ହୀରାକୁଦରେ ଲାଗିବ ସ୍ବୟଂଚାଳିତ ଗେଟ୍

ଭୁବନେଶ୍ୱର : ହୀରାକୁଦରେ ସ୍ବୟଂଚାଳିତ ଗେଟ୍ ଲାଗିବ। ଗୋଟିଏ ସ୍ଥାନରୁ ହୀରାକୁଦରେ ଲାଗିଥିବା ଗେଟ୍‌ର ପରିଚାଳନା ହୋଇପାରିବ। ଏଥିପାଇଁ ଆବଶ୍ୟକ ସର୍ବେକ୍ଷଣ ଶେଷ ହୋଇଛି। ଏଥିପାଇଁ ୧୨୦ କୋଟି ଟଙ୍କା ଖର୍ଚ ହେବ। ସ୍ବିଜରଲାଣ୍ଡରେ ୨୬ଟି ବନ୍ଧରେ ଏଭଳି ସ୍ବୟଂଚାଳିତ ଗେଟ୍ ଲାଗିଥିବା ବେଳେ ଦେଶରେ କିଛି ବନ୍ଧରେ ମଧ୍ୟ ଏହା ଆରମ୍ଭ ହୋଇଛି। ମାତ୍ର ହୀରାକୁଦରେ ଲାଗିବାକୁ ଥିବା ସ୍ବୟଂଚାଳିତ ଗେଟ୍ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ହେବ। ଏଥିପାଇଁ ଏକାଧିକ କମ୍ପାନି ସହିତ ଆଲୋଚନା ଜାରି ରହିଛି ବୋଲି କହିଛନ୍ତି ରାଜ୍ୟ ଜଳସଂପଦ ବିଭାଗର ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା।

ଆଜି ଅନ୍ତର୍ଜାତୀୟ ବନ୍ଧ ସୁରକ୍ଷା ସମ୍ମିଳନୀ ଉପଲକ୍ଷେ କିଟ୍‌ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା କହିଲେ, ହୀରାକୁଦରେ ସ୍ବୟଂଚାଳିତ ଗେଟ୍ ସଫଳ ଭାବେ କାର୍ଯ୍ୟ କରିବା ପରେ ରାଜ୍ୟର ଅନ୍ୟ ବନ୍ଧଗୁଡ଼ିକରେ ଏହାର ନିର୍ମାଣ କରାଯିବ। ଯେଉଁ କମ୍ପାନି ଏହି ସ୍ବୟଂଚାଳିତ ଗେଟ୍ ଲଗାଇବ, କମ୍ପାନି ପକ୍ଷରୁ ରାଜ୍ୟର କର୍ମଚାରୀମାନଙ୍କୁ ତାଲିମ୍ ଦିଆଯିବ। ରକ୍ଷଣାବେକ୍ଷଣ ଦାୟିତ୍ବ ମଧ୍ୟ କମ୍ପାନି ବହନ କରିବ। ସେ ଆହୁରି ମଧ୍ୟ କହିଥିଲେ ଯେ ହୀରାକୁଦ ବନ୍ଧ ନିର୍ମାଣ ସମୟରେ ଏଥିରେ ୧୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବା ନେଇ ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ଆଗାମୀ ବର୍ଷଗୁଡ଼ିକରେ ହୀରାକୁଦ ଦେଇ ୨୪ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ଏହାକୁ ନଜରରେ ରଖି ଦୁଇଟି ସ୍ପିଲୱେ ନିର୍ମାଣ କରାଯିବ। ଏବେ ଆରମ୍ଭ ହୋଇଥିବା ସ୍ପିଲୱେ ଦେଇ ୩.୫ଲକ୍ଷ କ୍ୟୁସେକ୍ ଓ ଆଗକୁ ନିର୍ମାଣ ହେବାକୁ ଥିବା ସ୍ପିଲୱେରେ ୫.୫ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ। ଏଥିପାଇଁ ୪ଶହ କୋଟି ଟଙ୍କା ଖର୍ଚ କରାଯିବ। ଆସନ୍ତା ୨ବର୍ଷ ଭିତରେ ପ୍ରଥମ ସ୍ପିଲୱେ ନିର୍ମାଣ କାର୍ଯ୍ୟ ଶେଷ‌ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ବନ୍ଧ ସୁରକ୍ଷା ନେଇ ସ୍ବତନ୍ତ୍ର ବଜେଟ୍ ରଖିଛନ୍ତି।

କେନ୍ଦ୍ର ଜଳସଂପଦ ମନ୍ତ୍ରାଳୟର ସଚିବ ୟୁପି ସିଂହ କହିଲେ, ହୀରାକୁଦ ଓ ଅନ୍ୟାନ୍ୟ ବନ୍ଧ ପ୍ରତି କୌଣସି ବିପଦ ନାହିଁ। ବନ୍ଧ କାର୍ଯ୍ୟକ୍ଷମ ହେଲେ ତାହା ପଙ୍କରେ ଭରିବା ନିଶ୍ଚିତ। ହୀରାକୁଦ ବନ୍ଧ ପୋତି ହୋଇଯାଉଥିବା କୁହାଯାଉଥିଲେ ହେଁ ତାହାର ପଙ୍କ କାଢ଼ି ବନ୍ଧର ଜଳଧାରଣ କ୍ଷମତା ବଢ଼ାଇବା ସମ୍ଭବ ନୁହେଁ। ଯେତିକି ପଙ୍କ ବାହାରିବ, ତାହାକୁ ବାହାରେ ରଖିବା ପାଇଁ ଆବଶ୍ୟକ ସ୍ଥାନର ଅଭାବ ରହିଛି। ତେଣୁ ଯେତିକି ପାଣି ଆସୁଛି, ତାହାର କିଭଳି ଉପଯୁକ୍ତ ବ୍ୟବହାର ହୋଇପାରିବ, ତାହାକୁ ଗୁରୁତ୍ବ ଦିଆଯିବା ଆବଶ୍ୟକ। ଗୋଟିଏ ବର୍ଷରେ ସାଧାରଣ ଭାବେ ହୀରାକୁଦ ବନ୍ଧ ୪ଥର ପୂର୍ଣ୍ଣ ହୋଇଥାଏ। ଖରିଫ ଋତୁରେ ହୀରାକୁଦରେ ପାଣି ଆବଶ୍ୟକତାଠାରୁ କମ୍ ରହୁଥିବା କୁହାଯାଉଛି। ମାତ୍ର ଏହା ସେଭଳି ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି ଶ୍ରୀ ସିଂହ କହିଥିଲେ।

ସମ୍ବନ୍ଧିତ ଖବର