ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ କରି ଗାଡ଼ି ଛଡ଼େଇ ନେଲେ

କାର୍ଯ୍ୟାନୁଷ୍ଠାନ ବଦଳରେ ରଫାଦଫା ପାଇଁ ଉଦ୍ୟମ

ବ୍ରହ୍ମପୁର : ଖୋର୍ଦ୍ଧା, ଯାଜପୁର ପରେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ବେଆଇନ ମୋରମ୍‌ ଚାଲାଣକାରୀଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ବେଆଇନ ମୋରମ୍‌ ଚାଲାଣର ସୂଚନା ପାଇ ଚଢ଼ଉ କରିବାକୁ ଯାଇଥିବା ଅତିରିକ୍ତ ତହସିଲଦାରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଛି।

ଦିଗପହଣ୍ଡି ଅତିରିକ୍ତ ତହସିଲଦାର ସୌମ୍ୟକାନ୍ତ ସୌମ୍ୟଦର୍ଶୀ ଆଜି ସନ୍ଧ୍ୟାରେ ଦିଗପହଣ୍ଡି ନିକଟବର୍ତ୍ତୀ ଦେଖାଳି ଠାରୁ ବେଆଇନ ମୋରମ ଚାଲାଣ ହେଉଥିବା ଖବର ପାଇ ସେ ସଦଳବଳେ ଯାଇଥିଲେ। ପଦ୍ମନାଭପୁର ଠାରେ ମୋରମ ଟ୍ରାକ୍ଟର ଓ ଜେସିବିକୁ ରାସ୍ତା ଉପରେ ଅଟକାଇ ଗାଡ଼ି ଚାଲକଙ୍କ ଠାରୁ ମୋରମ୍‌ ଚାଲାଣର ଅନୁମତି ପତ୍ର ମାଗିଥିଲେ। ଚାଲକ କୌଣସି ବିଧିବଦ୍ଧ ନଥିପତ୍ର ଦେଖାଇ ନ ପାରି ଧମକଚମକ ଦେଇଥିଲେ। ପରେ ଅତିରିକ୍ତ ତହସିଲଦାର ଗାଡ଼ିଗୁଡ଼ିକୁ ଜବତ କରିବାକୁ ଉଦ୍ୟମ କରିବା ବେଳେ ସେଠାରେ ତାଙ୍କ ସମର୍ଥକ ଅତିରିକ୍ତ ତହସିଲଦାରଙ୍କୁ ଟଣାଓଟରା କରି ଜବତ ଟ୍ରାକ୍ଟର ଓ ଜେସିବି ଛଡ଼ାଇ ନେଇ ଯାଇଥିଲେ। ଆକ୍ରମଣ ନେଇ ଅତିରିକ୍ତ ତହସିଲଦାର ଫୋନ୍‌ ଯୋଗେ ଥାନାକୁ ଜଣାଇଥିଲେ। ଏହାପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି। ମାତ୍ର କିଛି କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଏହାକୁ ରଫାଦଫା କରିବାକୁ ଉଦ୍ୟମ ଚାଲିଛି। ଅଧିକ ସୂଚନା ପାଇଁ ଅତିରିକ୍ତ ତହସିଲଦାର ସୌମ୍ୟକାନ୍ତଙ୍କ ସହ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ବି ଏହା ସମ୍ଭବ ହୋଇ ନାହିଁ।

ଅନ୍ୟପକ୍ଷରେ ଏଭଳି ଅଭିଯୋଗ ହୋଇଥିବା କଥାକୁ ଦିଗପହଣ୍ଡି ଥାନା ଅଧିକାରୀ ଦେବାଶିଷ ମହାନ୍ତି ସ୍ୱୀକାର କରିଛନ୍ତି। ବିଡିଓ ପ୍ରତାପ ପ୍ରଧାନଙ୍କ ସହ ଏ ନେଇ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଘଟଣା ସେପରି କିଛି ବଡ଼ ନୁହେଁ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚିଛି ଓ ଆପୋସ ବୁଝାମଣା ଚାଲିଛି।

ସମ୍ବନ୍ଧିତ ଖବର