କୁନି ମୁଣ୍ଡରେ ଏତେ ରାଗ!

ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ଉନ୍ମତ୍ତ କାଣ୍ଡ
ପ୍ରଥମ ଶ୍ରେଣୀର ଛାତ୍ରକୁ ହତ୍ୟା ଉଦ୍ୟମ
ମରିଯାଇଛି ଭାବି ନାଳରେ ଫିଙ୍ଗିଦେଇଥିଲେ

କୋରାପୁଟ : ଛୋଟ ଛୁଆକୁ ଭଗବାନଙ୍କ ଚେହେରା ବୋଲି କେହି କେହି କହିଥାନ୍ତି। ସେମାନଙ୍କ ମନ ଯେମିତି କଅଁଳ, ଆଚରଣ ଓ ଉଚ୍ଚାରଣରେ ସେମିତି ପରିପୂର୍ଣ୍ଣତା ପ୍ରକାଶ ପାଇନଥାଏ। ହେଲେ ଛୋଟ ଛୁଆଙ୍କ ମୁଣ୍ଡରେ ପ୍ରତିଶୋଧର ନିଆଁ ଏମିତି ଚରିଲା ଯେ ନିଜ ବିଦ୍ୟାଳୟର ଜଣେ ଜୁନିଅର୍‌ ଛାତ୍ରକୁ ଜୀବନରେ ମାରିଦେବା ଲାଗି ଉଦ୍ୟମ କରିବା ପାଇଁ ସଂକଳ୍ପ ନେବେ, ଏକଥା ଅବିଶ୍ୱାସ ଲାଗିଲେ ବି ସତ।

କୋରାପୁଟ ଜିଲ୍ଲା ମହାଦେଇପୁଟ ଅଞ୍ଚଳର ଏକ ସେବାଶ୍ରମର ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ଗୁମର ଖୋଲି ପୁଲିସ ଆଜି ଏମିତି ଚାଞ୍ଚଲ୍ୟକର ତଥ୍ୟ ଦେଇଛି। ଛୋଟିଆ ଝଗଡ଼ାରୁ ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ୪ ଜଣ ଛାତ୍ର ସେହି ବିଦ୍ୟାଳୟର ପ୍ରଥମ ଶ୍ରେଣୀର ଜଣେ ଛାତ୍ରକୁ ମରଣାନ୍ତକ ଆକ୍ରମଣ କରିବା ପରେ ସେ ମରିଯାଇଛି ବୋଲି ଭାବି ଫିଙ୍ଗି ଚାଲିଯାଇଥିଲେ। ସୌଭାଗ୍ୟବଶତଃ, ଛାତ୍ରଟି ବଞ୍ଚିଯାଇଥିଲେ ହେଁ, ତା ଅବସ୍ଥା ସଂକଟାପନ୍ନ ରହିଛି। ସେମାନଙ୍କ ବିରୋଧରେ ଆଇପିସିର ୩୪୧, ୩୨୩, ୩୨୫, ୩୦୭ ଓ ୩୪ ଧାରା ଅନୁଯାୟୀ ମାମଲା ରୁଜୁ କରିବା ସହିତ ଜୁଭେନାଇଲ୍‌ ବୋର୍ଡ ସମ୍ମୁଖରେ ହାଜର କରିଛି।

ଉଲ୍ଲେଖଯୋଗ୍ୟ, କୋରାପୁଟ ଜିଲ୍ଲା ମହାଦେଇପୁଟ ଅଂଚଳରେ ଥିବା ଏକ ସେବାଶ୍ରମରେ ପ୍ରଥମ ଶ୍ରେଣୀ ପଢୁଥିବା ଜଣେ ଛାତ୍ର ସୂରଜ ଭୋଇ ଗତ ବୁଧବାର ଦିନ ନିଖୋଜ ହୋଇ ଯାଇଥିଲେ। ଏଥିନେଇ ସେବାଶ୍ରମ କର୍ତ୍ତୃପକ୍ଷ ଗୁରୁବାର ଦିନ ତାଙ୍କ ବାପା ନନ୍ଦପୁର ବ୍ଲକ ଉମ୍ବେଲ ଗ୍ରାମର ମହେଶ୍ୱର ଭୋଇଙ୍କୁ ଜଣାଇଥିଲେ। ଖୋଜାଖୋଜି କରିବା ପରେ ପାଚେରି ନିକଟରୁ ଗୁରୁବାର ମଧ୍ୟାହ୍ନରେ ସୂରଜଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କ ଦୁଇ ହାତ ଭାଙ୍ଗି ଯାଇଥିଲା ବେଳେ ମୁହଁ ଓ ଆଖିରେ ମଧ୍ୟ ଗଭୀର ଆଘାତ ଲାଗିଥିଲା। ଅଚେତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କୋରାପୁଟ ଏସଏଲନଏନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କର ଚିକିତ୍ସା କରାଯିବାର କିଛି ଘଣ୍ଟା ପରେ ଚେତା ଫେରିଥିଲା। ଛାତ୍ରଙ୍କ ପରିବାର ଏଥିନେଇ କୋରାପୁଟ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ କରିଥିଲା। ପରେ ଆକ୍ରମଣର ଗୁମର ଧୀରେ ଧୀରେ ଫିଟିଥିଲା।

ସେବାଶ୍ରମର କିଛି ଛାତ୍ର ତାଙ୍କୁ ଆକ୍ରମଣ କରିଥିବା ଆହତ ଛାତ୍ରଜଣଙ୍କ ପୁଲିସକୁ କହିଥିଲେ। ଏହି ଆଧାରରେ ପୁଲିସ ସେହି ସେବାଶ୍ରମକୁ ଯାଇ ତଥ୍ୟ ସଂଗ୍ରହ କରିଥିଲା। କିଛି ଛାତ୍ରଙ୍କୁ ପଚରାଉଚୁରା କରିବା ପରେ ସବୁ ସତ ସାମନାକୁ ଆସିଥିଲା।

ମିଳିଥିବା ସୂଚନା ଅନୁସାରେ, ସୂରଜଙ୍କ ସହିତ ଜଣେ ଚତୁର୍ଥ ଶ୍ରେଣୀର ପିଲାର ଝଗଡ଼ା ହୋଇଥିଲା। ଏହାକୁ କେନ୍ଦ୍ର କରି ସୂରଜ ଉପରେ ସେ ରାଗ ରଖିଥିଲା। ସୂରଜକୁ ପାନେ ଦେବା ପାଇଁ ଯୋଜନା କରିଥିଲା। ଏଥିପାଇଁ ସାଙ୍ଗ କରିଥିଲା ଆଉ ୩ଜଣଙ୍କୁ। ୪ଜଣ ଛାତ୍ର ମିଶି ବୁଧବାର ଦିନ ସୂରଜକୁ ବାହାରକୁ ଡାକିଥିଲେ। ସନ୍ଧ୍ୟା ହୋଇ ଆସୁଥିଲା ବେଳେ ଏହି ୪ଛାତ୍ର ମିଶି ସୂରଜକୁ ଆକ୍ରମଣ କରିଥିଲେ। ଏପରିକି ତା’ ଛାତିରେ ବସି ମୁହଁକୁ ପଥରରେ ଛେଚି ଦେଇଥିଲେ। ଦୁଇ ହାତକୁ ମୋଡି ଭାଙ୍ଗି ଦେଇଥିଲେ। ସୂରଜର ମୃତ୍ୟୁ ହୋଇଛି ଭାବି ଆକ୍ରମଣକାରୀ ଛାତ୍ରମାନେ ତାକୁ ଏକ ବୁଦା ମୂଳକୁ ଫିଙ୍ଗି ଦେଇ ସେବାଶ୍ରମକୁ ଫେରି ଯାଇଥିଲେ।

ଏପଟେ ରାତିସାରା ଶୀତ କାକରରେ ପଡିଥିଲେ ମଧ୍ୟ ସୌଭାଗ୍ୟବଶତଃ ବଂଚି ଯାଇଥିଲା ସୂରଜ। ପରଦିନ ପୂର୍ବାହ୍ନରେ ସୂରଜକୁ ଉଦ୍ଧାର କରାଯାଇଥିଲା। ଆକ୍ରମଣକାରୀଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଛି।

ଏ ସଂପର୍କରେ ସୂଚନା ଦେଇ କୋରାପୁଟ ଏସଡିପିଓ ବଳଭଦ୍ର ଦୀପ କହିଛନ୍ତି ଯେ, ସେବାଶ୍ରମର ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅନ୍ୟ ୪ଜଣ ଛାତ୍ର ଆକ୍ରମଣ କରିଛନ୍ତି। ଏଥିନେଇ ତଥ୍ୟ ପ୍ରମାଣ ମିଳିବା ପରେ ସେହି ୪ ଛାତ୍ରଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହଜାର କରାଯାଇଛି। ଏମାନଙ୍କ ଭିତରୁ ୨ଜଣ ଚତୁର୍ଥ ଶ୍ରେଣୀ ଓ ୨ଜଣ ପଞ୍ଚମ ଶ୍ରେଣୀର ଛାତ୍ର। ସେମାନଙ୍କ ବିରୋଧରେ ଆଇପିସିର ୩୪୧, ୩୨୩, ୩୨୫, ୩୦୭ ଓ ୩୪ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ଆଉ କାହାରି ସଂପୃକ୍ତି ରହିଛି କି ନାହିଁ ତାହାର ତଦନ୍ତ ଜାରି ରହିଛି ବୋଲି ଏସଡିପିଓ ଶ୍ରୀ ଦୀପ କହିଛନ୍ତି।

ସମ୍ବନ୍ଧିତ ଖବର