ଏଟିଏମ୍‌ ଲୁଟ୍‌ ରୋକିବାକୁ ସ୍ୱତନ୍ତ୍ର ସ୍କ୍ଵାଡ୍‌

ଭୁବନେଶ୍ୱର : ରାଜ୍ୟରେ ଏଟିଏମ୍‌ ସିରିଜ୍‌ ଲୁଟକୁ ନେଇ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଶେଷକରି ଶନିବାର ରାତିରେ ବାରିପଦା ସହରର ୪ଟି ଏଟିଏମ୍‌ କାଟି ପାଖାପାଖି ୩୦ ଲକ୍ଷ ଟଙ୍କା ଲୁଟି ନେବା ଘଟଣା ପୁଲିସ ପାଇଁ ଚାଲେଞ୍ଜ ହୋଇଛି। ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦାରଖ କରିବାକୁ ଡିଜି ନିର୍ଦେଶ ଦେବା ପରେ କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌ ବାରିପଦା ଯାଇ ତଥ୍ୟ ସଂଗ୍ରହ କରିଛି। ଅନ୍ୟପକ୍ଷରେ ରାଜ୍ୟରେ ଏଟିଏମ୍‌ ଲୁଟ ରୋକିବା ଦିଗରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଆକ୍ସନପ୍ଲାନ୍‌ ପ୍ରସ୍ତୁତ ହୋଇଛି। ଏଟିଏମ୍‌ ଲୁଟ ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ଵାଡ୍‌ ଗଠନ କରିବା ନିମନ୍ତେ ଏସ୍‌ପିମାନଙ୍କୁ କୁହାଯାଇଛି।

କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏଟିଏମ୍‌ ଲୁଟେରା ରାଜ୍ୟ ବାହାରର ହୋଇଥିବାରୁ ସେମାନଙ୍କୁ ଚିହ୍ନିବା କଷ୍ଟକର। ଏହାଛଡ଼ା ସେମାନେ ଯେଉଁଠି ଏଟିଏମ୍‌ରୁ ଲୁଟ୍‌ କରୁଛନ୍ତି, ସେଠାରେ ଲାଗିଥିବା ସିସି କ୍ୟାମେରାକୁ ନଷ୍ଟ କରିଦେବା ସହିତ ହାର୍ଡଡିସ୍କ ସାଙ୍ଗରେ ନେଇ ଯାଉଛନ୍ତି। ତେବେ ସେମାନଙ୍କୁ ଠାବ କରିବା ଲାଗି ସହରର ପ୍ରବେଶ ପଥ, ପ୍ରସ୍ଥାନ ପଥ ଓ ପଟ୍ରୋଲ ପମ୍ପରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରାଯାଉଛି।

ଯାହା ଜଣାପଡ଼ିଛି ଏହି ଗ୍ୟାଙ୍ଗ୍‌ ଗୋଟିଏ ସହରରେ ଲୁଟ କରିବା ପରେ ପୁଣି ଥରେ ଏକ ମାସ ପରେ ଅନ୍ୟ ଏକ ସହରକୁ ଟାର୍ଗେଟ କରୁଛନ୍ତି। ତେଣୁ ସେମାନେ ସେହି ସହରର କୌଣସି ହୋଟେଲ କିମ୍ବା ଲଜ୍‌ରେ ରହୁଛନ୍ତି। ତେଣୁ ଜିଲ୍ଲା ପୁଲିସ ସେମାନଙ୍କ ସହରରେ ଥିବା ହୋଟେଲ ଓ ଲଜ୍‌ରେ ରହୁଥିବା ଅତିଥିମାନଙ୍କ ନାଁ, ଗାଁ, ଠିକଣା, ମୋବାଇଲ୍‌ ନମ୍ବର ଆଦି ସଂଗ୍ରହ କରିବାକୁ କ୍ରାଇମ୍‌ବାଞ୍ଚ ପକ୍ଷରୁ କୁହାଯାଇଛି।

ପ୍ରକାଶଥାଉକି, ଗତ ୭ ମାସ ମଧ୍ୟରେ ଏଟିଏମ୍‌ ଲୁଟେରା ପାଖାପାଖି ୨ କୋଟି ଟଙ୍କା ଗାଏବ କରି ସାରିଲେଣି। ଏହି ଗ୍ୟାଙ୍ଗ୍‌ ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, ରାଉରକେଲା, କଟକ ଓ ବାରିପଦାରେ ଏଭଳି ସିରିଜ୍‌ ଲୁଟ୍‌ କରି ପୁଲିସକୁ ଚକ୍‌ମା ଦେଇ ଚାଲିଛନ୍ତି।

ସମ୍ବନ୍ଧିତ ଖବର