ଭୁବନେଶ୍ୱର : ଓଡ଼ିଆ ସାହିତ୍ୟ ଜଗତର ବିପ୍ଳବୀ କବି ରବି ସିଂ ପାଇବେ ଓଡ଼ିଶା ସାହିତ୍ୟ ଏକାଡେମିର ସର୍ବୋଚ୍ଚ ସମ୍ମାନ। ସାହିତ୍ୟକୁ ଜୀବନବ୍ୟାପୀ ସେବା ପାଇଁ ୨୦୧୭ ମସିହା ନିମନ୍ତେ ସେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପାଇବେ। କବିତାର ପ୍ରତିଟି ପଙ୍କ୍ତିରେ ବିପ୍ଳବର ସ୍ୱରକୁ ଶାଣିତ
କରିଥିବା ଶ୍ରୀ ସିଂହ ୫୦ରୁ ଊର୍ଧ୍ୱ ପୁସ୍ତକ ରଚନା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୮୨ ବର୍ଷରେ ପଦାର୍ପଣ କରିଥିବା ଶ୍ରୀ ସିଂ ଆଜି ବି ବୀରଦର୍ପରେ ନିଜର କବିତା ପାଠ କରି ବିପ୍ଳବର ବହ୍ନି ଜାଳି ଦିଅନ୍ତି। ୧୯୩୫ ମସିହା ଫେବ୍ରୁଆରି ୧୮ ତାରିଖରେ ନବାପାଟଣା ଜଗତସିଂହପୁରରେ ଜନ୍ମିତ ଶ୍ରୀ ସିଂ ସମଗ୍ର ଜୀବନଟା ସାହିତ୍ୟମୟ। କେବେ ସେ ସାମ୍ନାରେ ଘଟୁଥିବା କୁତ୍ସିତ ଘଟଣା ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ତ କେବେ ଚାଞ୍ଚଲ୍ୟକାରୀ, ଦୁଃଖଦ ଓ ଲହୁଲୁହାଣ ଭରା ଆତ୍ମଜୀବନୀ ଲେଖି ନିଜକୁ ପ୍ରକାଶ କରିଛନ୍ତି। ତାଙ୍କ କ୍ରାନ୍ତିକାରୀ କାବ୍ୟଯାତ୍ରା ମଧ୍ୟରେ ପଥପ୍ରାନ୍ତର କବିତା, ଚରମପତ୍ର, ଶିଥିଳ ବଲ୍ଗା, ପାଗୋଡ଼ାର ପ୍ରେତ, ଭ୍ରୁକୁଟି, ବିଦୀର୍ଣ୍ଣ, ପାଦଟୀକା, ଅପ୍ରୀତିକର କବିତା, ଜ୍ୱାଳାର ମାଳା, କ୍ଷତ, ସର୍ବହରା, ବିଷବାଣୀ, ଦୁର୍ଗମ ଗିରି, ଅନାର୍ଯ୍ୟର ଆର୍ଯ୍ୟପଦ, କ୍ରାନ୍ତି କାମୋଦି, ଜଳ ମୋ ଅନଳ, ପୃଥିବୀ ଟଳମଳ ଭଳି କବିତା ଗ୍ରନ୍ଥ ବେଶ୍ ଚର୍ଚିତ ହୋଇଛି। ଖାଲି ସେତିକି ନୁହେଁ, ପରାସ୍ତ ସୈନିକ, ଚଳନ୍ତିକା ଭଳି ଗଳ୍ପ ବହି, ଆତ୍ମଜୀବନୀ ‘ନିଃସଙ୍ଗ ପଦାତିକ’ ଏବଂ ସମାଲୋଚନା ପୁସ୍ତକ ‘ସଂସ୍କୃତିର ବୈପ୍ଳବିକ ମୂଲ୍ୟବୋଧ’ ଭଳି ଆହୁରି ଅନେକ ପୁସ୍ତକ ରଚନା କରି ସାରସ୍ୱତ ଜଗତରେ ସ୍ୱତନ୍ତ୍ର ପତିଆରା ଜମାଇଛନ୍ତି।
ପୁରସ୍କାର ପାଇବା ପ୍ରତିକ୍ରିୟାରେ ତାଙ୍କ ମତ ହେଲା, ମୁଁ ଯେ ଏ ପୁରସ୍କାର ଶୁଣିଲା ପରେ ବିଚଳିତ ଅନୁଭବ କରୁଛି। କାରଣ ଯିଏ ବିରୋଧାଭାସ ସହ ବିପ୍ଳବର ସ୍ୱର କବିତାରେ ଲେଖି ଥରହର କରୁଥିଲା ତାକୁ ଏ ପୁରସ୍କାର କେମିତି ବା ମିଳିପାରନ୍ତା। ଏହି ଉକ୍ତି ହିଁ ତାଙ୍କ କବିତାର ସ୍ୱର କେତେ ଶାଣିତ ତାହା ପ୍ରମାଣିତ କରୁଛି। ଚରମ ପତ୍ର ପୁସ୍ତକ ପାଇଁ ସେ ୧୯୬୫ରେ ସାହିତ୍ୟ ଏକାଡେମି ପୁରସ୍କାର ପାଇଥିବା ବେଳେ ସୋଭିଏତ ୟୁନିୟନ୍ ଦ୍ୱାରା ୧୯୬୮ରେ ନେହେରୁ ସମ୍ମାନ ସହ ବହୁ ସଂଗଠନ ପକ୍ଷରୁ ପୁରସ୍କୃତ ହୋଇଛନ୍ତି।
ଅତିବଡ଼ି ସମ୍ମାନ ସହ ୧୫ ଜଣ ବୟୋଜ୍ୟେଷ୍ଠ ସାହିତ୍ୟିକ/ସାହିତ୍ୟିକାଙ୍କୁ ସମ୍ବର୍ଧିତ କରାଯିବ। ସେମାନେ ହେଲେ, ସନାତନ ମହାନ୍ତି, ରଜତ କୁମାର କର, ଭୂପେନ ମହାପାତ୍ର, ନବକିଶୋର ପୃଷ୍ଟି, ରାମଚନ୍ଦ୍ର ମହାନ୍ତ, ସୁରେନ୍ଦ୍ର କୁମାର ମହାରଣା, ତ୍ରିନାଥ ସାହୁ, ଲକ୍ଷ୍ମୀଧର ଜେନା, ବଂଶୀଧର ରାଉତ, ପଞ୍ଚାନନ ମିଶ୍ର, ଅଞ୍ଜଳି ପଣ୍ଡା, ନକୁଳ ଚନ୍ଦ୍ର ସାହୁ, ଅନିଲ ଚନ୍ଦ୍ର ଦାଶ, କୁମୁଦ ଚନ୍ଦ୍ର ଦାଶ ଏବଂ ଗୋବର୍ଧନ ନାୟକ। ଆଜି ଏକାଡେମିର ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦ ବୈଠକରେ ଏହି ସମ୍ମାନ ବାବଦରେ ଘୋଷଣା କରାଯାଇଛି। ପୁରସ୍କାର ଘୋଷଣା ପରେ ରବି ସିଂଙ୍କୁ ତାଙ୍କ ୟୁନିଟ୍ ୬ସ୍ଥିତ ବାସଭବନରେ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ସମ୍ବର୍ଧିତ କରାଯାଇଛି। ଏକାଡେମିର ଉପସଭାପତି ଗାୟତ୍ରୀ ସରାଫ, ସଚିବ ଅଶ୍ୱିନୀ ମିଶ୍ର, ଭାଗୀରଥି ମହାସୁଆର, ବିଜୟାନନ୍ଦ ସିଂହ, ଚନ୍ଦ୍ରଶେଖର ହୋତା, ସୁଶାନ୍ତ କୁମାର ନାୟକ, ରବି ନାରାୟଣ ରାୟ ସମ୍ବର୍ଧିତ କରିଥିଲେ।