ଚା’ରେ ନିଶା ଦେଇ ତିନି ଯୁବକଙ୍କୁ ଲୁଟିଲା ଅଟୋଚାଳକ : ପାହାଡ଼ ତଳୁ ଗୁରୁତର ଅବସ୍ଥାରେ ଉଦ୍ଧାର, ସମସ୍ତଙ୍କ ପକେଟରେ ଛାଡ଼ିଗଲା ୧୦ ଟଙ୍କା

ବେଲଗୁଣ୍ଠା : ଚାରେ ନିଶା ‌ଦେଇ ଅଟୋଚାଳକ ସବୁ ଲୁଟିନେଲା। ଆଉ ପକେଟ୍‌ରେ ୧୦ଟଙ୍କା ‌ଲେଖାଏଁ ଛାଡ଼ି ଚମ୍ପଟ୍ ମାରିଲା। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଓ ଭଞ୍ଜନଗର ଅଞ୍ଚଳରେ ଏଭଳି ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଲୁଟ୍‌ର ଶିକାର ୩ଜଣ ଯୁବକଙ୍କୁ ଆଜି ସକାଳେ ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ବଜ୍ରଗଡ ନିକଟ କିରାଖାଇ ପାହାଡ଼ ତଳ ଏକ ବୁଦାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନେ ହେଲେ, ଜଗନ୍ନାଥପ୍ରସାଦ ଥାନା ଗଣ୍ଡାଧର ଗ୍ରାମର ଚିକୁ ଗୌଡ଼(୨୧), ଚନ୍ଦନ ନାୟକ(୨୨) ଓ ନିକଟସ୍ଥ କୁଶପଲ୍ଲୀ ଗ୍ରାମର ବୁଲୁ ନାୟକ (୨୭)। ଗୁରୁତରଙ୍କୁ ଭଞ୍ଜନଗର ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ଗତକାଲି ରାତିରେ ଚିକୁ, ଚନ୍ଦନ ଓ ବୁଲୁ ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରୁ ଜଗନ୍ନାଥପ୍ରସାଦ ଆସିବା ପାଇଁ ଏକ ଘରୋଇ ବସ୍‌ରେ ଚଢ଼ିଥିଲେ। ହେଲେ ନିଦ ହୋଇଯାଇଥିବାରୁ ଜଗନ୍ନାଥପ୍ରସାଦ ବଦଳରେ ଆଜି ଭୋର୍ ସାଢ଼େ ୩ଟାରେ ଭଞ୍ଜନଗରରେ ଓହ୍ଲାଇଥିଲେ। ସେଠାରେ ଗାଡ଼ି ପାଇଁ ଅପେକ୍ଷା କରିଥିଲେ। ‌ଭୋର୍ ସା‌ଢ଼େ ୪ଟାରେ ଜଣେ ଅଟୋ ଡ୍ରାଇଭର୍ ସେମାନଙ୍କ ପାଖକୁ ଆସି ଓଡ଼ଗାଁ ଯାଉଛି ବୋଲି କହି ବିଶ୍ବାସ ଜମାଇଥିଲା। ଜଗନ୍ନାଥପ୍ରସାଦରେ ଛାଡ଼ିଦେବାକୁ କହି ସେମାନଙ୍କୁ ଅଟୋରେ ବସାଇଥିଲା। ଭୋର୍ ୫ଟାରେ ଅଟୋଚାଳକ ଜଣକ ବେଲଗୁଣ୍ଠାରେ ଚା’ ପିଇବାକୁ ଅଟକିଥିଲା। ଅଟୋରେ ବସିଥିବା ଉକ୍ତ ୩ଜଣ ଯୁବକଙ୍କୁ ଚା’ ଆଣି ଦେଇଥିଲା। ଏହାପରଠୁ କ’ଣ ଘଟିଥିଲା ସେମାନେ କିଛି ଜାଣି ନଥିଲେ।

ଆଜି ସକାଳ ପ୍ରାୟ ସାଢେ ୧୦ଟାରେ କିରାଖାଇ ପାହାଡ଼ ତଳ ବୁଦା ନିକଟରେ ତିନିଜଣଙ୍କୁ ଅଚେତ ଅବସ୍ଥାରେ ପଡ଼ିଥିବା ବଜ୍ରଗଡ଼ ଗ୍ରାମବାସୀ ଦେଖିଥିଲେ। ସଂଗେ ସଂଗେ ବେଲଗୁଣ୍ଠା ଫାଣ୍ଡି ପୁଲିସ ଓ ୧୦୮ ଆମ୍ବୁଲାନସ ସହ ଯୋଗାଯୋଗ କରାଯାଇଥିଲା। ପାଣି ସିଞ୍ଚିବା ପରେ ଚିକୁ ଓ ଚନ୍ଦନଙ୍କ ଚେତା ଫେରିଥିବା ବେଳେ ବୁଲୁ ଅଚେତ ହୋଇ ପଡ଼ିରହିଥିଲେ। ଆଉ ଚନ୍ଦନଙ୍କ ପାଖରେ ଥିବା ଗୋଟିଏ ଛୋଟ ମୋବାଇଲକୁ ଏକ ନମ୍ବରରେ ବାରମ୍ବାର କଲ୍ ଆସିବା ପରେ ଗ୍ରାମବାସୀ କଥାବାର୍ତ୍ତା ହୋଇ ସେମାନଙ୍କ ପରିଚୟ ଜାଣିଥିଲେ। ସମସ୍ତଙ୍କ ପକେଟରୁ କେବଳ ୧୦ ଟଙ୍କା ଲେଖାଏଁ ମିଳିଥିବା ସହ ଚିକିତ୍ସା ପାଇଁ ଭଞ୍ଜନଗର ଡାକ୍ତରଖାନାକୁ ପଠାଯାଇଥିଲା। ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ସଦଳବଳ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର