ବାରିପଦାରେ ଚଢ଼ଉ ଜୋରଦାର : ଅଟୋଚାଳକ ଉପରେ ୪୦ ,୫୦୦ ଟଙ୍କା ଜରିମାନା

ନମ୍ବର ପ୍ଲେଟ୍ କି କୌଣସି କାଗଜପତ୍ର ନ ଥିଲା, ମହିଳା ଚୋରକୁ ରାତିରେ ଅଟୋରେ ବୁଲାଉଥିଲା

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ କଡ଼ାକଡ଼ି ଲାଗୁ ହୋଇଛି ସଂଶୋଧିତ ମୋଟର ଯାନ ଆଇନ। ଏହି ସଂଶୋଧିତ ଆଇନ ଲାଗୁ ହେବା ଫଳରେ ବେଆଇନ କାର୍ଯ୍ୟରେ ଜଡ଼ିତ କିଛି ଗାଡ଼ି ମଧ୍ୟ ପୁଲିସ ଜାଲରେ ପଡ଼ୁଛନ୍ତି। ଏହି ନିୟମ ଲାଗୁ ହେବା ପରଦିନ ଅର୍ଥାତ ଚଳିତ ମାସ ୨ ରାତି ପ୍ରାୟ ୨ଟା ସମୟରେ ବାରିପଦା ଟାଉନ୍ ପୁଲିସର ଏକ ପାଟ୍ରୋଲିଂ ଦଳ ଏକ ନମ୍ବର ବିହୀନ ଅଟୋକୁ ଧରିଥିଲା। ଚେକିଂ ବେଳେ ଉକ୍ତ ଅଟୋର କୌଣସି କାଗଜପତ୍ର ନଥିବା ଦେଖିବାକୁ ମିଳିଥିଲା। ଡ୍ରାଇଭିଂ ଲାଇସେନ୍ସ୍, ପଞ୍ଜୀକରଣ ପ୍ରମାଣପତ୍ର, ବୀମା କିମ୍ବା ଅନ୍ୟାନ୍ୟ କୌଣସି କାଗଜପତ୍ର ନଥିଲା। ତେଣୁ ପୁଲିସ୍ ପାଟ୍ରୋଲିଂ ଟିମ୍ ଏବଂ ଜୁନିୟର୍ ଏମ୍‌ଭିଆଇ ଉକ୍ତ ଅଟୋ ଉପରେ ୪୦ହଜାର ୫୦୦ ଟଙ୍କାର ଜରିମାନା ଲଗାଇଥିଲେ। ଜବତ ଅଟୋଟି ବାରିପଦା ପୌରାଞ୍ଚଳ ବଡ଼ବଜାର ଅଞ୍ଚଳର ପ୍ରଦୀପ କୁମାର ସାହୁଙ୍କ ନାମରେ ରହିଥିବା ଜଣାପଡ଼ିଛି। ତେବେ ଅଟୋର କାଗଜପତ୍ର ଫାଇନାନ୍ସ କମ୍ପାନି ଦେଇନଥିବା ଅଟୋ ମାଲିକ ସୂଚନା ଦେଇଛନ୍ତି।

ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏହି ଅଟୋରେ ବାରିପଦାର ଜଣେ ପେସାଦାର ମହିଳା ଲୁଟେରା ପ୍ରାୟତଃ ସବୁ ରାତିରେ ବୁଲେ। ଏପରିକି ଅଟୋ ଜବତ ହେବା ଦିନ ମଧ୍ୟ ଏହି ମହିଳା ଲୁଟେରା ଜଣକ ସେହି ଅଟୋରେ ଥିଲେ ବୋଲି ପୁଲିସ ସୂଚନା ଦେଇଛି। ମହିଳା ଲୁଟେରାଙ୍କ ବ୍ୟାଗ୍‌ରୁ ଡକାୟତିରେ ବ୍ୟବହୃତ ସ୍କୃ ଡ୍ରାଇଭର୍ ମଧ୍ୟ ଜବତ କରାଯାଇଥିଲା। ଏହି ମହିଳା ଲୁଟେରାଙ୍କ ନାମରେ ପୂର୍ବରୁ ପ୍ରାୟ ୧୦ରୁ ଊର୍ଦ୍ଧ୍ବ ଚୋରି ମାମଲା ଥିବା ପୁଲିସ ସୂତ୍ରରୁ ପ୍ରକାଶ। ତେଣୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ଦ୍ବାରା ଅନ୍ତତଃ ବେଆଇନ୍ କାର୍ଯ୍ୟରେ ଲିପ୍ତ ଗାଡ଼ି ମଧ୍ୟ ଜବତ ହେଉଛି ବୋଲି ବାରିପଦା ଟାଉନ ଥାନା ପୁଲିସ ପ୍ରକାଶ କରିଛି।

ସେହିପରି ଚଳିତ ମାସ ୩ ତାରିଖରେ ଓଡି-୧୧-କ୍ୟୁ-୫୩୧୯ ନମ୍ବର ବିଶିଷ୍ଟ ଏକ ଅଟୋ ଗଣେଶ ଲଜ୍ ପାଖରେ ଥିବା ଏକ ଚା’ ଦୋକାନ ଭିତରକୁ ପଶି ଯାଇଥିଲା। ପୁଲିସ ତଦନ୍ତ କାଳରେ ଚାଳକ ଜଣକ ମଦ ପିଇଥିବା ଧରାପଡ଼ିଥିଲା। ତେଣୁ ଉକ୍ତ ଅଟୋର କାଗଜପତ୍ର ଆଦି ଯାଞ୍ଚ କରିବା ପରେ ୧୦ ହଜାର ଟଙ୍କାର ଜରିମାନା ଲଗାଯାଇଥିଲା। ଏହି ଅଟୋର ମାଲିକ ଉକ୍ତ ଜରିମାନା ରାଶି ପଇଠ କରି ଅଟୋଟିକୁ ଥାନାରୁ ନେଇଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର