ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟ୍‌ ଘଟଣା : ତନାଘନା କରିବ କ୍ରାଇମ୍‌ବ୍ରାଞ୍ଚ, ଏଟିଏମ୍‌ ସିସି କ୍ୟାମେରାକୁ ପୁଲିସ କଣ୍ଟ୍ରୋଲ ରୁମ୍‌ ସହିତ ସଂଯୋଗ କରିବାକୁ ନିର୍ଦେଶ

ଭୁବନେଶ୍ୱର : ବର୍ଷ ଆରମ୍ଭରେ ଭଦ୍ରକରେ ଏଟିଏମ୍‌ ଭାଙ୍ଗି ୩୦ ଲକ୍ଷ ଟଙ୍କା ଲୁଟ୍‌। ଏହା ପରେ କଟକ ଗଣ୍ଡରପୁରରେ ଏଟିଏମ୍‌ ମେସିନ୍‌ କାଟି ୧୬ ଲକ୍ଷ ଟଙ୍କା ଲୁଟ। ଏହାପରେ ଗୋଟିଏ ଦିନରେ ରାଉରକେଲାରେ ୮ ଲକ୍ଷ ଟଙ୍କା ଓ ବ୍ରହ୍ମପୁରରୁ ୨୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏହା ପୂର୍ବରୁ ବାଲେଶ୍ୱରରେ ମଧ୍ୟ ଏଟିଏମ୍‌ ଭାଙ୍ଗି ଲୁଟେରା ବୋହି ନେଇଥିଲେ ୨୦ ଲକ୍ଷ ଟଙ୍କା। ଏଟିଏମ୍‌ ଭାଙ୍ଗି ଏଭଳି ସରିଜ୍‌ ଲୁଟପାଟ୍‌ କରିବା ସାରା ରାଜ୍ୟରେ ପ୍ରଥମ। ବେଳକୁ ବେଳ ଘଟଣା ସଂଘାତିକ ହେଉଛି। ଯାହା ରାଜ୍ୟ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ଏଭଳି ସ୍ଥିତିରେ ଆଜି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏଟିଏମ୍‌ ଲୁଟ ଘଟଣାର ପ୍ରତ୍ୟେକ୍ଷ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟଙ୍କୁ ନିର୍ଦେଶ ଦେଇଛନ୍ତି ଘଟଣାର ତଦାରଖ କରିବାକୁ। ଡିଜିଙ୍କ ନିର୍ଦେଶ ପରେ ଆଜି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଗୋଟିଏ ଟିମ୍‌ ରାଉରକେଲା ଓ ଅନ୍ୟ ଏକ ଟିମ୍‌ ବ୍ରହ୍ମପୁର ଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ପୁଲିସ ଡିଜି ରାଜ୍ୟର ସମସ୍ତ ରେଞ୍ଜ ଡିଆଇଜି ଓ ଏସ୍‌ପିମାନଙ୍କୁ ଏ ନେଇ ସର୍ତକ ରହିବା ସହିତ ରାତି ପାଟ୍ରୋଲିଂ ମଜଭୁତ କରିବାକୁ ନିର୍ଦେଶ ଦେଇଛନ୍ତି। ଡିଜିଙ୍କ ଏଭଳି ନିର୍ଦେଶ ପରେ ଏବେ ସାରା ରାଜ୍ୟରେ ରାତିରେ ବ୍ଲକିଂ ଓ ଚେକିଂ ଆରମ୍ଭ ହୋଇ ଯାଇଛି।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତିରେ ବ୍ରହ୍ମପୁରରେ ୭ଟି ଏଟିଏମ୍‌ କାଉଣ୍ଟର୍‌ ଭାଙ୍ଗି ପାଖାପାଖି ୨୦ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଲୁଟେରାମାନେ ସିସିଟିଭିର ହାର୍ଡଡିସ୍କ ମଧ୍ୟ ନେଇ ଯାଇଛନ୍ତି। ଅଧିକାଂଶ ଏଟିଏମ୍‌ ଶୂନଶାନ ଅଞ୍ଚଳରେ ଥିଲା ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି। ଏହା ଛଡ଼ା ଷ୍ଟେଟବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏଟିଏମ୍‌ରୁ ଏଭଳି ଲୁଟପାଟ ହୋଇଛି। ସେଠାରେ କୌଣସି ସୁରକ୍ଷାକର୍ମୀ ରହୁ ନ ଥିବାରୁ ଏଭଳି ଅଘଟଣ ଘଟୁଛି ବୋଲି ଉକ୍ତ ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ଏ ସମ୍ପର୍କରେ ଡିଜି ଶ୍ରୀ ଶର୍ମା କହିଛନ୍ତି, ଏହା ଏକ ଅନ୍ତଃଦେଶୀୟ ଗ୍ୟାଙ୍ଗ୍‌। ଏହି ଗ୍ୟାଙ୍ଗ୍‌ ପୂର୍ବରୁ ପଶ୍ଚିମବଙ୍ଗ, ତାମିଲନାଡୁ ଓ ଗୁଜୁରାଟରେ ଏଭଳି ଏଟିଏମ୍‌ ତାଡ଼ି ଲୁଟପାଟ୍‌ କରିବା ପରେ ଓଡ଼ିଶା ଆସିଛନ୍ତି। ସେମାନେ ଗ୍ୟାସ୍‌ କଟର୍‌ ଓ ଅନ୍ୟାନ୍ୟ କୌଶଳରେ ଏଟିଏମ୍‌ ମେସିନ ଖୋଲି ଟଙ୍କା ଖାଲି କରି ଦେଉଛନ୍ତି। ସମସ୍ତ ଘଟଣାରେ ପୁଲିସ ସାଇଣ୍ଟିଫିକ୍‌ ଟିମ ସହିତ ତଦନ୍ତ ଆରମ୍ଭ କରିଛି। ଲୁଟେରାମାନଙ୍କ ଫିଙ୍ଗର୍‌ପ୍ରିଣ୍ଟ ମଧ୍ୟ ସଂଗ୍ରହ ହୋଇଛି। ଖୁବ୍‌ ଶୀଘ୍ର ଏହି ଗ୍ୟାଙ୍ଗ୍‌ର ପର୍ଦାଫାସ ହେବ। ଅନ୍ୟପଟେ ସମସ୍ତ ଏସପି ଓ ରେଞ୍ଜ ଡିଆଇଜିମାନଙ୍କୁ କୁହାଯାଇଛି କି ସେମାନଙ୍କ ଅଞ୍ଚଳରେ ରାତି ସମୟରେ କଡ଼ା ପାଟ୍ରୋଲିଂ କରିବାକୁ। ଯେହେତୁ ଲୁଟେରାମାନେ ଲୁଟପାଟ ପୂର୍ବରୁ ସିସିଟିଭି ହାର୍ଡଡିସ୍କ ନେଇ ଯାଉଛନ୍ତି। ତେଣୁ ଏଟିଏମ୍‌ରେ ଲାଗିଥିବା ସିସି କ୍ୟାମେରାକୁ ପୁଲିସ କଣ୍ଟ୍ରୋଲ ରୁମ୍‌ ସହିତ ସଂଯୋଗ କରିବାକୁ ସମସ୍ତ ଜିଲ୍ଲା ଏସ୍‌ପିଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର