ଅଙ୍ଗନବାଡ଼ି କର୍ମୀଙ୍କୁ ବିବସ୍ତ୍ର କରି ପିଟିଲେ

ବାହାନଗା/ଅଂଜି : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ ବରିପଦା ପଞ୍ଚାୟତ ଅଧୀନ ଅଟାସପୁରର ମଳିକ ସାହିର ଅଙ୍ଗନବାଡ଼ି କର୍ମୀ ମାଳତୀ ମଳିକଙ୍କୁ ବିବସ୍ତ୍ର କରି ମାଡ଼ ମରାଯାଇଛି। ଖନ୍ତାପଡ଼ା ପୁଲିସ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତି କରିଛି।

ସୂଚନା ଅନୁସାରେ; ଅଟାସପୁର ମଳିକ ସାହି ଅଙ୍ଗନବାଡ଼ି କେନ୍ଦ୍ରର ସହାୟିକା ପଦ ଦୀର୍ଘଦିନ ହେବ ଖାଲିପଡ଼ିଥିଲା। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି ପଦ ପାଇଁ ୪ ଜଣ ପ୍ରାର୍ଥୀ ଆବେଦନ କରିଥିଲେ। ଏହି କ୍ରମରେ ଗତ ମାର୍ଚ୍ଚ ୧୨ ତାରିଖ ଦିନ ହୋଇଥିବା ଚୟନ ପ୍ରକ୍ରିୟାରେ ଭାରତୀ ଦାସଙ୍କୁ ନିଯୁକ୍ତି ଦିଆଯାଇଥିଲା। ତେବେ ନିଯୁକ୍ତିି ପ୍ରକ୍ରିୟାକୁ ଅନ୍ୟ ୩ ଜଣ ପ୍ରାର୍ଥୀ ବିରୋଧ କରିଥିଲେ। ଏନେଇ ଗ୍ରାମରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଅଙ୍ଗନବାଡ଼ି କର୍ମୀ ମାଳତୀ ଆଜି ସକାଳ ପ୍ରାୟ ୮ଟା ବେଳେ କେନ୍ଦ୍ରରେ ପିଲାମାନଙ୍କୁ ପାଠ ପଢ଼ାଉଥିବା ବେଳେ କିଛି ଲୋକ ପହଞ୍ଚି ସହାୟିକା ନିଯୁକ୍ତି ସଂପର୍କିତ ରିଜୋଲ୍ୟୁସନ୍‌ ଖାତା ମାଗିଥିଲେ। ମାତ୍ର ମାଳତୀ ଖାତା ଦେଖାଇ ନଥିଲେ। ଫଳରେ ଯାଇଥିବା ମହିଳାମାନଙ୍କ ମଧ୍ୟରୁ ଜଣେ ମହିଳା ମାଳତୀଙ୍କୁ ଧକ୍କା ମାରିଥିଲେ। ଭୟରେ ମାଳତୀ କେନ୍ଦ୍ର ବାହାରକୁ ପଳାଇଆସିବାରୁ ଅନ୍ୟମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଏପରିକି କିଛି ମହିଳା ତାଙ୍କ ଶାଢ଼ି ଟାଣି ନେଇ ବିବସ୍ତ୍ର କରିବା ସହ ବିଧା ଓ ଗୋଇଠା ମାରିବା ସହ ତାଙ୍କୁ କେନ୍ଦ୍ର ଭିତରେ ବନ୍ଦ କରିଦେଇଥିଲେ। ଖନ୍ତାପଡ଼ା ଥାନା ପୁଲିସ ଫୋର୍ସ ସହ କେନ୍ଦ୍ରରେ ପହଞ୍ଚି ମାଳତୀଙ୍କୁ ଉଦ୍ଧାର କରିବା ସହ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ।

ସମ୍ବନ୍ଧିତ ଖବର