ଦଶପଲ୍ଲା : ମହିଳାଙ୍କୁ ଓକିଲଙ୍କ ଧସ୍ତାଧସ୍ତିର ଭିଡିଓ ଭାଇରାଲ୍‌

ନୟାଗଡ଼ : ଦଶପଲ୍ଲା ଅଞ୍ଚଳରେ ଜଣେ ମହିଳାଙ୍କୁ ସର୍ବସମକ୍ଷରେ ଜଣେ ଓକିଲ ଦୁର୍ବ୍ୟବହାର ତଥା ଧସ୍ତାଧସ୍ତି କରିଥିବା ଭିଡିଓ ଭାଇରାଲ୍‌ ହୋଇଛି। ଘଟଣାଟି ଗତ ମାସ ୨୬ ତାରିଖରେ ଘଟିଥିବା ‌େବ‌ଳେ ଏ ନେଇ ମହିଳା ଜଣକ ଦଶପଲ୍ଲା ଥାନାରେ ଏତଲା ଦେଇଥିଲେ। କିନ୍ତୁ ଦଶପଲ୍ଲା ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ନିରବ ରହିଥିବା ଦେଖାଯାଇଛି।

ଅଭିଯୋଗ ଅନୁଯାୟୀ, ଦଶପଲ୍ଲା ଗା‌ଡ଼ିଆପଡ଼ା ଗ୍ରାମର ବବିତା ଗୁରୁଙ୍କ ସ୍ବାମୀ ଉତ୍ତମ ଗୁରୁ ଏକ ଅପରାଧିକ ଅଭିଯୋଗରେ ଜେଲ୍‌ରେ ଅଛନ୍ତି। ସ୍ବାମୀଙ୍କୁ ଜାମିନ୍ କରାଇ ଦେବା ପାଇଁ ବବିତା ଦଶପଲ୍ଲାର ଓକିଲ ହାଡ଼ିବନ୍ଧୁ ସାହୁଙ୍କୁ ଯୋଗାଯୋଗ କରିଥିଲେ। ହାଡ଼ିବନ୍ଧୁ ମଧ୍ୟ ଜାମିନ କରାଇଦେବା ‌ ପାଇଁ ତାଙ୍କ ଫି’ ବାବଦରେ ମହିଳାଙ୍କଠାରୁ ପ୍ରଥମେ ୬ ହଜାର ଟଙ୍କା‌ ନେଇଥିଲେ। କିନ୍ତୁ ମାମଲାର ଜଟିଳତା ଦୃଷ୍ଟିରୁ କାଳେ ଉତ୍ତମଙ୍କୁ ଜାମିନ ମିଳିପାରି ନ ଥିଲା। ମାମଲା ହାଇକୋର୍ଟକୁ ଚାଲିଯାଇଥିବାରୁ ଆଉ ଅଧିକ ଟଙ୍କା ଦେଲେ ଜାମିନ କରାଯାଇପାରିବ ବୋଲି ହାଡ଼ିବନ୍ଧୁ ଦାବି କରିଥିବା ବବିତା ଏତଲାରେ ଦର୍ଶା‌ଇଛନ୍ତି। ତେଣୁ ବବିତା ସ୍ବା‌ମୀଙ୍କ ଜାମିନ ପାଇଁ ଦେଇଥିବା ଡକ୍ୟୁମେଣ୍ଟ୍, ଚାର୍ଜସିଟ୍ ଆଦି ଫେରାଇବାକୁ କହିଥିଲେ। କିନ୍ତୁ ହାଡ଼ିବନ୍ଧୁ ଅରିଜିନାଲ ଡକ୍ୟୁମେଣ୍ଟ୍ ନ ଫେରାଇ ଏହ‌ାର ଫଟୋକପି (ନକଲ) ଫେରାଇବାକୁ କହି ଏକ ଦୋକାନରେ ଡକ୍ୟୁମେଣ୍ଟଗୁଡ଼ିକର ଫଟୋକପି କରାଉଥିଲେ। ଏହି ସମୟ‌ରେ ବବିତା ଦୋକାନୀଙ୍କ ହାତରୁ ଡକ୍ୟୁମେଣ୍ଟଗୁଡ଼ିକ ନେଇଯିବାରୁ, ଓକିଲ ହାଡ଼ିବନ୍ଧୁ ତାଙ୍କଠାରୁ ଜୋର୍‌ଜବରଦସ୍ତ ଡକ୍ୟୁମେଣ୍ଟ୍ ଛଡ଼ାଇନେଇ ତାଙ୍କୁ ଖରାପ ବ୍ୟବହାର କରିବା ଏବଂ ମହିଳାଙ୍କୁ ତ‌ଳେ ପକାଇ ଧସ୍ତାଧସ୍ତି କରୁଥିବା ଭାଇରାଲ ଭିଡିଓରେ ଦେଖାଯାଇଛି। ଏ ନେଇ ଓକିଲ ହାଡ଼ିବନ୍ଧୁଙ୍କୁ ପଚାରିବାରୁ, ସେ ଭିଡିଓରେ ଦେଖାଯାଉଥିବା ଘଟଣାକୁ ଖଣ୍ଡନ କରିଥିବା ବେଳେ, ‘ମହିଳା ଜଣକ ମତେ ଠେଲି ଦେଇ ମୋ ପକେଟରୁ ଟଙ୍କା ନେଇଯାଇଛନ୍ତି’ ବୋଲି ଅଭିଯୋଗ କରିବା ସହ, ‘ମୁଁ ଏତଲା ଦେଇଥିଲେ ମଧ୍ୟ ଦଶପଲ୍ଲା ପୁଲିସ ଚୁପ୍ ବସିଛି’’ ବୋଲି ସଫେଇ ଦେଇଛନ୍ତି। ଏ ସମ୍ପର୍କରେ ଏସ୍‌ପି ଶଶିଭୂଷଣ ଶତପଥୀ କହିଛନ୍ତି, ମହିଳାଙ୍କ ଏତଲା ଭିତ୍ତିରେ ଦଶପଲ୍ଲା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ସାରିଛି। ଏ ନେଇ ଆମେ ଚାର୍ଜସିଟ୍ ଖୁବ୍ ଶୀଘ୍ର ଦାଖଲ କରିବୁ।

ସମ୍ବନ୍ଧିତ ଖବର