ପିପିଲି ତହସିଲଦାରଙ୍କୁ ଟ୍ରକ୍‌ ଚଢାଇ ହତ୍ୟା ଉଦ୍ୟମ

ପିପିଲି : ପିପିଲି ଅଞ୍ଚଳରେ ପଥର ମାଫିଆମାନେ ଆଉ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି। ନିଜ ସ୍ୱାର୍ଥରେ ବାଧା ଉପୁଜିଲେ ସେମାନେ କେତେ ଭୟଙ୍କର ହୋଇ ପାରନ୍ତି ତାର ଆଜି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ଏକ ମାଙ୍କଡ଼ା ପଥର ବୋଝେଇ ଟ୍ରକକୁ ପିପିଲି ତହସିଲଦାର ଶ୍ରୀଧର ବିଶ୍ୱାଳ ଅଟକାଇବାରୁ ତାଙ୍କୁ ଟ୍ରକ ଚଢାଇ ହତ୍ୟା ଉଦ୍ୟମ କରାଯାଇଛି। ତେବେ ସୌଭାଗ୍ୟବଶତଃ ତହସିଲଦାର ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ପୁଲିସର ସମୟୋଚିତ ପଦକ୍ଷେପ ଯୋଗୁ ଯଦିଓ ଉକ୍ତ ଗାଡ଼ିଟି ଜବତ ହୋଇଛି ତେବେ ଗାଡ଼ି ଚାଳକ ଘଟଣାସ୍ଥଳରୁ ଖସିଯିବାରେ ସକ୍ଷମ ହୋଇଛି।

ଆଜି ସକାଳ ପ୍ରାୟ ୧୦ଟା ବେଳେ ଘଟିଥିଲା ଏହି ଘଟଣା। ତହସିଲଦାର ଶ୍ରୀ ବିଶ୍ୱାଳ ସରକାରୀ ଜିପରେ ଅଫିସ ଆସୁଥିବା ବେଳେ ପିପିଲି ହାଟଛକ ନିକଟରେ ତହସିଲଦାରଙ୍କ ଗାଡ଼ିକୁ ଏକ ଚୋରା ପଥର ବୋଝେଇ ୭୦୯ ମିନିଟ୍ରକ ଓଭରଟେକ୍‌ କରିଥିଲା। ତହସିଲଦାର ଶ୍ରୀ ବିଶ୍ୱାଳ ଉକ୍ତ ଗାଡ଼ିକୁ ପିଛା କରିଥିଲେ। ତେବେ ପଥର ବୋଝେଇ ମିନିଟ୍ରକ ଚାଳକ ଏହାକୁ ଭ୍ରୂକ୍ଷେପ ନ କରି ଦ୍ରୁତ ଗତିରେ ଖସିଯିବାକୁ ଉଦ୍ୟମ କରିବା ସମୟରେ ତହସିଲଦାର ଉକ୍ତ ଗାଡ଼ିକୁ ଗୋଡ଼ାଇଥିଲେ। ବ୍ଲକ ଛକ ନିକଟରେ ତହସିଲଦାର ଉକ୍ତ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ଟ୍ରକ ଚାଳକ ତହସିଲଦାରଙ୍କ ଜିପକୁ ଚଢାଇ ଦେବାକୁ ଏକାଧିକ ଥର ଉଦ୍ୟମ କରିଥିଲା। ତେବେ ତହସିଲଦାର ଶ୍ରୀ ବିଶ୍ୱାଳ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଛକାପଂଝା ଭିତରେ ତହସିଲଦାର ଉକ୍ତ ଗାଡ଼ିକୁ ପିଛା କରିବା ଦେଖି ମିନିଟ୍ରକ ଚାଳକ ରାସ୍ତା ପାର୍ଶ୍ୱରେ ଗାଡ଼ିକୁ ରଖି ଜଙ୍ଗଲିଆ ରାସ୍ତାରେ ଖସି ପଳାଇଥିଲା। ଏ ସଂକ୍ରାନ୍ତରେ କାର୍ଯ୍ୟାନୁଷ୍ଠାନ ପାଇଁ ପିପିଲି ଥାନାକୁ ତହସିଲଦାର ଶ୍ରୀ ବିଶ୍ୱାଳ ନିର୍ଦେଶ ଦେବା ପରେ ପୁଲିସ ଉକ୍ତ ଗାଡ଼ିକୁ ଜବତ କରିଥିଲା। ତହସିଲଦାର ଉକ୍ତ ଗାଡ଼ି ମାଲିକଙ୍କଠାରୁ ୪୦ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର