ଯାଜପୁରରେ ପୁଣି ମାତିଲେ ମାଫିଆ : ତହସିଲ୍‌ଦାରଙ୍କୁ ଆକ୍ରମଣ

ବ୍ୟାସନଗର : ଯାଜପୁର ଜିଲ୍ଲାରେ ପୁଣିଥରେ ସରକାରୀ ଅଧିକାରୀମାନଙ୍କୁ ଆକ୍ରମଣର ଶିକାର ହେବାକୁ ପଡ଼ିଛି। ବେଆଇନ୍‌ ମୋରମ୍‌ ଚାଲାଣକୁ ଅଟକାଇବାରୁ ତହସିଲଦାର୍‌ଙ୍କ ସମେତ ରାଜସ୍ୱ ବିଭାଗର ୩ କର୍ମଚାରୀଙ୍କୁ ଉତ୍ତ୍ୟକ୍ତ ଲୋକମାନେ ମାଡ଼ ମାରିଥିଲେ। ସେମାନଙ୍କୁ ପାଖାପଖି ୧ ଘଣ୍ଟା ଧରି ଅଟକ ରଖିଥିଲେ। ପୁଲିସ୍‌ ପହଞ୍ଚ ସେମାନଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣାରେ ୩ ଜଣ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି।

ପର୍ଯ୍ୟଟନସ୍ଥଳୀ ବ୍ୟାସସରୋବରସ୍ଥିତ ଜଗନ୍ନାଥ ମନ୍ଦିର ନିକଟରୁ ମୋରମ୍‌ ଉଠାଯାଉଥିବା ଖବର ପାଇ ଆଜି ବ୍ୟାସନଗର ତହସିଲ୍‌ଦାର୍‌ ସପନ ନନ୍ଦ ଚଢ଼ାଉ କରିଥିଲେ। ଗାଡ଼ି ଆଡ଼ ପକାଇ ଏକ ମୋରମ୍‌ ବୋଝେଇ ଟ୍ରାକ୍ଟରକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଟ୍ରାକ୍ଟର ମାଲିକ, ଯିଏ କି ନିଜେ ଗାଡ଼ି ନିଜେ ଚଳାଉଥିଲେ, ଅଟକକୁ ନମାନି ମୁଣ୍ଡମାଳସ୍ଥିତ ନିକଟକୁ ପଳାଇ ଆସିଥିଲେ। ତହସିଲ୍‌ଦାର୍‌ ଶ୍ରୀ ନନ୍ଦ, ଆର୍‌ଆଇ ସୁଜିତ ସାମଲ ଓ ଗାଡ଼ିର ଡ୍ରାଇଭର୍‌ ବିଜୟ ସେଠୀ ତାଙ୍କ ଘର ନିକଟକୁ ଆସି ଗାଡ଼ି ଜବତ କରିଥିଲେ। ଏହି ଘଟଣାକୁ ନେଇ ସେଠାରେ ଖଣ୍ଡଯୁଦ୍ଧ ହୋଇଥିଲା।

ବସ୍ତିର କିଛି ଲୋକ ଏକାଠି ହୋଇ ତହସିଲ୍‌ଦାର୍‌ ଶ୍ରୀ ନନ୍ଦ ଓ ଅନ୍ୟ ୨ ଜଣଙ୍କୂ ଅଟକ ରଖିବା ସହିତ ମାଡ଼ ମାରିଥିଲେ। ଦୀର୍ଘ ୧ ଘଣ୍ଟା ଧରି ଏହି ଗଣ୍ଡଗୋଳ ଚାଲିଥିଲା। ଏ ସମ୍ପର୍କରେ ଖବର ପାଇ ଯାଜପୁର ରୋଡ଼ ଥାନାଧିକାରୀ ଅମିତାଭ ମହାପାତ୍ରଙ୍କ ନେତୃତ୍ୱରେ ଏକ ପୁଲିସ୍‌ ଟିମ୍‌ ଲୋକଙ୍କ କବଳରୁ ୩ ଜଣଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ପୁଲିସ୍‌ ୩ ଜଣ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସେମାନେ ହେଲେ, ଟ୍ରାକ୍ଟର ମାଲିକ ତଥା ଡ୍ରାଇଭର ବାବୁଲି ମଲିକ(୪୦), ପ୍ରସନ୍ନ ମଲିକ (୧୮), ରାଜା ଦାସ(୩୦), ମଂଜୁଲତା ଜେନା (୪୫), ବବିତା ମଲିକ (୩୦) ଓ ଦେବକୀ ମଲିକ (୬୦)। ଅଭିଯୁକ୍ତମାନଙ୍କ ନାମରେ କେସ୍‌ ନଂ ୪୮/୧୮ରେ ଦଫା ୩୪୧, ୩୨୩, ୩୨୫, ୩୩୨, ୩୩୩, ୨୯୪, ୫୦୬, ୩୦୭,୩୪ଆଇପିସିରେ ମାମଲ ରୁଜୁ ହୋଇଛି। ଅପର ପକ୍ଷରୁ ମଧ୍ୟ ଥାନାରେ ବାବୁଲିଙ୍କ ପତ୍ନୀ ତନୁଜା ମଲିକ ତହସିଲଦାର ଶ୍ରୀ ନନ୍ଦଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଗାଡ଼ି ଜବତ ସହିତ ତାଙ୍କୁ ମାଡ଼ ମରାଯାଇଥିବା, ଏପରିକି ତାଙ୍କୁ ମଧ୍ୟ ଗାଳିଗୁଲଜ ହୋଇଥିବା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ସଂପର୍କରେ ତଦନ୍ତ କରି ନିଷ୍ପତ୍ତି ନିଆଯିବ ବୋଲି ଥାନାଧିକାରୀ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି।

ପ୍ରକାଶଥାଉକି, କିଛିଦିନ ତଳେ କୋରେଇର ଷଠିପୁରଠାରେ ଚଢ଼ଉ ସମୟରେ ବାଲିମାଫିଆମାନେ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଏପର୍ଯ୍ୟନ୍ତ ପୁଲିସ୍‌ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ସମ୍ବନ୍ଧିତ ଖବର