ଏ ଟି ଠକେଇକୁ ପ୍ରଦୀପ ସେଠୀଙ୍କ ସ୍ୱୀକାର

ସମ୍ବଲପୁର: ମୁଖ୍ୟ ବିଚାର ବିଭାଗୀୟ ଅଦାଲତରେ ଚାଲୁଥିବା ୬ ଲକ୍ଷ ଟଙ୍କା ଠକେଇ ମାମଲାରେ ଦୋଷ ସ୍ୱୀକାର କରିଛନ୍ତି ଏ ଟି ଗ୍ରୁପ ମୁଖ୍ୟ ପ୍ରଦୀପ ସେଠୀ। ୧୫ ତାରିଖ ବୁଧବାର ଦିନ (ଆସନ୍ତାକାଲି)ଏହି ମାମଲାର ଚୂଡ଼ାନ୍ତ ଶୁଣାଣି କରିବେ ସିଜିଏମ। ଠକେଇ ମାମଲା ନେଇ ପ୍ରତିପକ୍ଷଙ୍କ ବୟାନ, ଏ ନେଇ ଆବଶ୍ୟକ ଦସ୍ତାବେଜ ଅଦାଲତ ନିକଟରେ ଦାଖଲ କରାଯାଇ ଥିଲା। ମଙ୍ଗଳବାର ପ୍ରଦୀପ ସେଠୀ ବୟାନ ଦେଇ ସମସ୍ତ ଦୋଷକୁ ସ୍ୱୀକାର କରିଥିଲେ। ଏଥି ସହିତ ତାଙ୍କ ବିରୋଧରେ ଚାଲିଥିବା ଆଇପିସି ଧାରା ୪୨୦, ୧୨୦(ବି), ୪ ଏଣ୍ଡ ୫ ସିସିଏମସି ଆକ୍ଟ ପ୍ରମାଣିତ ହୋଇଥିବା କହିଛନ୍ତି ସରକାରୀ ଓକିଲ ଜ୍ଞାନରଂଜନ ପଣ୍ଡା। ଅର୍ଥତତ୍ତ୍ୱ ଗ୍ରୁପ ଜରିଆରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରାୟ ୫୦୦ କୋଟି ଟଙ୍କାର ଉର୍ଧ୍ୱ ଟଙ୍କାର ଠକେଇ ନେଇ ମାମଲା ଜାରି ରହିଛି। ସମ୍ବଲପୁର ପର୍ଯ୍ୟନ୍ତ ମଧ୍ୟ ଏହାର ଚେର ଲମ୍ବିଥିଲା। ବୁର୍ଲା ଆନନ୍ଦ ବିହାର ରଘୁମଣି ଦାସ ୬ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ମାମଲା ରୁଜ୍ଜୁ ହୋଇଥିଲା। ସେ କହିଛନ୍ତି, ଅର୍ଥତତ୍ତ୍ୱ ଗ୍ରୁପ ପକ୍ଷରୁ ତାଙ୍କ ଜମାର ୩ ପ୍ରତିଶତ ସହିତ ମାସକୁ ୩୦ ହଜାର ଟଙ୍କା ପାଇଁ ପ୍ରତିଶ୍ରୁତି ଦିଆଯାଇ ଥିଲା। ଏଥିଯୋଗୁଁ ୨୦୧୨ ମସିହା ଏପ୍ରିଲ ୩ ତାରିଖରେ ଏହି ଅର୍ଥ ଲଗାଣକାରୀ ସଂସ୍ଥାରେ ୬ ଲକ୍ଷ ଟଙ୍କା ଜମା କରିଥିଲେ। ମାତ୍ର ପ୍ରତିଶ୍ରୁତିର ବିପରୀତ ତାଙ୍କୁ କୌଣସି ଅର୍ଥ ମିଳିନଥିଲା। ଠକେଇର ଶିକାର ହେବା ନେଇ ୨୦୧୪ ମସିହାରେ ଥାନାରେ ଏତଲା ଦେଇଥିଲେ। ପ୍ରଦୀପ ସେଠୀ ଏଟି ଠକେଇରେ ଗିରଫ ହେବା ପରେ ବିଭିନ୍ନ ସମୟରେ ସମ୍ବଲପୁର ପୁଲିସ ତାଙ୍କୁ ରିମାଣ୍ଡରେ ଆଣିଛିି। କିଛି ମାସ ହେଲା ସେ ସିଜିଏମ କୋର୍ଟରେ ହାଜର କରାଯାଇ ଥିଲା। ସମ୍ବଲପୁର ଜେଲ ରହଣି ସମୟରେ ତାକୁ ବିଶେଷ ସୁବିଧା ଦିଆଯାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ସିଜେଏମଙ୍କ ବୁଧବାର ଶୁଣାଣିକୁ ସମସ୍ତଙ୍କର ଅପେକ୍ଷା ରହିଛି।

ସମ୍ବନ୍ଧିତ ଖବର