ଅତାବିରାରେ ୧୨ ଘଣ୍ଟିଆ ବନ୍ଦ

ଅତାବିରା:ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅତାବିରା ଏନ ଏସିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବାରମ୍ୱାର ବିଦ୍ୟୁତ୍‌ ବିଭ୍ରାଟ ତଥା ୱେସକୋ ଅଫିସରେ କର୍ମଚାରୀ  ନ ଥିବା ପ୍ରତିବାଦରେ  ଅତାବିରାର ନଗର କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଏଥିରେ ବଣିକ ସଂଘ ଓ ବିଭିନ୍ନ ଅନୁଷ୍ଠାନ ମଧ୍ୟ ସାମିଲ ହୋଇଥିବା ଜଣାଯାଇଛି ।

ଆନ୍ଦୋଳନକାରୀଙ୍କ ଅଭିଯୋଗ ମୁତାବକ, ଅତାବିରା ଅଞ୍ଚଳରେ ବାରମ୍ୱାର ବିଦ୍ୟୁତ୍‌ ବିଭ୍ରାଟ ଲାଗି ରହୁଛି । ଏନେଇ ୱେସକୋ କାର୍ଯ୍ୟାଳୟକୁ  ଅଭିଯୋଗ କରିବାକୁ ଗଲେ ସେଠାରେ କୌଣସି କର୍ମଚାରୀଙ୍କ ଦେଖା ମିଳୁନାହିଁ । ଠିକ୍ ସେହିପରି ଅବସର ଗ୍ରହଣ କରୁଥିବା କର୍ମଚାରୀଙ୍କ ଜାଗାରେ ନୂଆ ଲୋକଙ୍କୁ ନିଯୁକ୍ତି ଦିଆଯାଉ ନଥିବାର ଅଭିଯୋଗ ବି ହୋଇଛି। ଏନେଇ ପୂର୍ବରୁ ବରଗଡ଼ର ୱେସକୋ ନିର୍ବାହୀ ଯନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ନ ଯିବାରୁ ଆଜି ଆନ୍ଦୋଳନ କରାଯାଉଥିବା କୁହାଯାଉଛି ।

Image result for attabira
photo-india rail info

କଂଗ୍ରେସ ନେତା ଅଶୋକ ଚନ୍ଦ୍ର ପ୍ରଧାନ, ମୁକେଶ ଅଗ୍ରୱାଲ, ଦୀପକ ରାୟ ଏବଂ ଅବିନାଶ ପ୍ରଧାନ ପ୍ରମୁଖଙ୍କ ସମେତ ବହୁ  ଆନ୍ଦୋଳନକାରୀ ସକାଳୁ ସକାଳୁ ପିକେଟିଂ କରିଛନ୍ତି। ଆଜି ଅତାବିରାର ଦୋକାନ ବଜାର ସବୁ ବନ୍ଦ ରହିଛି । ସରକାରୀ ଅଫିସ ବି ବନ୍ଦ ଥିବା ଜଣାଯାଇଛି। ତେବେ ସ୍କୁଲ କଲେଜ ଖୋଲା ରହିଛି। ଠିକ୍ ସେହିପରି ଜାତୀୟ ରାଜପଥ-୬ରେ ଯାନବାହନ ଚଳାଚଳ ଚାଲୁ ରହିଛି।

ସମ୍ବନ୍ଧିତ ଖବର