ପୁଣି ସିଡିଏରେ ଲୋମଟାଙ୍କୁରା କାଣ୍ଡ : ଶିଶୁର ପାଦକୁ ଇଟାରେ ଛେଚିଦେଲେ

ମା ସମେତ ଦୁଇଜଣଙ୍କୁ ପଚରାଉଚରା

କଟକ : ସିଡିଏରେ ଜଣେ ସାବତ ମା ୭ବର୍ଷର ଶିଶୁକୁ ତତଲା ଛୁରିରେ ଚେଙ୍କ ଦେବା ଘଟଣା ପରେ ପୁଣି ଆଜି ଆଉ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ମା ଅନ୍ୟ ଜଣେ ଯୁବକ ସହିତ ମିଶି ୩ ବର୍ଷର ଶିଶୁକନ୍ୟାର ପାଦକୁ ଇଟାରେ ଛେଚି ଦେଇଛନ୍ତି। ଶିଶୁର ଦେହସାରା ତତଲା ଲୁହାର ଚେଙ୍କ ଦେଇଛନ୍ତି। ମର୍କତନଗର ଥାନା ପୁଲିସ ଶିଶୁଟିକୁ ଉଦ୍ଧାର କରିଥିବା ବେଳେ ମା ସମେତ ଦୁଇଜଣଙ୍କୁ ଥାନାରେ ପଚରାଉଚରା କରୁଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ମର୍କତନଗନର ଥାନା ସିଡିଏ ସେକ୍ଟର-୭ ଅନ୍ତର୍ଗତ କାଠଯୋଡ଼ିବିହାର ବସ୍ତିରେ ଜଣେ କାଠମିସ୍ତ୍ରି ନିଜ ସ୍ତ୍ରୀ ଓ ୩ବର୍ଷର ଝିଅ ସହିତ ରୁହନ୍ତି। ପାରିବାରିକ ବିବାଦ ଯୋଗୁଁ ସ୍ବାମୀଙ୍କୁ ସମ୍ପୃକ୍ତ ମହିଳା ଘରୁ ତଡ଼ି ଦେଇଥିଲା। ତେଣୁ ସ୍ବାମୀ ଗଲା ୪ ମାସ ହେବ କେଉଁଆଡ଼େ ଚାଲି ଯାଇଛନ୍ତି। ଝିଅ ସହିତ ରହୁଥିବା ମହିଳାଜଣକ ଜଣେ ଯୁବକଙ୍କୁ ଘରେ ଆଣି ଘରେ ରଖୁଥିଲେ। ଘରେ ଥିବା ୩ ବର୍ଷର ଝିଅକୁ ଉଭୟ ମିଶି ବିଭିନ୍ନ ସମୟରେ ଅକଥନୀୟ ନିର୍ଯାତନା ଦେଇ ଆସୁଥିଲେ। ଝିଅର ପାଦକୁ ଇଟାରେ ଛେଚି କ୍ଷତାକ୍ତ କରିଦେଇଥିଲେ। ଏମିତିକି ବିଭିନ୍ନ ସମୟରେ ତତଲା ଲୁହାର ଚେଙ୍କ ବି ଦେଉଥିଲେ। ଆଜି କୁନିଝିଅ ହାତରେ ଚେଙ୍କା ଲାଗିଥିବାରୁ କାଠଯୋଡ଼ିବିହାର ବସ୍ତିରେ ଥିବା ଏକ ଦୋକାନ ନିକଟରେ କାନ୍ଦୁଥିଲା। ବସ୍ତି ଲୋକେ ଘଟଣା ସମ୍ପର୍କରେ ବୁଝିବା ପରେ ଭିଡିଓ କରି ଭାଇରାଲ୍ କରିଦେଇଥିଲେ। ନାବାଳିକାର ମା ଓ ସମ୍ପୃକ୍ତ ଯୁବକ ଜାଣିବା ପରେ ତାକୁ ଘରକୁ ନେଇଯାଇଥିଲେ। ଘରେ ହାତ ଓ ଗୋଡ଼କୁ ଗାମୁଛାରେ ବାନ୍ଧି ଦେଇ ନିର୍ଧୁମ ମାଡ଼ ମାରିଥିଲେ। ସ୍ଥାନୀୟ ଲୋକେ ଏ ସମ୍ପର୍କରେ କାଠଯୋଡ଼ିବିହାର ଉନ୍ନୟନ ପରିଷଦକୁ ଅବଗତ କରିଥବା ପ‌ରେ ପରିଷଦ ପକ୍ଷରୁ ମର୍କତନଗର ଥାନା ଏବଂ ଚାଇଲ୍ଡ ଲାଇନକୁ ଖବର ଦିଆଯାଇଥିଲା। ଶିଶୁଟି ବନ୍ଧା ହୋଇଥିବା ଅବସ୍ଥାରେ ଘରେଥିବା ବେଳେ ପୁଲିସ ରାତି ପ୍ରାୟ ୧୧ଟା ବେଳେ ତାକୁ ଉଦ୍ଧାର କରି ଥାନାକୁ ଆଣିଥିଲା। ଅନ୍ୟପଟେ ଶିଶୁଟିର ମା ଏବଂ ସମ୍ପୃକ୍ତ ଯୁବକଙ୍କୁ ମଧ୍ୟ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରାଯାଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର