ବାବୁ, କର୍ମଚାରୀ ହାତ ମିଳାଇଲେ

ମୁଖ୍ୟମନ୍ତ୍ରୀଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି

ପ୍ରତିଶ୍ରୁତି ମିଳିଲା, ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କ ବାସଭବନରେ ଆକ୍ରମଣକୁ ନେଇ ଆଜି ସରକାରୀ ଅଧିକାରୀମାନେ ଏକାଠି ହୋଇଛନ୍ତି। ଗତକାଲି ଏହି ଘଟଣାକୁ ନିନ୍ଦା କରି ଏକ ସ୍ୱତନ୍ତ୍ର ବୈଠକରେ ଆଇଏଏସ୍‌ ସଂଘ ପାଣ୍ଡିଆନଙ୍କ ପରିବାର ପାଇଁ ଏକାଠି ହୋଇଥିଲେ। ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କେବଳ ଆଇଏଏସ୍‌ ସଂଘ ନୁହେଁ, ବିଭିନ୍ନ ସରକାରୀ ଅଧିକାରୀ ଓ କର୍ମଚାରୀ ସଂଘ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅନୁରୂପ ଦାବି ରଖିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ମଚାରୀଙ୍କୁ ଆଶ୍ୱାସନା ଦେଇ କହିଛନ୍ତି, ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଅପରାଧୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅନ୍ୟପକ୍ଷରେ ବିଜେପି ନେତା ବିଜୟ ମହାପାତ୍ର ଏହି ଘଟଣାରେ ମୁହଁ ଖୋଲି ଘଟଣାକୁ ନିନ୍ଦା କରିବା ସହିତ କଟାକ୍ଷ କରିଛନ୍ତି। କହିଛନ୍ତି, ସମ୍ବଲପୁର ଅଇଁଠାପାଲି ଭଳି ଏକ ଗୁରୁତର ଘଟଣାକୁ ଅଣଦେଖା କରି କାହିଁକି ଓ କାହା ପ୍ରରୋଚନାରେ ଜଣେ ଅଫିସରଙ୍କ ଘର ଉପରକୁ ଆକ୍ରମଣ କରିବା ଲାଗି ବିଜେପି ବାଛିଲା, ତାହା ବୁଝାପଡୁନାହିଁ। ଅଇଁଠାପାଲି ଘଟଣାରେ ପୁଲିସର ବିଫଳତା ଜଳଜଳ ହୋଇ ଦିଶୁଛି। ଏତେ ବଡ଼ ଘଟଣା ଘଟିଯିବ ଓ ପୁଲିସ ଜାଣିପାରିବ ନାହିଁ ତାହା ଗ୍ରହଣ କରିବା ମୁସ୍କିଲ। ଥାନାକୁ ଛାରଖାର ହୋଇଗଲା। କିନ୍ତୁ ଏ ପ୍ରସଙ୍ଗକୁ ବିଜେପିକୁ ଦିଶିଲାନି। କୌଣସି ସରକାରୀ ଅଧିକାରୀଙ୍କ ବିରୋଧରେ ଆନ୍ଦୋଳନ କରାଯିବାରେ କ୍ଷତି ନାହିଁ। ମାତ୍ର ତାଙ୍କ ଘରେ ପଶିବା ଗ୍ରହଣଯୋଗ୍ୟ ନୁହେଁ, ନିନ୍ଦନୀୟ। କଠୋର କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି।

ଉଲ୍ଲେଖଯୋଗ୍ୟ,ଆଜି ଆଇଏଏସ୍‌ ଅଫିସରମାନଙ୍କ ସହିତ ଓଡ଼ିଶା ପ୍ରଶାସନିକ ସେବା ସଂଘ, ଓଡ଼ିଶା ଅର୍ଥ ସେବା ସଂଘ, ଓଡ଼ିଶା ସୂଚନା ସେବା ସଂଘ, ଓଡ଼ିଶା ପୁଲିସ ଅଧିକାରୀ ସଂଘ, ଓଡ଼ିଶା ରାଜସ୍ୱ ସେବା ସଂଘ, ରାଜ୍ୟ କର୍ମଚାରୀ ମହାସଂଘ, ଓଡ଼ିଶା ସଚିବାଳୟ ସେବା ସଂଘ, ରାଜ୍ୟ ମୁଖ୍ୟ ଦପ୍ତର କର୍ମଚାରୀ ସଂଘ, ଓଡ଼ିଶା ପିଏ ଓ ପ୍ରାଇଭେଟ୍‌ ସେକ୍ରେଟାରି ସଂଘ, କନଷ୍ଟେବଳ ସିପାହୀ ମହାସଂଘ, ରାଜ୍ୟ କର୍ମଚାରୀ ମହାସଂଘ, ଅଣ ଗେଜେଟେଡ୍‌ ସମନ୍ଵୟ ସମିତି କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏମାନଙ୍କ ବ୍ୟତୀତ ମିନିଷ୍ଟରିଆଲ୍‌ ଅଫିସର୍ସ ଆସୋସିଏସନ୍‌, ନର୍ସିଂ କର୍ମଚାରୀ ସଂଘ, ଅଣଗେଜେଟେଡ୍‌ ବନସେବା ସଂଘ, ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ସଂଘ, ରେଡିଓଗ୍ରାଫର ସେବା ସଂଘ, ଫାର୍ମାସିଷ୍ଟ ସେବା ସଂଘ, ମ୍ୟାଲେରିଆ ଲାବୋରେଟୋରି ଟେକ୍ନିସିଆନ୍‌ ସଂଘ,ବହୁମୁଖୀ ସ୍ୱାସ୍ଥ୍ୟ ସୁପରଭାଇଜର ସଂଘ, ମାଧ୍ୟମିକ ଶିକ୍ଷକ ସଂଘ ପ୍ରମୁଖ ଶ୍ରୀ ପାଣ୍ଡିଆନ ଘର ଉପରେ ଯେଭଳି ଆକ୍ରମଣ କରାଗଲା ତାକୁ ନିନ୍ଦା କରିଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମଧ୍ୟାହ୍ନ ଭୋଜନ ବିରତି ସମୟରେ ସଚିବାଳୟ ଲନ୍‌ରେ କର୍ମଚାରୀମାନେ ଏକାଠି ହୋଇ ଏହି ନିନ୍ଦନୀୟ ଘଟଣାର ପ୍ରତିବାଦ କରିିଥିଲେ।

ସୂଚନାଯୋଗ୍ୟ ଦୁଇ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ ସରକାରୀ ବାସଭବନକୁ ଧସେଇ ପଶି କିଛି ବିଜେପି କର୍ମୀ ଭଙ୍ଗାରୁଜା ଓ ଗୋବର ମାଡ଼ କରିଥିଲେ।

ସମ୍ବନ୍ଧିତ ଖବର