କ୍ରିକେଟର୍‌ ସରିତା ମେହେରଙ୍କ ଘର ଉପରକୁ ସଂଘବଦ୍ଧ ଆକ୍ରମଣ

ବଲାଙ୍ଗୀର : ବଲାଙ୍ଗୀର ଟାଉନ ଥାନା ଅନ୍ତର୍ଗତ ତେଲିଗୋଠପଡ଼ା (ସୁବାସ ନଗର)ରେ ଶନିବାର ଅପରାହ୍‌ଣରେ ତୁମୁଳ କାଣ୍ତ ଘଟିଛି। ଓଡ଼ିଶା ଟିମର ନିୟମିତ ମହିଳା କ୍ରିକେଟ ଖେଳାଳି ସରିତା ମେହେରଙ୍କ ଘରକୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି। ନିକଟସ୍ଥ ବୈଜୟନ୍ତୀପଡ଼ାର ନିଶାଶକ୍ତ ଯୁବକ ଓ କେତେ ଜଣ ମହିଳା ମିଶି ଘରକୁ ଟେକାପଥର ମାଡ଼ କରିବା ସହ ଟାଙ୍ଗିଆ, ଭୁଜାଲି, ଠେଙ୍ଗା, ମାରଣାସ୍ତ୍ର ଧରି ଆକ୍ରମଣ କରିଛନ୍ତି। ପରିବାରର ୩ ଜଣ ଆହତ ହୋଇଥିବା ବେଳେ ଘର ସମ୍ମୁଖରେ ଥିବା ବାଇକକୁ ଦୁବୃତ୍ତମାନେ ଭାଙ୍ଗି ଚୁରମାର କରି ଦେଇଛନ୍ତି। ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଆକ୍ରମଣରେ ପରିବାରର ୩ ଜଣ ସଦସ୍ୟ କୃଷ୍ଣଚନ୍ଦ୍ର ମେହେର, ରାଧେଶ୍ୟାମ ମେହେର, ସୁଶାନ୍ତ ମେହେର ଆହତ ହୋଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଶନନିବାର ଦିନ ପ୍ରାୟ ସାଢ଼େ ୩ଟ‌ାରେ ମହିଳା କ୍ରିକେଟର ସରିତାଙ୍କ ବାପା କୃଷ୍ଣଚନ୍ଦ୍ର ମେହେର କୌଣସି କାମରେ ଯାଇ ଘରକୁ ଫେରୁଥିଲେ। ସେହି ସମୟରେ ତାଙ୍କ ଘର ନିକଟରେ ନିକଟସ୍ଥ ବୈଜୟନ୍ତୀପଡ଼ାର ଦୁଇ ଜଣ ଯୁବକ ନିଶାଶକ୍ତ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କଠାରୁ ଟଙ୍କା ଲୁଟ ଉଦ୍ୟମ କରୁଥିଲେ। ଏହା ଦେଖି କୃଷ୍ଣଚନ୍ଦ୍ର ପ୍ରତିବାଦ କରିଥିଲେ। ନିଶାଶକ୍ତ ଯୁବକମାନେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଆକ୍ରମଣ ଉଦ୍ୟମ କରିଥିଲେ। ଏହି ସମୟରେ ନିକଟସ୍ଥ ମନ୍ଦିରରେ ଥିବା ପରିବାରର ଅନ୍ୟ ସଦସ୍ୟ ପହଞ୍ଚି ସେମାନଙ୍କୁ ପ୍ରତ୍ୟହ କାହିଁକି ଛକରେ ଗଣ୍ତଗୋଳ କରୁଛ ବୋଲି କହିଥିଲେ। ଏହାପରେ ଆରମ୍ଭ ହୋଇଥିଲା ତୁମୁଳ କାଣ୍ତ। କୃଷ୍ଣଚନ୍ଦ୍ର ଓ ରାଧେଶ୍ୟାମଙ୍କୁ ପ୍ରବଳ ମାଡ଼ ମାରିଥିଲେ। କୃଷ୍ଣଚନ୍ଦ୍ରଙ୍କ ମୁଣ୍ତରେ ଆଘାତ ଲାଗିଥିବା ବେଳେ ରାଧେଶ୍ୟାମଙ୍କ ଗୋଡ଼ରେ ମାଡ଼ ମାରିଥିଲେ। ଭୟରେ ଘର ଭିତରକୁ ଯାଇ କବାଟ ଦେଇ ରହି ପୁଲିସକୁ ଖବର କରିଥିଲେ। ପୁଲିସ ପିସିଆର ଖବର ପାଇ ପହଞ୍ଚିବା ପରେ ପୁଲିସ ସମ୍ମୁଖରେ ମଧ୍ୟ କିଛି ସମୟ ଉତ୍ପାତ ଜାରି ରହିଥିଲା। ନିଶାଶକ୍ତ ଅବସ୍ଥାରେ ଯୁବକ ଥିବାରୁ ପିସିଆର ଅଧିକ ଫୋର୍ସ ପାଇଁ ଫୋନରେ ଜଣାଇଥିଲା। ପୁଲିସକୁ ଗାଳିଗୁଲଜ ମଧ୍ୟ ଆକ୍ରମଣକାରୀମାନେ କରିଥିଲେ। ଟାଉନ ଥାନା ଆଇଆଇସି ପହଞ୍ଚିବା ପରେ ମାମଲା କିଛିଟା ଶାନ୍ତ ହୋଇଥିଲା। ପଡାକୁ ଫୋର୍ସ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯିବା ବେଳେ ସେଠାରେ ପୁଲିସକୁ ଗାଳିଗୁଲଜ କରି ମହିଳାମାନେ ଫେରାଇ ଦେଇଥିଲେ। ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ। ଏସଡିପିଓ କ୍ଷୀରସାଗର ନାଏକ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ୧ ପ୍ଲାଟୁନ ଫୋର୍ସ ମହିଳା କ୍ରିକେଟରଙ୍କ ଘର ସମ୍ମୁଖରେ ମୁତୟନ କରାଯାଇଛି ବୋଲି ଏସଡିପିଓ କହିଛନ୍ତି।

ସମ୍ବନ୍ଧିତ ଖବର