ଅସୁରକ୍ଷିତ ଡାକ୍ତରଖାନା : ଡାକ୍ତରଙ୍କୁ ମାଡ଼, ଆଉଟ୍‌ଡୋରରେ ଭଙ୍ଗାରୁଜା

ସୁରକ୍ଷା ଦାବି କରି ଧାରଣାରେ ବସିଲେ ଡାକ୍ତର ଓ କର୍ମଚାରୀ

ଉଦଳା : ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଉଦଳା ଉପଖଣ୍ଡ ଡାକ୍ତରଖାନାରେ ଆଜି ମଦ୍ୟପ ଯୁବକ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ଡାକ୍ତରଙ୍କୁ ମାଡ଼ ମାରିବା ସହିତ ଆଉଟଡୋର୍‌ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣା ପରେ ଡାକ୍ତରଖାନାର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।। ସୁରକ୍ଷା ଦାବି କରି ଡାକ୍ତର ଓ ଡାକ୍ତରଖାନା କର୍ମଚାରୀ ଧାରଣାରେ ବସିଛନ୍ତି।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ସାଢେ ଦଶଟା ସମୟରେ ଉଦଳା ଉପଖଣ୍ତ ଡାକ୍ତରଖାନାରେ ତିନିଜଣ ମଦ୍ୟପ ଯୁବକ ଚିକିତ୍ସା ପାଇଁ ଆସି ତୁମୂଳକାଣ୍ତ ଘଟାଇଥିଲେ। ବହିଃର୍ବିଭାଗକୁ ସଂପୂର୍ଣ୍ଣ ଭାଙ୍ଗି ଛିନ‌୍‌ଛତ୍ର କରିବା ସହିତ ଡାକ୍ତରଙ୍କୁ ଠେଲାପେଲା କରିବା ସହିତ ମାଡ଼ ମଧ୍ୟ ମାରିଥିଲେ। ପ୍ରାୟ ଅଧଘଣ୍ଟା ଧରି ଆତଙ୍କ ଛେଳାଇଥିଲେ। ଦୁର୍ବୃତ୍ତମ‌ାନେ ବହିଃର୍ବିଭାଗର ସମସ୍ତ ଆସବାବପତ୍ର, ଚିକିତ୍ସା ଉପକରଣ, କାଚ କବାଟ ଗୁଡିକୁ ଭାଙ୍ଗି ଚୁରମାର କରିଦେଇଥିବା ଜଣାଯାଇଛି।

ଘଟଣା ପରେ ଡାକ୍ତରଖାନା କର୍ମଚାରୀ ଓ ରୋଗୀଙ୍କ ମହଲରେ ଭୟର ବାତାବରଣ ଦେଖାଦେଇଛି। କେହି ବି ଡାକ୍ତରଖାନାରେ ସୁରକ୍ଷିତ ମଣୁନାହାନ୍ତି। ପୁଲିସ ଏନେଇ କେସ ନଂ ୮୬/୧୯ରେ ଦଫା ୩୪୧,୩୨୫,୩୦୭,୫୦୬,୨୯୪,୩୪ରେ ମାମଲା ରୁଜୁ କରି ତିନି ଯୁବକଙ୍କୁ କୋର୍ଟଚାଲାଣ କରିଛି ।

ସମ୍ବନ୍ଧିତ ଖବର