ସଙ୍ଗରୋଧ କେନ୍ଦ୍ର ଦାୟିତ୍ବରେ ଥିବା ଶିକ୍ଷକଙ୍କ ଉପରେ ଆକ୍ରମଣ ଘଟଣା : ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ବର : ସଙ୍ଗରୋଧ କେନ୍ଦ୍ରଗୁଡ଼ିକ ଦାୟିତ୍ବରେ ଥିବା ଶିକ୍ଷକ/ ଶିକ୍ଷୟିତ୍ରୀଙ୍କ ପ୍ରତି ଦୁର୍ବ୍ୟବହାର କଦାପି ବରଦାସ୍ତ କରାଯିବ ନାହିଁ। ଏପରି ଅସାମାଜିକ କାର୍ଯ୍ୟକଳାପ କରୁଥିବା ଲୋକମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କରୋନା ବିରୋଧରେ ଚାଲିଥିବା ସଂଗ୍ରାମରେ ରାଜ୍ୟର ୬୨ ହଜାର ୪୩୬ ଜଣ ଶିକ୍ଷକ/ ଶିକ୍ଷୟିତ୍ରୀ ନିୟୋଜିତ ହୋଇଛନ୍ତି। ସେମାନେ ପୂର୍ଣ୍ଣ ପ୍ରାଣରେ ନିଜକୁ ଉତ୍ସର୍ଗ କରି ଏହି କାମ କରୁଛନ୍ତି। ତେବେ ରାଜ୍ୟର କେତେକ ସଙ୍ଗରୋଧ କେନ୍ଦ୍ରରେ ଦାୟିତ୍ବ ନିର୍ବାହ କରୁଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଅସାମାଜିକ ବ୍ୟକ୍ତିମାନେ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଆସିଛି। ଏପରି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଏନେଇ ଓଷ୍ଟା ସମେତ ବିଭିନ୍ନ ଶିକ୍ଷକ ସଙ୍ଗଠନ ଆନ୍ଦୋଳନ କରିବାକୁ ଚେତାବନୀ ଦେବା ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି। ମନ୍ତ୍ରୀ ଶ୍ରୀ ଦାଶ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ସହ ଆଲୋଚନା କରିଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ୨୨ ତାରିଖରେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କ୍ଷେତ୍ରମୁଣ୍ଡାଳୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗନ୍ନାଥ ନାୟକଙ୍କୁ ଅସଦାଚରଣ କରାଯାଇଥିଲା। ସେହିପରି ୨୪ ତାରିଖରେ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ତୋଟାପଡା ଉଚ୍ଚ ବିଦ୍ୟାଳୟ କ୍ରୀଡା ଶିକ୍ଷକ ଲକ୍ଷ୍ମୀଧର ପରିଡାଙ୍କୁ ଶାରୀରିକ ନିର୍ଯାତନା ଦିଆଯିବା କଥା ପ୍ରଶାସନର ଦୃଷ୍ଟିଗୋଚର ହୋଇଛି। ଏସବୁ ଘଟଣାରେ ଅପରୋଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୁହାଯାଇଛି। ଶିକ୍ଷକ ସମାଜର ଉତ୍ସର୍ଗୀକୃତ ସେବା ମନୋଭାବ ପାଇଁ ସରକାର ଆଗକୁ ବଢ଼ୁଛନ୍ତି। ଏଣୁ ସେମାନେ ବିଚଳିତ ନ ହେବା ପାଇଁ ମନ୍ତ୍ରୀ ଶ୍ରୀ ଦାଶ ସେମାନଙ୍କୁ ପରାମର୍ଶ ଦେଇଛନ୍ତି।