ଫେରିଛି ବିମୁଦ୍ରାକରଣ ସ୍ଥିତି: ବିଜେଡି

ଏଟିଏମ୍‌ ଖାଲି, ଲୋକେ ହୀନସ୍ତା, ରାଜ୍ୟବ୍ୟାପୀ ୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆଜି

ଭୁବନେଶ୍ୱର : ସମଗ୍ର ଭାରତରେ ଅଘୋଷିତ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଛି। ଜନସାଧାରଣ ନିଜର ଉପାର୍ଜିତ ଟଙ୍କାକୁ ଠିକ୍‌ ସମୟରେ ନ ପାଇବା ଏକ ଗୁରୁତର ଅପରାଧ। ବିମୁଦ୍ରାକରଣ ସମୟରେ ଯାହା ଘଟିଥିଲା ଏବେ ତାର ପୁନରାବୃତ୍ତି ହୋଇଛି। କେନ୍ଦ୍ର ସରକାରଙ୍କ ଅପରିଣାମଦର୍ଶୀ ନିଷ୍ପତ୍ତି ଓ ଦୂରଦୃଷ୍ଟିହୀନ ପଦକ୍ଷେପ କାରଣରୁ ଦେଶରେ ଆର୍ଥିକ ବିଶୃଙ୍ଖଳା ଓ ଅରାଜକତା ମୁଣ୍ଡ ଟେକିଥିବା ବେଳେ ଏହା ବିରୋଧରେ ଦୃଢ ପ୍ରତିବାଦ ହେବା ଦରକାର।

ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଏଟିଏମ୍‌ଗୁଡିକରୁ ଟଙ୍କା ନ ମିଳିବା ଘଟଣାକୁ ରାଜନୈତିକ ପ୍ରସଙ୍ଗ ଭାବେ ଟାଣି ବିଜେଡି ଆଜି ଏଭଳି ଆହ୍ଵାନ ଦେଇଛି। କେବଳ ସେତିକି ନୁହେଁ, ଦଳର ନେତାମାନେ ଆଜି ସାମ୍ବାଦିକ ସମ୍ମିଳନୀ ଡାକି କେନ୍ଦ୍ର ସରକାରଙ୍କୁ ଏ ପ୍ରସଙ୍ଗରେ କଠୋର ସମାଲୋଚନା କରିବା ସହିତ ଏହା ବିରୋଧରେ ଆନ୍ଦୋଳନ ଘୋଷଣା କରିଛନ୍ତି। ସୂଚନା ଅନୁସାରେ, ଆସନ୍ତାକାଲି ରିଜର୍ଭ ବ୍ୟାଙ୍କ ମୁଖ୍ୟାଳୟ ସମେତ ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ସମସ୍ତ ଜିଲ୍ଲା ସଦର ମହକୁମା ଓ ବ୍ଲକସ୍ତରରେ ଅଗ୍ରଣୀ ବ୍ୟାଙ୍କ ସମ୍ମୁଖରେ ବିଜେଡିର ଛାମୁଆ ସଂଗଠନ ପକ୍ଷରୁ ସକାଳ ୧୦ରୁ ୧୨ଟା ଯାଏ ଦୁଇଘଣ୍ଟିଆ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯିବ। ତେବେ ଏହି ସମୟରେ ସାଧାରଣ ଗ୍ରାହକ ଏବଂ ବ୍ୟାଙ୍କ ପରିଚାଳନା କାମରେ କୌଣସି ବାଧା ସୃଷ୍ଟି କରାଯିବ ନାହିଁ ବୋଲ ଦଳ ପକ୍ଷରୁ କୁହାଯାଇଛି।

ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା ଏବଂ ଡ. ଅରୁଣ କୁମାର ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ୨୦୧୬ ମସିହାରେ ବିମୁଦ୍ରାକରଣର ଦୁଃଖଦ ଅନୁଭୂତିକୁ ଲୋକେ ପୁଣି ଭୋଗିବା ଆରମ୍ଭ କରିଛନ୍ତି। ସାରା ଦେଶରେ ଏଟିଏମ୍‌ ଖାଲି ପଡିଛି ଏବଂ ଝୁଲା ଯାଇଥିବା ‘ନୋ କ୍ୟାସ୍‌’ ନୋଟିସ୍‌ ଲୋକମାନଙ୍କ ପ୍ରତି ଉପହାସ ଭଳି ହୋଇଛି। ନଗଦ ଟଙ୍କା ପାଇଁ ଲୋକମାନଙ୍କର ଧାଁଧପଡ଼ ଓ ନାହିଁନଥିବା ଦୁର୍ଦ୍ଦଶା ସବୁଠି ଦେଖିବାକୁ ମିଳିଲାଣି। ଦେଶ ଅର୍ଥନୀତିର ଏକ ପ୍ରମୁଖ ଅଙ୍ଗ ବ୍ୟାଙ୍କ ବ୍ୟବସ୍ଥା ଏବେ ଭୁଶୁଡ଼ିବାକୁ ବସିଲାଣି। ଏଭଳି ପରିସ୍ଥିତିରେ ଆଉ ମାସକ ପରେ କର୍ଣ୍ଣାଟକ ନିର୍ବାଚନ ଅନୁଷ୍ଠିତ ହେବ। ଅନେକ ପ୍ରମୁଖ ରାଜନୈତିକ ଦଳ ଟଙ୍କାକୁ ବେଆଇନ୍‌ ଭାବେ ନିର୍ବାଚନ ପ୍ରଚାରରେ ପ୍ରୟୋଗ କରିବା ପାଇଁ ଗଚ୍ଛିତ ରଖିଥିବା ଆଶଙ୍କା କରିଛି ବିଜେଡ଼ି। ଏମିତିରେ ବି ବିଜେପିର ଆୟ ୮୧ ପ୍ରତିଶତ ବୃଦ୍ଧି ହୋଇ ୧୦୩୪ କୋଟିରେ ପହଞ୍ଚିଛି। ସେମାନଙ୍କର ପ୍ରତିଟି କାର୍ଯ୍ୟକ୍ରମ ବହୁ ଆଡ଼ମ୍ବରରେ ହେଉଛି। ମାତ୍ର ଲୋକେ ତାଙ୍କର ଝାଳବୁହା ଟଙ୍କା ପାଇପାରୁନାହାନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର, ଯୁବ ବିଜେଡି ରାଜ୍ୟ ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର