ବାଲେଶ୍ବର ମେଡିକାଲ କଲେଜ ହସ୍ପିଟାଲରେ ଅଭାବନୀୟ ଘଟଣା, ନର୍ସଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ

ବାଲେଶ୍ବର : ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଅବ୍ୟବସ୍ଥା ସୀମା ଟପିଛି। ଆଜି ଜଣେ ଷ୍ଟାଫ୍‌ ନର୍ସ କିଛି ଉତ୍ତ୍ୟକ୍ତ ଲୋକଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ମାମଲା ରୁଜୁ କରିଥିବା ବେଳେ କ୍ରାଇମ୍‌ ଡିଏସ୍‌ପି ଉମେଶ ପଣ୍ଡା ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। ଆକ୍ରମଣର ଶିକାର ହୋଇଥିବା ସମ୍ପୃକ୍ତ ଷ୍ଟାଫ୍‌ ନର୍ସଙ୍କ ନାମ ରୀତାରାଣୀ ହାତୀ(୩୨)।

ଗୁରୁବାର ରାତିରେ ସୋର ଥାନା ଅଧୀନ ସିଙ୍ଗାଖୁଣ୍ଟା ଅଞ୍ଚଳର ଗୌରାଙ୍ଗ ମହାନ୍ତିଙ୍କ ପତ୍ନୀ ପ୍ରମିଳାଙ୍କୁ ପ୍ରସବ ପାଇଁ ଏମ୍‌ସିଏଚ୍‌(ମା ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର)ରେ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତିରେ ତାଙ୍କର ଏକ କନ୍ୟାସନ୍ତାନ ଜନ୍ମ ନେଇଥିଲା। ପ୍ରମିଳାଙ୍କ ପରିବାର କରିଥିବା ଅଭିଯୋଗ ଅନୁଯାୟୀ, ଶ୍ରୀମତୀ ହାତୀ ପ୍ରମିଳାଙ୍କ ପରିବାରଠାରୁ ୧୫ ଶହ ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ସକାଳେ ପ୍ରମିଳାଙ୍କ ସହ ଆସିଥିବା ଜଣେ ସମ୍ପର୍କୀୟ ମହିଳା ତାଙ୍କୁ ୩୦୦ ଟଙ୍କା ଯାଚିଥିଲେ। ଏଥିରେ ଶ୍ରୀମତୀ ହାତୀ ଉତ୍‌କ୍ଷିପ୍ତ ହୋଇ ସେହି ମହିଳାଙ୍କୁ ସେଠାରେ ଠେଲିଦେବାରୁ ସେ ତଳେ ପଡ଼ିଯାଇଥିଲେ। ପ୍ରମିଳାଙ୍କ ପରିବାର ଓ ଅନ୍ୟ ରୋଗୀଙ୍କ ପରିବାର ଲୋକ ମିଶି ତାଙ୍କୁ ‌ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ପ୍ରାଣଭୟରେ ଶ୍ରୀମତୀ ହାତୀ ସେଠାରୁ ଧାଇଁ ପଳାଉଥିବା ବେଳେ ତାଙ୍କୁ ଆକ୍ରମଣକାରୀମାନେ ଗୋ‌ଡ଼ାଇ ଗୋଡ଼ାଇ ମାଡ଼ ମାରିବା ସହ ହସ୍ପିଟାଲ ଫାଣ୍ଡିରେ ଆଣି ଜିମା ଦେଇଥିଲେ।

ଏହି ଘଟଣାରେ ଉତ୍ତ୍ୟକ୍ତ ନର୍ସମାନେ କାର୍ଯ୍ୟବନ୍ଦ କରିଥିଲେ। ରୋଗୀଙ୍କ ସହାୟକମାନେ ହୋ‌-ହଲ୍ଲା କରିବା ସହ ମେଡିସିନ୍‌ ୱାର୍ଡ, ଏମ୍‌ସିଏଚ୍‌ ଓ ସର୍ଜରି ୱାର୍ଡରେ କବାଟ ଝରକା ଭଙ୍ଗାରୁଜା ଓ ଜିନିଷପତ୍ର ଫିଙ୍ଗାଫୋପଡ଼ା କରିଥିଲେ। ଜଣେ କାର୍ଯ୍ୟରତ ନର୍ସ ପ୍ରତି ଏପରି ଅମାନୁଷିକ ଭାବେ ଆକ୍ରମଣକୁ ସିଡିଏମ୍‌ଓ ଡା. ରଂଜନ ପାଢ଼ୀ ନାପସନ୍ଦ କରିଥିବା ବେଳେ ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଅନ୍ୟପକ୍ଷରେ ଆକ୍ରମଣର ଶିକାର ହୋଇଥିବା ନର୍ସ ଶ୍ରୀମତୀ ହାତୀଙ୍କ କହିବା ଅନୁସାରେ, ଗତକାଲି ରାତିରେ ସେ ପ୍ରସୂତି ୱାର୍ଡରେ ଥିଲେ ସୁଦ୍ଧା ସମ୍ପୃକ୍ତ ପ୍ରସୂତିଙ୍କ ପରିବାରକୁ କିଏ ଲାଞ୍ଚ ମାଗିଥିଲେ ସେ ବିଷୟରେ କିଛି ଜାଣିନାହାନ୍ତି। ଏହାସତ୍ତ୍ବେ ସେ ଆଜି ସକାଳେ ୱାର୍ଡରେ ପହଞ୍ଚିବା ପରେ ସମ୍ପୃକ୍ତ ପରିବାର ଲୋକ ତାଙ୍କ ରୋଗୀଙ୍କ ନିକଟକୁ ଡକାଇ ହଠାତ୍‌ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ସର୍ବସାଧାରଣରେ ୨୦ରୁ ୩୦ ଜଣ ଲୋକ ତାଙ୍କ ଡ୍ରେସ୍‌ ଚିରିଦେବା ସହ ବେକରେ ଥିବା ସୁନାଚେନ୍‌ ଓ ସୁନା ଚୁଡ଼ି ଛିଡ଼ାଇ ନେଇଯାଇଥିଲେ।

ସମ୍ବନ୍ଧିତ ଖବର