ଉଷସୀ ମିଶ୍ରଙ୍କୁ ଆକ୍ରମଣ ଓ ଅସଦାଚରଣ ମାମଲା : ପୁଲିସ୍‌ର କାର୍ଯ୍ୟକଳାପକୁ ନେଇ ଉଦ୍‌ବେଗ

ଭୁବନେଶ୍ୱର : ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ମାମଲା ଭିନ୍ନ ମୋଡ଼ ନେଇଛି। ମୁଖ୍ୟ ଅଭିଯୁକ୍ତକୁ ପୁଲିସ୍‌ ଗିରଫ କରୁନଥିବାରୁ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ୍‌ର ଏତାଦୃଶ କାର୍ଯ୍ୟ କଳାପକୁ ସେ ପ୍ରତିବାଦ କରିବା ସହ ସୁରକ୍ଷା ନ ମିଳିଲେ ସେ ଅଭିନୟ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ପୁଲିସ୍‌ ଯାହାକୁ ଗିରଫ କରିଛି ସେ ମୁଖ୍ୟ ଅଭିଯୁକ୍ତ ନୁହନ୍ତି। ପୁଲିସ୍‌ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରମଣି ସାହୁଙ୍କର ଗାଡ଼ି ଚାଳକ ବୋଲି କହୁଛି। ମୁଖ୍ୟ ଅଭିଯୁକ୍ତ ହେଉଛି ଇନ୍ଦ୍ରମଣି ଓ ତାଙ୍କ ଦୁଇ ପୁଅ। ଏତଲାରେ ତାହା ମୁଁ ସ୍ପଷ୍ଟ କରିଥିଲେ ମଧ୍ୟ ତାଙ୍କୁ ଗିରଫ କରାଯାଉ ନାହିଁ। କାହିଁକି ତାଙ୍କୁ ଘଣ୍ଟ ଘୋଡା ଯାଉଛି ବା ଏହା ପଛରେ କି ଶକ୍ତି କାମ କରୁଛି ତାହା ମୋତେ ଆଶ୍ଚର୍ଯ୍ୟ କରିଛି।

ଏହି ଅଭିଯୁକ୍ତଙ୍କ ପଛରେ ଜଣେ ବଡ଼ ରାଜନୈତିକ ନେତାଙ୍କ ପୃଷ୍ଠପୋଷକତା ରହିଛି। ଯେଉଁ ଭଳି ପରିସ୍ଥିତିର ମୁଁ ସେଠାରେ ସାମ୍ନା କରିଛି ତାହା କେବଳ ମୁଁ ହିଁ ଜାଣିଛି। ଜଣେ ସାର୍ଟ ଭିଡ଼ୁଥିବା ବେଳେ ଜଣେ ପ୍ୟାଣ୍ଟ ଭିଡ଼ୁଛି। ଜଣେ ଚୁଟିକୁ ଧରି ମୁଥ ମାରୁଛି। ଆଉ ସେତେବେଳେ ଯେଉଁ ଭଳି ଭାଷାରେ ସେମାନେ ମୋତେ କହିଛନ୍ତି ତାହା ମୋତେ ଗଭୀର ମାନସିକ ଆଘାତ ଦେଇଛି। ଏଭଳି ଯଦି କାହା ରକ୍ତ ସମ୍ପର୍କୀୟଙ୍କ ସହ ଘଟିଥାନ୍ତା ତାହା କଣ ଗ୍ରହଣୀୟ ହୋଇଥାନ୍ତା! ଲାଗୁଛି ଯେମିତି ଏ ସବୁ ବିଧିବଦ୍ଧ ଷଡ଼ଯନ୍ତ୍ର କରାଯାଇଛି। ଏ ଯାବତ୍‌ ଯାତ୍ରାପାର୍ଟିର ମାଲିକମାନେ ଓ ଯାତ୍ରା ପାର୍ଟି ମାଲିକ ସଂଘ କାହିଁକି ନିରବ ଅଛନ୍ତି ସେ ନେଇ ସେ ପ୍ରଶ୍ନ କରିଛନ୍ତି। ସମସ୍ତ ମହିଳା କଳାକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏଣୁ ସୁରକ୍ଷା ନ ମିଳିବା ଯାଏଁ ମୁଁ ଯାତ୍ରାରେ ଅଭିନୟ କରିବି ନାହିଁ ବୋଲି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି। ଏଭଳି କହିବା ବେଳେ ଉଷସୀ ଭାବପ୍ରବଣ ହୋଇପଡ଼ିଥିବା ଦେଖାଯାଇଛି। ସେ କାନ୍ଦି ପକାଉଥିବା ବେଳେ ତାଙ୍କୁ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ବୁଝାଉଥିବା ପରିଲିକ୍ଷିତ ହୋଇଛି।

ସୁଚନାଯୋଗ୍ୟ ଯେ, ଉଷସୀ ଅନୁଗୁଳରେ ଏକ ଯାତ୍ରାରେ ଅଭିନୟ କରିବା ପାଇଁ ଯାଉଥିଲେ। ବାଟରେ ପ୍ରବଳ ଭିଡ଼ ହୋଇଥିଲା। ସେ ଗାଡ଼ିରୁ ଓହ୍ଲାଇ ଘଟଣା ସମ୍ବନ୍ଧରେ ପଚାରି ବୁଝିବା ବେଳେ ତାଙ୍କୁ ଜଣେ ଯୁବକ ଅସଦାଚରଣ କରିଥିଲେ। ସେଠାରେ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ପ୍ରକାଶ ପାଇଥିଲା। ଯୁବକ ଜଣକ ତାଙ୍କୁ ଅସଦାଚରଣ କରିଥିଲେ। ସେଠାରେ ଘଟଣା କୌଣସି ପ୍ରକାରରେ ସମାଧାନ ହୋଇଥିଲା। ଉଷସୀ ଯାତ୍ରାକୁ ଫେରିଥିଲେ। ହେଲେ ସେଠାରେ ସମ୍ପୃକ୍ତ ଯୁବକ ସହ ଅନ୍ୟମାନେ ପହଞ୍ଚି ଅସଦାଚରଣ କରିଥିଲେ। ସେଥିରେ ମୁଖ୍ୟ ଅଭିଯୁକ୍ତ ଥିଲେ ଇନ୍ଦ୍ରମଣୀ ସାହୁ। ତାଙ୍କ ସହିତ ତାଙ୍କ ଦୁଇ ପୁଅ ମିଶି ତାଙ୍କୁ ଆକ୍ରମଣ କରିବା ସହ ଅସଦାଚରଣ କରିଥିଲେ। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ଇନ୍ଦ୍ରମଣୀଙ୍କ ଗାଡ଼ି ଚାଳକଙ୍କୁ ଗିରଫ କରିଛି। ଇନ୍ଦ୍ରମଣୀଙ୍କୁ ଗିରଫ କରାଯାଇ ନାହିଁ।

ସମ୍ବନ୍ଧିତ ଖବର