ଅଭିନେତ୍ରୀଙ୍କୁ ଅସଦାଚରଣ ଘଟଣା : ପାଲଟା ଏତଲା, ଉଷସୀଙ୍କ ନାଁରେ ମାମଲା ରୁଜୁ

ତାଳଚେର : ଓଲିଉଡ଼୍‍ ଅଭିନେତ୍ରୀ ତଥା ଯାତ୍ରା କଳାକାର ଉଷସୀ ମିଶ୍ରଙ୍କୁ କଣିହାଁ ଥାନା ଡେରେଙ୍ଗ ଗାଁରେ ହୋଇଥିବା ଅସଦାଚରଣ ଘଟଣା ନୂଆ ମୋଡ଼ ନେଇଛି। ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରମଣି ସାହୁ ପାଲଟା ଅଭିଯୋଗ ଆଣିବା ପରେ ତାଳଚେର ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦେଶକ୍ରମେ ଆଜି ଉଷସୀଙ୍କ ନାଁରେ ପାଲଟା ମାମଲା ରୁଜୁ ହୋଇଛି।

ଅଭିଯୁକ୍ତ ଶ୍ରୀ ସାହୁ ଅଭିଯୋଗରେ ଦର୍ଶାଇଛନ୍ତି ଯେ ବାରଣ ସତ୍ତ୍ୱେ ଉଷସୀ ଭିଡ଼ ଭିତରକୁ କାର୍‌ ଆଣି ତାଙ୍କ ପାଦ ଉପରେ ଚଢ଼ାଇ ଦେଇଥିଲେ। ଏହାର ପ୍ରତିବାଦ କରିବାରୁ ସେ ତାଙ୍କୁ ଚପଲରେ ପିଟିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଉଷସୀଙ୍କ ଏତଲାକ୍ରମେ ପୁଲିସ ଅଭିଯୁକ୍ତ ବାପ ଓ ଦୁଇ ପୁଅଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ବେଳେ ପାଲଟା ଅଭିଯୋଗ କ୍ରମେ ଉଷସୀଙ୍କ ନାଁରେ ମାମଲା ରୁଜୁ ଘଟଣାକୁ ଜଟିଳ କରିଛି। ପୁଲିସ ଆଜି ଉଷସୀଙ୍କ ନାଁରେ କେସ୍‌ ନମ୍ବର ୫୬/୨୦୧୮, ଦଫା ୩୪୧, ୩୦୩, ୨୯୪, ୫୦୬ ଆଇପିସିରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୨୨ ତାରିଖ ରାତିରେ ଡେରେଙ୍ଗରେ ଅପେରାରେ ଅଭିନୟ ପାଇଁ ଯିବାବେଳେ ସେହି ଗାଁର ଇନ୍ଦ୍ରମଣି ସାହୁ, ତାଙ୍କର ଦୁଇ ପୁଅ ଓ ଗାଡ଼ି ଚାଳକ ତାଙ୍କୁ ଅସଦାଚରଣ ସହ ମାଡ଼ପିଟ କରିଥିବା ନେଇ ଉଷସୀ କଣିହାଁ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଗାଡ଼ି ଚାଳକଙ୍କୁ ଗିରଫ କରିଥିଲା। କିନ୍ତୁ ଅଭିଯୁକ୍ତ ବାପ, ଦୁଇ ପୁଅ ଫେରାର ହୋଇଯାଇଥିବାରୁ ପୁଲିସ ସେମାନଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରଖିଥିବାବେଳେ ଶ୍ରୀ ସାହୁ ପାଲଟା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର