ମାଫିଆଙ୍କୁ ଗିରଫ ପାଇଁ ୪୮ ଘଣ୍ଟାର ମହଲତ

ଚଢ଼ଉ ବେଳେ ଅଧିକାରୀଙ୍କୁ ହତ୍ୟା ଉଦ୍ୟମ

ଆନ୍ଦୋଳନ ଧମକ ଦେଲା ଓଏଏସ୍‌ ଅଫିସର୍ସ ସଂଘ
ଚଢ଼ଉ ଜାରି, ପଥର ଓ ୩ ଟ୍ରକ୍‌ ଜବତ

ଖୋର୍ଧା : ଉଗ୍ରତାରା ଛକ ନିକଟରେ ଥିବା ଏକ ଖଣିରୁ ବେଆଇନ ମୋରମ୍‌ ଖୋଳାରେ ବ୍ୟବହୃତ ଗାଡ଼ି ଜବତ କରିବା ସମୟରେ ୩ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ହତ୍ୟା ଉଦ୍ୟମ କରାଯିବା ଘଟଣାରେ ଟାଙ୍ଗୀ ଥାନା ପୁଲିସ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା, ବଡ଼ପୋଖରିଆର ବୈକୁଣ୍ଠନାଥ ରଣବୀର। ଏନେଇ ପୁଲିସ ନମ୍ବର ୨୬/୧୮ରେ ଏକ ମାମଲା ରୁଜୁ କରି ବୈକୁଣ୍ଠନାଥକୁ କୋର୍ଟଚାଲାଣ କରାଯାଇଛି ବୋଲି ଏସପି ଦୀପ୍ତିରଂଜନ ରାୟ ପ୍ରକାଶ କରିଛନ୍ତି। ଏହାବ୍ୟତୀତ ଗୋଟିଏ ଟ୍ରକ୍‌ ଓ ୩ଟି ବାଇକ୍‌କୁ ଜବତ କରାଯାଇଛି। ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ ତନାଘନା ଚଳାଇଛି।

ଗତକାଲିର ଏହି ଘଟଣାକୁ ଓଏଏସ୍‌ ଅଫିସର ସଂଘ ଗୁରୁତ୍ୱର ସହ ନେଇଛି। ଏନେଇ ଜିଲ୍ଲାର ଓଏଏସ୍‌ ଅଫିସରମାନଙ୍କୁ ନେଇ ଆଜି ସନ୍ଧ୍ୟାରେ ଭୁବନେଶ୍ୱରର ସ୍ୱତନ୍ତ୍ର ସର୍କିଟ ହାଉସଠାରେ ଏକ ବୈଠକ ରାଜ୍ୟ ଓଏଏସ୍‌ ଅଫିସର୍‌ ସଂଘର ସଭାପତି ସରୋଜ କୁମାର ସାମଲଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୪୮ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ କରାନଗଲେ, ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଖୋର୍ଧା ଅତିରିକ୍ତ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ, ଖୋର୍ଧା ଉପ ଜିଲ୍ଲାପାଳ ସରୋଜ କୁମାର ସାହୁ, ଭୁବନେଶ୍ୱର ଉପଜିଲ୍ଲାପାଳ ମାନସ କୁମାର ସାମଲଙ୍କ ସମେତ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଯୋଗ ଦେଇ କର୍ତ୍ତବ୍ୟରତ ଅଫିସରମାନଙ୍କ ଉପରେ ବାରମ୍ବାର ଏଭଳି ଆକ୍ରମଣ ଘଟଣାକୁ ନିନ୍ଦା କରିଥିଲେ।

ଏସବୁ ସତ୍ତେ୍ଵ ଜିଲ୍ଲା ପ୍ରଶାସନ ପକ୍ଷରୁ ବେଆଇନ ମାଙ୍କଡ଼ା ପଥର ଓ ମୋରମ ଉତ୍ତୋଳନ କାର୍ଯ୍ୟ ଉପରେ ଚଢ଼ଉ ଅବ୍ୟାହତ ରଖାଯାଇଛି। ଟାଙ୍ଗୀ ତହସିଲ ଅନ୍ତର୍ଗତ ଦୀକ୍ଷିତପଡ଼ାରେ ଆଜି ମାଙ୍କଡ଼ା ପଥର ଖଣିରେ ଚଢ଼ଉ କରି ୨୦୦ ପଥର ଜବତ କରାଯାଇଥିବା ବେଳେ ପାତ୍ରପଡ଼ା-ରାମେଶ୍ୱର ରାସ୍ତାର କେତେକ ବେଆଇନ ଖଣି ଓ ଜଙ୍କିଆ ଅଞ୍ଚଳର କେତେକ ଖଣିରୁ ୩ଟି ଟ୍ରକ ଜବତ କରାଯାଇଛି।

ସୂଚନାଯୋଗ୍ୟ, ଖୋର୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଙ୍ଗୀ ତହସିଲଦାର ଆଶିଷ କୁମାର ଜେନା, ଖୋର୍ଧା ତହସିଲଦାର ଶୁଭେନ୍ଦ୍ର କୁମାର ସାମଲ ଓ ଚିଲିକାର ଅତିରିକ୍ତ ତହସିଲଦାର ପୃଥ୍ଵୀରାଜ ମଣ୍ଡଳଙ୍କ ନେତୃତ୍ଵରେ ରାଜସ୍ୱ ବିଭାଗ କର୍ମଚାରୀମାନେ ଗତକାଲି ଖୋର୍ଧା ଜିଲ୍ଲା ପାତ୍ରପଡ଼ାଠାରେ ଚାଲିଥିବା ବେଆଇନ ଖଣି ଉପରେ ଚଢ଼ଉ କରିଥିଲେ। ସେଠାରେ ବେଆଇନ ଖଣି କାର୍ଯ୍ୟରେ ଲିପ୍ତ ଗାଡ଼ିଗୁଡ଼ିକୁ ଜବତ କରି ଆଣୁଥିବା ସମୟରେ ନିରାକାରପୁର ଥାନା ଅନ୍ତର୍ଗତ ଉଗ୍ରତାରା ଛକ ନିକଟରେ ପଥର ମାଫିଆମାନେ ଜେସିବି ଚଢ଼ାଇ ଏହି ୩ ପ୍ରଶାସାନିକ ଅଧିକାରୀଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲେ। ସେମାନେ ସଂଘବଦ୍ଧ ଭାବେ ଆସି ଜବତ ଗାଡ଼ିଗୁଡ଼ିକୁ ମଧ୍ୟ ଛଡ଼ାଇ ନେଇଥିଲେ। ଏ ସଂପର୍କରେ ଗତକାଲି ବିଳମ୍ବିତ ରାତିରେ ଟାଙ୍ଗୀ ତହସିଲଦାର ଆଶିଷ କୁମାର ଜେନା ନିରାକାରପୁର ଥାନାରେ ଏକ ଲିଖିତ ଅଭିଯୋାଗ କରିଥିଲେ।

ସମ୍ବନ୍ଧିତ ଖବର