ଚିନ୍ତା ବଢ଼ାଉଛି ପିଲାଚୋର ଗୁଜବ : ଯୁବକଙ୍କୁ ବାନ୍ଧି ରାତିସାରା ପିଟିଲେ

ପୃଥକ୍‌ ସ୍ଥାନରେ ଦୁଇ ଅଟକ, ଅସହାୟଙ୍କୁ ମାଡ଼ ଘଟଣାରେ ଜଣେ କୋର୍ଟ ଚାଲାଣ

ବାଲିଆପାଳ/ଚିତ୍ରଡ଼ା/ ଶୁଳିଆପଦା : କାମ କରୁନାହିଁ ସଚେତନତା। ପିଲା ଚୋରି ଗୁଜବକୁ ନେଇ ଗତ ଦୁଇ ସପ୍ତାହ ହେବ ରାଜ୍ୟରେ ଆଇନଶୃଂଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଆକ୍ରୋଶର ଶିକାର ହେଉଛନ୍ତି ନିରୀହ ଯୁବକ, ମାନସିକ ଭିନ୍ନକ୍ଷମ, ମହିଳା ଓ ନିଶାସକ୍ତ ବ୍ୟକ୍ତି। ଆଜି ସେହିପରି ବାଲେଶ୍ୱର ଓ ମୟୂରଭଂଜ ଜିଲ୍ଲାରେ ତିନୋଟି ଘଟଣା ସାମ୍ନାକୁ ଆସିଛି। ଦୁଇ ଜଣକୁ ଅଟକ ରଖି ପୁଲିସ ପଚରାଉଚରା କରିଥିିବା ବେଳେ ଗତକାଲି ଘଟିଥିବା ଅନ୍ୟ ଏକ ଘଟଣାରେ ସଂପୃକ୍ତ ଜଣକୁ କୋର୍ଟ ଚାଲାଣ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ; ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଧୀନ ହାସିମପୁର ଆଦିବାସୀ ସାହିର ଅମର ପ୍ରଧାନଙ୍କ ଘରେ ଖାଳମୁହିଁଣି ଗ୍ରାମର ସୃଷ୍ଟିଧର ଗିରିଙ୍କ ପୁଅ ଶରତ ଗିରି (୨୪) ପଶିଥିଲେ। ବାହାରେ ଅନ୍ୟ ଦୁଇଜଣ ଯୁବକ ଏକ ବାଇକ୍‌ରେ ତାଙ୍କୁ ଅପେକ୍ଷା କରିଥିଲେ। ତେବେ କୁକୁର ଭୁକିବାରୁ ଶରତ ପଳାଇଯାଉଥିବା ବେଳେ ଗ୍ରାମବାସୀ ତାଙ୍କୁ ଧରିଥିଲେ। ଏହା ଦେଖି ଅନ୍ୟ ଦୁଇଜଣ ଯୁବକ ଗାଡ଼ିରେ ଚମ୍ପଟ ମାରିଥିଲେ। ଲୋକେ ଶରତଙ୍କୁ ପିଲା ଚୋର ସନ୍ଦେହରେ ବାନ୍ଧି ରାତିସାରା ନିସ୍ତୁକ ମାଡ଼ ମାରିଥିଲେ। ପରେ ଶରତ ଏନେଇ ଘରକୁ ଫୋନ୍‌ କରି ଜଣାଇବା ପରେ ବାପା ସୃଷ୍ଟିଧର ସ୍ଥାନୀୟ ଭଦ୍ରବ୍ୟକ୍ତିଙ୍କ ସହାୟତାରେ ବାଲିଆପାଳ ଥାନାକୁ ଖବର ଦେଇଥିଲେ। ବାଲିଆପାଳ ପୁଲିସ ଗ୍ରାମରେ ପହଂଚି ଶରତକୁ ଉଦ୍ଧାର କରିବା ସହ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶରତଙ୍କ ଚିକିତ୍ସା କରାଇଥିଲା। ଏନେଇ ସୃଷ୍ଟିଧରଙ୍କ ଅଭିଯୋଗକୁ ଆଧାର କରି ପୁଲିସ ସୁବର୍ଣ୍ଣ ମୁର୍ମୁ, ଅର୍ଜୁନ ମୁର୍ମୁ, କାରିଆ ପ୍ରଧାନ, ରାମ ହାଁସଦା, ଗୋପୀନାଥ ମାରାଣ୍ଡିଙ୍କ ସହ ଅନ୍ୟମାନଙ୍କ ନାମରେ ମାମଲା ରୁଜୁ କରିଛି। ଅନ୍ୟପଟେ ଗ୍ରାମବାସୀଙ୍କ ପକ୍ଷରୁ ପାଲ୍‌ଟା ଅଭିଯୋଗ ହୋଇଥିବା ଜଣାପଡ଼ିଛି।

ସେହିପରି ମୟୂରଭଂଜ ଜିଲ୍ଲା ଶୁଳିଆପଦା ଅଞ୍ଚଳରେ ଜଣେ ଅସହାୟ ବ୍ୟକ୍ତି ଗୁଜବର ଶିକାର ହୋଇଥିବା ବେଳେ ମାଡ଼ ମାରିଥିବା ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଧୀନ ଟିପୁରା ଗାଁର ଅସହାୟ ନରେନ୍ଦ୍ର ପାତ୍ର ଓରଫ୍‌ କୁନା (୪୨)। ଗତକାଲି ସନ୍ଧ୍ୟାରେ ସେ କୋଷ୍ଠା ଅଞ୍ଚଳର ମହୁଲିସାହିକୁ ଭିକ ମାଗିବାକୁ ଯାଇଥିଲେ। ଏତିକିବେଳେ ଗାଁର ବିରଞ୍ଚି ନାଏକ ଓ ତାଙ୍କର କିଛି ସହଯୋଗୀ କୁନାଙ୍କୁ ପିଲାଚୋର ସଂଦେହରେ ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ବିରଞ୍ଚିକୁ କୋର୍ଟ ଚାଲାଣ କରିଛି।

ମୋରଡ଼ା ଅଞ୍ଚଳରେ ମଧ୍ୟ ପୃଥକ ପୃଥକ ସ୍ଥାନରେ ୨ ଜଣଙ୍କୁ ପିଲା ଚୋର ସନ୍ଦେହରେ ଅଟକ ରଖାଯାଇଛି। ଖବର ଅନୁଯାୟୀ, ମଧ୍ୟାହ୍ନରେ ଚିତ୍ରଡ଼ା ଅଞ୍ଚଳରେ ସନ୍ଦିଗ୍ଧ ଅବସ୍ଥାରେ ବୁଲାବୁଲି କରୁଥିବା ଜଣେ ବ୍ୟକ୍ତିଙ୍କୁ କିଛି ଲୋକ ପିଲାଚୋର ସନ୍ଦେହରେ ଅଟକ ରଖି ପଚରାଉଚରା କରିଥିଲେ। ତେବେ ଅଟକ ବ୍ୟକ୍ତି ଜଣଙ୍କର ମାନସିକ ଭାରସାମ୍ୟ ଠିକ୍‌ ନଥିବା ବେଳେ ସେ ନିଜ ପରିଚୟ ଦେଇ ପାରିନଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା।

ସେହିପରି ସନ୍ଧ୍ୟାରେ ବଡ଼ଫେରା ସୁନ୍‌ପୁରିଆ ଅଞ୍ଚଳରେ ମଧ୍ୟ ଜଣେ ବୃଦ୍ଧଙ୍କୁ ପିଲାଚୋର ସନ୍ଦେହରେ ଗାଁ ଲୋକେ ଅଟକ ରଖିଥିଲେ। ଅଟକ ବ୍ୟକ୍ତି ଜଣଙ୍କ ଶୁଳିଆପଦା ଥାନା ଅଧୀନ ସୁରଖୀ ଜାଲିଘାଟି ଅଞ୍ଚଳର ହେମନ୍ତ ସିଂ (୬୦) ଓ ସେ ବଡ଼ଫେରା ଅଞ୍ଚଳକୁ କାମ କରିବାକୁ ଆସିଥିବା କହିଥିଲେ। ତେବେ ଚିତ୍ରଡ଼ା ଫାଣ୍ଡି ପୁଲିସ ଘଟଣା ସମ୍ପର୍କରେ ଖବର ପାଇ ଅଟକ ବୃଦ୍ଧଙ୍କୁ ଉଦ୍ଧାର କରିଛି। ଉଭୟ ଘଟଣାର ସନ୍ଦିଗ୍ଧଙ୍କୁ ପୁଲିସ ଚିତ୍ରଡ଼ା ଫାଣ୍ଡିରେ ଅଟକ ରଖି ଜେରା କରୁଛି।

ସମ୍ବନ୍ଧିତ ଖବର