ବଦ୍ରି ପୁଅଙ୍କ ହିଂସାକାଣ୍ତ ସୀମା ଟପିଲା : ପିସିସି ସଭାପତିଙ୍କୁ ଆକ୍ରମଣ

ସମର୍ଥକଙ୍କୁ ମରଣାନ୍ତକ ଆକ୍ରମଣ, ଗୁଳିମାଡ଼୨୦ ଜଣ ଗୁରୁତର, ୬ କଟକ ସ୍ଥାନାନ୍ତର, ରମେଶ ଜେନା ବି ଆହତ, ୧୦ ଗାଡ଼ି ଭଙ୍ଗାରୁଜା

ଆନନ୍ଦପୁର : କେନ୍ଦୁଝରର ଘସିପୁରା ନିର୍ବାଚନମଣ୍ତଳୀରେ ହିଂସାକାଣ୍ତ ସୀମା ଟପିଛି। ପ୍ରଚାରର ଶେଷ ପର୍ଯ୍ୟାୟରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଓ ସମର୍ଥକମାନେ ପିସିସି ସଭାପତି ତଥା କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଆକ୍ରମଣ କରିଛନ୍ତି। ଅତର୍କିତ ଆକ୍ରମଣ ସାଙ୍ଗକୁ ଗୁଳିମାଡ଼ରେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଆକ୍ରମଣକାରୀମାନେ ୧୦ଟି ଚାରିଚକିଆ ଗାଡ଼ିକୁ ଭଙ୍ଗାରୁଜା କରିବା ସହିତ ଲୁଟ୍‌ପାଟ୍ କରିଥିବା ଅଭିଯୋଗ ହୋଇଛି।

ପିସିସି ସଭାପତିଙ୍କ କହିବା ଅନୁସାରେ, ସେମାନେ ଆଜି ଅପରାହ୍‌ଣରେ ଗଡ଼ବାନ୍ଧଗୋଡ଼ା ଗ୍ରାମର ଦାନ୍ତିଆ ଗ୍ରାମରୁ ପ୍ରଚାର ସାରି ରାମଚନ୍ଦ୍ରପୁର ଆଡ଼କୁ ଫେରୁଥିଲେ। ଫେରିବା ବାଟରେ ପ୍ରାୟ ସାଢ଼େ ୫ଟାବେଳେ ତାଙ୍କୁ ଭଣ୍ତାରିପଡ଼ା ଛକ ନିକଟରେ କେତେକ ଯୁବକ ଅଟକାଇଥିଲେ। ଶୋଭାଯାତ୍ରାରେ ଥିବା ଗୋଟିଏ ଗାଡ଼ିର ଚାବି ନେଇଯିବା ସହିତ ଡ୍ରାଇଭରଙ୍କୁ ମାଡ଼ ମାରିଥିଲେ। ସଂପୃକ୍ତ ଆକ୍ରମଣକାରୀ ଯୁବକମାନେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଫେରିଯିବାକୁ ଧମକ ଦେଇଥିଲେ।

ଏହି ସମୟରେ ଖବରପାଇ ରାମଚନ୍ଦ୍ରପୁର ଥାନା ଆଇଆଇସି ରାଜେନ୍ଦ୍ର କୁମାର ସ୍ବାଇଁ ସେଠାରେ ପହଞ୍ଚି ଗାଡ଼ିଗୁଡ଼ିକୁ ନେଇ ଆସିଥିଲେ। ସେଠାରୁ ତିନି କିଲୋମିଟର ଆସିବା ପରେ ନହଙ୍ଗିଛକ ନିକଟରେ ରାସ୍ତାରେ ଏକ ମେଟାଲ ଟ୍ରାକ୍ଟର ରଖି ଗାଡ଼ିଗୁଡ଼ିକୁ ପୁଣି ଅଟକାଇଥିଲେ। କେହି କିଛି ବୁଝିବା ପୂର୍ବରୁ ସମସ୍ତଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଥିଲା। ଗାଡ଼ିରେ ଥିବା କର୍ମୀମାନଙ୍କୁ ଘୋଷାଡ଼ି ଆଣି ଲୁହାରଡ୍‌, ଖଣ୍ତା, ଭୁଜାଲିରେ ଆକ୍ରମଣ କରିବା ସହିତ ନିସ୍ତୁକ ମାଡ଼ ମାରିଥିଲେ। ସମସ୍ତଙ୍କ ମୋବାଇଲ ଓ ପର୍ସ ମଧ୍ୟ ଛଡ଼ାଇ ନେଇଯାଇଥିଲେ। ଆକ୍ରମଣକାରୀମାନେ ନିରଞ୍ଜନଙ୍କ କାରର କାଚ ଭାଙ୍ଗିଦେଇଥିଲେ। ସେହି ଗାଡ଼ିରେ ବସିଥିବା କଂଗ୍ରେସର ପର୍ଯ୍ୟବେକ୍ଷକ ସାନଖେମୁଣ୍ତିର ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ ମାଡ଼ ମାରିଥିଲେ। ଫଳରେ ସେ ଆହତ ହୋଇଛନ୍ତି। ନିରଞ୍ଜନଙ୍କୁ ମଧ୍ୟ ସେମାନେ ଗାଳିଗୁଲଜ କରି ଠେଲାପେଲା କରିଥିଲେ। ଶୋଭାଯାତ୍ରାରେ ଥିବା ୧୦ଟି ଗାଡ଼ିକୁ ଭାଙ୍ଗି ପକାଇଥିଲେ।

ରାମଚନ୍ଦ୍ରପୁର ଥାନାରୁ ଅଧିକ ପୁଲିସ୍‌ ଫୋର୍ସ ପହ‌ଞ୍ଚିବା ପରେ ଆକ୍ରମଣକାରୀମାନେ ସେଠାରୁ ଫେରାର ହୋଇ ଯାଇଥିଲେ। ପୁଲିସ୍‌ ପିସିସି ସଭାପତିଙ୍କ ସମେତ ଆହତମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ତ ଡାକ୍ତରଖାନାରେ ଭର୍ତ୍ତି କରିଛି। ଅନ୍ୟ ଆହତଙ୍କ ମଧ୍ୟରେ ସଦାନନ୍ଦ ନାୟକ, ପ୍ରଦୀପ ଜେନା, ବ୍ରଜବନ୍ଧୁ ବେହେରା, ସିକୁଲ ଦାସ, କାଳନ୍ଦୀ ରାଉତଙ୍କୁ ଚିକିତ୍ସାପାଇଁ ଆନନ୍ଦପୁର ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ଅନ୍ୟ କେତେଜଣ ଆହତ ହୋଇଥିଲେ ବି ପ୍ରାଣ ବିକଳରେ ଘଟଣାସ୍ଥଳରୁ ପଳାଇଯାଇଥି‌ବା ଜଣାପଡ଼ିଛି।

ଏହି ଆକ୍ରମଣ ଘଟଣାରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ତିନିପୁଅ ଦେବାଶିଷ ପାତ୍ର, ଦେବପ୍ରିୟ ପାତ୍ର, ପ୍ରିୟଦର୍ଶୀ ପାତ୍ର, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅକ୍ଷୟ ସାହୁ, ତାଙ୍କ ଭାଇ ପ୍ରଦୀପ ସାହୁ, ପୂର୍ବତନ ସରପ‌ଞ୍ଚ ସୁଶାନ୍ତ ବିଶ୍ବାଳଙ୍କ ସମେତ ୩୦ରୁ ଅଧିକ ସ୍ଥାନୀୟ ଲୋକ ସାମିଲ ଥିବା ନେଇ ପ୍ରକାଶ କରିଛନ୍ତି। ଏଭଳି ବର୍ବରୋଚିତ ଆକ୍ରମଣର ନିନ୍ଦା କରି ତୁରନ୍ତ ପୁଲିସ୍‌ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ନିରପେକ୍ଷ ମତଦାନ କରାଯିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

ପିସିସି ସଭାପତିଙ୍କ ଉପରେ ଆକ୍ରମଣ ଖବର ମିଳିବାପରେ ସ୍ଥାନୀୟ ଅ‌ଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଶତାଧିକ କଂଗ୍ରେସ ସମର୍ଥକଙ୍କ ସହିତ ଜନସାଧାରଣ ଡାକ୍ତଖାନାରେ ଆସି ପହଞ୍ଚିଛନ୍ତି।

ଏହି ଆକ୍ରମଣରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦୁଝର ଏସ୍‌ପି ଜୟନାରାୟଣ ପଙ୍କଜ ପ୍ରକାଶ କରିଛନ୍ତି। ପରିସ୍ଥିତି ଉପରେ ନଜର ରଖାଯାଇଥିବା ସେ ସୂଚନା ଦେଇଛନ୍ତି।

ତେବେ ରାତି ୧୧ଟା ସୁଦ୍ଧା ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିଥିବା ସୂଚନା ମିଳିଛି।

ପ୍ରକାଶଥାଉକି ଗତ ଗୁରୁବାର ମଧ୍ୟ ମନ୍ତ୍ରୀଙ୍କ ପୁଅଙ୍କ ଅପରାଧମୂଳକ କାର୍ଯ୍ୟ ସାମ୍ନାକୁ ଆସିଥିଲା। ସେ ରାମଚନ୍ଦ୍ରପୁର ଥାନା ଅଙ୍ଗାରୁଆ ଗ୍ରାମରେ ଜଣେ କଂଗ୍ରେସ କର୍ମୀଙ୍କ ପାଟିରେ ବନ୍ଧୁକ ପୂରାଇ ହତ୍ୟା ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ମନ୍ତ୍ରୀ ତଥା ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଓରଫ ଟୁଟୁଙ୍କ ନାମରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର