ଚଳନ୍ତା ଆମ୍ବୁଲାନ୍‌ସରେ ଦୁଷ୍କର୍ମ ଉଦ୍ୟମ

ଗାଡ଼ିିରୁ ଡେଇଁପଡ଼ିଲେ ଯୁବତୀ, ମେଡିକାଲ୍‌ରେ ଭର୍ତ୍ତି

୪ ଜଣଙ୍କୁ ନିସ୍ତୁକ ମାଡ଼, ମହୀଧରପୁର-ଅନୁଗୁଳ ରାସ୍ତାରୋକ

ବଅଁରପାଳ : ଜୀବନ ସହ ସଂଘର୍ଷ କରୁଥିବା ଭଉଣୀକୁ ନେଇ ମେଡିକାଲ୍‌ ଯାଇଥିଲେ। କିନ୍ତୁ ଘରକୁ ଫେରିଲା ବେଳକୁ ନିଜ ଜୀବନ ପଡ଼ିଗଲା ସଂକଟରେ। ଯାହା କେବେ କଳ୍ପନା କରିନଥିଲେ, ତାହା ହିଁ ଘଟିଲା। ଜୀବନ-ମୃତ୍ୟୁ ସଂଘର୍ଷର ସବୁଠୁ ସୁରକ୍ଷିତ ଯାନ କୁହାଯାଉଥିବା ଆମ୍ବୁଲାନ୍‌ସରେ ଜଣେ ୧୯ବର୍ଷୀୟ ଯୁବତୀଙ୍କ ସହିତ ଦୁଷ୍କର୍ମ ଉଦ୍ୟମ ହୋଇଛି। ଚାଳକ ଜଣକ କଟକରୁ ଅନୁଗୁଳ ନେଇ ଆସୁଥିବା ବେଳେ ଚଳନ୍ତା ଗାଡ଼ି ଭିତରେ ସଂପୃକ୍ତ ଝିଅ ସହିତ ଦୁଷ୍କର୍ମ ଉଦ୍ୟମ କରିଛନ୍ତି। କିନ୍ତୁ ଚାଳକଙ୍କ କବଳରୁ ନିଜ ଇଜ୍ଜତ ବଞ୍ଚାଇବା ପାଇଁ ପୀଡ଼ିତା ଜଣକ ଚଳନ୍ତା ଆମ୍ବୁଲାନ୍‌ସରୁ ଡେଇଁ ପଡ଼ିବା ଘଟଣା ଆଜି ସାଧାରଣରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଫୁଲପଡ଼ା ଛକଠାରୁ ମାତ୍ର ୫୦ମିଟର ଦୂରରୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୀଡ଼ିତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ପୀଡ଼ିତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସେ ଚାଲି ପାରୁନାହାନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ଚାଳକ ଓ ଅନ୍ୟ ସହଯୋଗୀଙ୍କୁ ଲୋକମାନେ କାବୁ କରି ନିସ୍ତୁକ ପିଟିବା ସହ ଆମ୍ବୁଲାନ୍‌ସ ଭଂଗାରୁଜା କରିଛନ୍ତି। ଏପରିକି ଏଭଳି ଲଜ୍ଜା ଜନକ ଘଟଣାର ପ୍ରତିବାଦରେ ଲୋକମାନେ ସଂଧ୍ୟାରେ ମହୀଧରପୁର-ଅନୁଗୁଳ ରାସ୍ତାକୁ ଅବରୋଧ କରିଥିଲେ। ବଅଁରପାଳ ଓ ଅନୁଗୁଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ୪ଜଣଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ଅଭିଯୁକ୍ତଙ୍କଠାରୁ ପୁଲିସ ଯୌନ ଉଦ୍ଦୀପନାକାରୀ ବଟିକା ଜବତ କରିଥିବା ସୂଚନା ମିଳିଛି।

ଜରପଡ଼ା ଥାନା ଅଂଚଳର ଏହି ପୀଡ଼ିତାଙ୍କ କହିବା ଅନୁସାରେ, ତାଙ୍କ ବଡ଼ ଭଉଣୀ ଅନୁଗୁଳ ସହରର ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସିତ ହେଉଥିଲେ। ଆଜି ଭଉଣୀଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ପଠାଇ ଦେଇଥିଲେ। ଏକ ଘରୋଇ ଆମ୍ବୁଲାନ୍‌ସରେ ସେ ଅସୁସ୍ଥ ଭଉଣୀକୁ ଧରି କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲ୍‌କୁ ଯାଇଥିଲେ। ସେଠାରେ ପରିବାର ବର୍ଗ ପହଞ୍ଚିବା ପରେ ସେହି ଆମ୍ବୁଲାନ୍‌ସରେ ସେ ଘରକୁ ଫେରିଥିଲେ। ଦିନ ପ୍ରାୟ ୨ଟା ବେଳେ କଟକରୁ ଆମ୍ବୁଲାନ୍‌ସରେ ଅନୁଗୁଳ ଅଭିମୁଖେ ବାହାରିଥିଲେ। ଆମ୍ବୁଲାନ୍‌ସ ଚାଳକ ପାଖ ଆଗ ସିଟ୍‌ରେ ସେ ବସିଥିଲେ। ତେବେ ରାସ୍ତାରେ ଭୁବନେଶ୍ୱରରେ ରୋଗୀ ଛାଡ଼ି ଆସୁଥିବା ଆଉ ଏକ ଆମ୍ବୁଲାନ୍‌ସ ସହିତ ଚାଳକର ଭେଟ ହୋଇଥିଲା। ଦୁଇ ଆମ୍ବୁଲାନ୍‌ସ ଚାଳକ ବାଟରେ କଥାବାର୍ତ୍ତା ହେବା ସହ ପ୍ରଚୁର ମଦ୍ୟପାନ କରିଥିଲେ ବୋଲି ପୀଡ଼ିତ ଜଣକ ଗଣମାଧ୍ୟମକୁ କହିଛନ୍ତି। ଚାଳକ ଜଣକ ମହୀଧରପୁର ଅନୁୁଗୁଳ ରାସ୍ତାରେ ମୋତେ ଟଣାଓଟରା କରିଥିଲା। ଏମିତିକି ଫୋନ୍‌ରେ କାହା ସହିତ ଟଙ୍କା ଡିଲ୍‌ କରୁଥିଲା। ତେଣୁ ମୁଁ ଭୟଭୀତ ହୋଇ ଫୁଲପଡ଼ା ଛକ ନିକଟରେ ଜୋର୍‌ରେ ପାଟି କରିବାରୁ ମୋ ପୋଷାକ ଧରି ଜୋର୍‌ରେ ଗାଡ଼ି ଚଳାଇଥିଲା। ତେଣୁ ମୁଁ ଚଳନ୍ତା ଗାଡ଼ିରୁ ଇଜ୍ଜତ ବଞ୍ଚାଇବା ପାଇଁ ଡେଇଁ ପଡ଼ିଲି ବୋଲି ପୀଡ଼ିତା ଜଣକ ଗଣମାଧ୍ୟମକୁ କହିଛନ୍ତି।

ଅନ୍ୟପକ୍ଷରେ ରାସ୍ତା କଡ଼ରୁ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଘଟଣା ବିଷୟରେ ଅବଗତ ହୋଇଥିଲେ। ଚାଳକ ଜଣକ କିନ୍ତୁ ଭୟଭୀତ ହୋଇ ଗାଡ଼ି ଜୋର୍‌ରେ ଚଳାଇ ସେଠାରୁ ଫେରାର୍‌ ହୋଇଯାଇଥିଲା। ଏହି ସମୟରେ ପଛରେ ଆସୁଥିବା ଆମ୍ବୁଲାନ୍‌ସଟି (ଓଡି୧୯ଏଚ୍‌-୫୩୬୨) ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲା। ତେଣୁ ଉତ୍ତ୍ୟକ୍ତ ଲୋକେ ଆମ୍ବୁଲାନ୍‌ସର ଗାଡ଼ି ଭଂଗାରୁଜା କରିବା ସହ ଚାଳକ ତାଳଚେର ଡଅଁରା ଅଂଚଳର ହେମନ୍ତ ବିଶ୍ୱାଳ, ଅନ୍ତର୍ଯ୍ୟାମୀ ବିଶ୍ୱାଳ ଓ ଟିକରପଡ଼ା ଜଗନ୍ନାଥପୁରର ଦୀପକ ଦେହୁରୀଙ୍କୁ ନିସ୍ତୁକ ପିଟି ଫୁଲପଡ଼ା ଛକ କୋଠଘରେ ଅଟକ ରଖିଥିଲେ। ଅନୁଗୁଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ସେପେଟ ଏଭଳି କାଣ୍ଡ ଭିଆଇ ଫେରାର୍‌ ହୋଇଯାଇଥିବା ଆଗ ଆମ୍ବୁଲାନ୍‌ସ(ଓଡି ୧୯ଡି ୩୨୨୬)କୁ ଲୋକେ ଛେଳିଆପଡ଼ାରେ କାବୁ କରିବା ସହ ଚାଳକ ଶାକସିଂହାର ଅବିନାଶ ପ୍ରଧାନଙ୍କୁ ମାଡ଼ ମାରିଥିଲେ। ଅନୁଗୁଳ ଥାନା ପୁଲିସ ତାଙ୍କୁ ମଧ୍ୟ ଛେଳିଆପଡ଼ାରୁ ଉଦ୍ଧାର କରି ଥାନାରେ ଅଟକ ରଖିଛି। ଅନ୍ୟପକ୍ଷରେ ଫୁଲପଡ଼ା ଲୋକଙ୍କ ମାଡ଼ର ଶିକାର ହୋଇଥିବା ହେମନ୍ତ, ଅନ୍ତର୍ଯ୍ୟାମୀ ଓ ଦୀପକ ବଅଁରପାଳ ଥାନାରେ ଲୋକଙ୍କ ବିରୋଧରେ ପାଲ୍‌ଟା ଏତଲା ଦେବାକୁ ଯାଇଛନ୍ତି।

ସମ୍ବନ୍ଧିତ ଖବର