ମହାପ୍ରୟାଣ ଗାଡ଼ି ପାଇଁ ଟଣାଓଟରା : ଭଦ୍ରକ ମେଡିକାଲରେ ଡାକ୍ତରଙ୍କୁ ଠେଲାପେଲା, ଗାଡ଼ି ଭଙ୍ଗାରୁଜା, ୩ ଅଟକ

ଭଦ୍ରକ : ମହାପ୍ରୟାଣ ଗାଡ଼ିରେ ମୃତଦେହକୁ ଆଗ ନେବା ପାଇଁ ଜିଦ୍‌ରେ ଆଜି ଅପରାହ୍ନରେ ଭଦ୍ରକ ମେଡିକାଲରେ ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ସଂପର୍କୀୟ ଓ ଉତ୍ତ୍ୟକ୍ତ ଲୋକମାନେ ମହାପ୍ରୟାଣ ଗାଡ଼ିକୁ ଭଙ୍ଗାରୁଜା କରିବା ସହ କର୍ତ୍ତବ୍ୟରତ ଡାକ୍ତରଙ୍କୁ ଠେଲାପେଲା କରି ଗାଳିଗୁଲଜ କରିଥିଲେ। ଘଟଣା ପରେ ଭଦ୍ରକ ମେଡିକାଲ ପରିସରରେ ଉତ୍ତେଜନା ଲାଗି ରହିଥିଲା। ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହେବାରୁ ସଂପୃକ୍ତ ଡାକ୍ତର ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ସହ ୩ ଜଣଙ୍କୁ ଅଟକ ରଖିଛି।

ସୂଚନା ଅନୁସାରେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କାଉପୁର ଅଞ୍ଚଳର ସିରାପୁର ଗ୍ରାମର ଜଣେ ଲୋକଙ୍କର ମୃତ୍ୟୁ ଘଟିଥିଲା। ମୃତଙ୍କର ଶବ ବ୍ୟବଚ୍ଛେଦ ପରେ ତାଙ୍କର ଶବକୁ ମହାପ୍ରୟାଣ ଗାଡ଼ିରେ ନେବାକୁ ଗ୍ରାମର ଲୋକମାନେ ଜିଦ୍ ଧରିଥିଲେ। ମାତ୍ର ସେହି ମହାପ୍ରୟାଣ ଗାଡ଼ିରେ ଆଗରୁ ତିହିଡ଼ି ଅଞ୍ଚଳର ଜଣେ ମୃତକଙ୍କ ଶବ ତାଙ୍କ ଗାଁକୁ ଯିବା ପାଇଁ ରହିଥିଲା। ସିରାପୁର ଲୋକମାନେ ସେହି ଗାଡ଼ିରେ ଆଗ ତାଙ୍କ ଗାଁ ଲୋକର ଶବ ପଠାିବାକୁ ଅଡ଼ି ବସିଥିଲେ। ମାତ୍ର ମେଡିକାଲର କର୍ତ୍ତବ୍ୟରତ ଡାକ୍ତର ଦୀପକ ଜେନା ଏହି ଘଟଣାରେ ହସ୍ତକ୍ଷେପ କରି ତିହିଡ଼ି ଅଞ୍ଚଳର ଶବ ଆଗ ବ୍ୟବଚ୍ଛେଦ ହୋଇଛି। ସେଇ ଶବ ଛାଡି ଆସିବା ପରେ ସିରାପୁର ଅଞ୍ଚଳର ଶବ ନେଇ ଗାଁକୁ ଯିବ ବୋଲି କହିଥିଲେ। ଡାକ୍ତରଙ୍କ କଥା ଶୁଣି ସିରାପୁର ଅଞ୍ଚଳର ଲୋକମାନେ ଉତ୍ତ୍ୟକ୍ତ ହୋଇ ଉଠିଥିଲେ। ଉତ୍ତ୍ୟକ୍ତ ଲୋକମାନେ ଡାକ୍ତର ଶ୍ରୀ ଜେନାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କୁ ଠେଲାପେଲା କରିଥିଲେ। ଲୋକମାନଙ୍କର ଏଭଳି ଆଚରଣ ନେଇ ସଂପୃକ୍ତ ଡାକ୍ତର ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ୩ ଜଣଙ୍କୁ ଥାନାରେ ଅଟକ ରଖିଛନ୍ତି। ଏହି ଘଟଣାରେ ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିବା ବେଳେ ମେଡିକାଲ ପରିସରରେ ଉତ୍ତେଜନାକୁ ପ୍ରଶମିତ କରିବା ପାଇଁ ପୁଲିସ ଉପସ୍ଥିତ ରହିଛନ୍ତି।

ସମ୍ବନ୍ଧିତ ଖବର