିବା କେତେକ ଚାକିରି ପ୍ରତ୍ୟାଶୀ ୨୦୧୪ର ସଂଶୋଧିତ ବିଜ୍ଞପ୍ତି ଆଧାରରେ ଆବେଦନ କରିଥିଲେ । ଏମାନଙ୍କ ମଧ୍ୟରୁ କେତେକଙ୍କୁ ଲୋକସେବା ଆୟୋଗ ଯୋଗ୍ୟ ପ୍ରାର୍ଥୀଭାବେ ଚୟନ କରିବାରୁ ସରକାର ସେମାନଙ୍କୁ ବି ନିଯୁକ୍ତି ଦେଇଛନ୍ତି ।

ଏବେ ଜଣାପଡିଛି ଯେ ୨୦୧୨ ବେଳକୁ ଆବଶ୍ୟକୀୟ ଯୋଗ୍ୟତା ନଥିବା ଅନ୍ୟୁନ ୬୦ଜଣ ପ୍ରାର୍ଥୀ ପରବର୍ତ୍ତୀ ସମୟରେ ନିଯୁକ୍ତି ପାଇଛନ୍ତି । ଏଭଳି ଏକ ଗୁରୁତର ତ୍ରୁଟି କିପରି ହେଲା ଓ ଆୟୋଗ କେମିତି ଏହି ପ୍ରାର୍ଥୀମାନଙ୍କ ନାମ ସୁପାରିଶ୍‍ କଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏତେ ସଂଖ୍ୟକ ଏଏସ୍‍ଓଙ୍କୁ ଏକାବେଳେ ଚାକିରିରୁ ବିଦା କରିବା ସମ୍ଭବପର ନଥିବାବେଳେ ସେମାନଙ୍କ ତାଲିମ ସମୟ ଅତିକ୍ରାନ୍ତ ହୋଇସାରିଛି ଏବଂ ଅନ୍ୟାନ୍ୟ ସମସ୍ତ ସୁବିଧା ସୁଯୋଗ ସହିତ କେତେକ ବି ସରକାରୀ କ୍ୱାର୍ଟର୍ସ ପାଇ ସାରିଛନ୍ତି ।

ଏଣେ ସଚିବାଳୟରେ ଏବେ ୫୦୦ରୁ ଅଧିକ ଏଏସ୍‍ଓ ପଦବୀ ଖାଲି ପଡିଥିବାରୁ ସରକାରୀ କାର୍ଯ୍ୟ ବ୍ୟାହତ ହେଉଛି । ତେଣୁ ଏ ପରିପ୍ରେକ୍ଷୀରେ କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁଁ ନିଯୁକ୍ତି ପାଇ ସାରିଥିବା ଯୁବ ଏଏସ୍‍ଓମାନଙ୍କୁ ଚାକିରିରୁ ବିଦା ନକରି ସେମାନଙ୍କ ସମସ୍ୟାର କିପରି ସମାଧାନ ହୋଇପାରିବ ସେନେଇ ବାଟ ଖୋଜା ଚାଲିଛି। ଏହି ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇନଥିବା କେତେକ ପ୍ରାର୍ଥୀ ଉକ୍ତ ପ୍ରସଙ୍ଗ ଆଇନ୍‍ ଅଦାଲତରେ ଉଠାଇବାକୁ ପ୍ରସ୍ତୁତି ଚଳାଇଛନ୍ତି ।

ସମ୍ବନ୍ଧିତ ଖବର