ଡାଆଣୀ ସନ୍ଦେହରେ ମହିଳାଙ୍କୁ ଗୁଳି କରି ହତ୍ୟା ଉଦ୍ୟମ

ବିଶୋଇ : ଅନ୍ଧବିଶ୍ବାସକୁ ନେଇ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଘରେ ଶୋଇଥିବା ବେଳେ ଜଣେ ମହିଳାଙ୍କୁ ଡାଆଣୀ ସନ୍ଦେହରେ ତାଙ୍କ ଉପରକୁ ଗୁଳି ଚଳାଇଛି ଦୁର୍ବୃତ୍ତ। ଏଥିରେ ମହିଳା ଜଣକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଆହତ ମହିଳା ହେଲେ ଭାତଛତ୍ର ପଞ୍ଚାୟତ ତଲକବାଦୀ ଗ୍ରାମର ମାଇନ ହେମ୍ବ୍ରମ୍‌ (୪୨)। ଗତକାଲି ରାତିରେ ମାଇନ ନିଜ ସ୍ୱାମୀ ଓ ଝିଅ ସହିତ ଘରେ ଶୋଇଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ଘର ଉପରେ ଚଢ଼ିଥିଲା ଏବଂ ଫାଙ୍କ ଦେଇ ମାଇନଙ୍କ ଉପରକୁ ଗୁଳି କରିଥିଲା। ଗୁଳିଟି ମାଇନଙ୍କ ମୁଣ୍ଡ କଡ଼ରେ ବାଜିବାରୁ ସେ ଚିତ୍କାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମଣଦା ଓ ପରେ ବିଶୋଇ ଡାକ୍ତରଖାନା ନିଆଯାଇଥିଲା। ଡାଆଣୀ ସନ୍ଦେହରେ ମାଇନଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର