ମ୍ୟାଲେରିଆ, ଡାଇରିଆ ଓ ଡେଙ୍ଗୁ ସଚେତନତା ଅଭିଯାନ ଆରମ୍ଭ

ପ୍ରତ୍ୟେକ ଘରେ ଓଆରଏସ୍‌ ବାଣ୍ଟିବେ ଆଶା କର୍ମୀ, ଡାକ୍ତରଖାନାରେ ପ୍ରତିଷ୍ଠା ହେବ ଓଆରଏସ୍‌ ପ୍ରସ୍ତୁତି ପ୍ରଦର୍ଶନୀ କକ୍ଷ

ଭୁବନେଶ୍ୱର : ରାଜ୍ୟରେ ଆଜିଠାରୁ ସଶକ୍ତ ଡାଇରିଆ ନିୟନ୍ତ୍ରଣ ମାସ ଓ ମ୍ୟାଲେରିଆ, ଡାଇରିଆ ଓ ଡେଙ୍ଗୁ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା ଏହାକୁ ଉଦ୍‌ଘାଟନ କରିବା ସହିତ ଏ ନେଇ ଗ୍ରହଣ କରାଯିବାକୁ ଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସମୀକ୍ଷା କରିଛନ୍ତି।

ଆଜିଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆସନ୍ତା ସେପ୍ଟେମ୍ବର ମାସ ୧୯ତାରିଖ ପର୍ଯ୍ୟନ୍ତ ଚାଲିବ। ୩ମାସ ଧରି ରାଜ୍ୟର ୩୦ଟି ଜିଲ୍ଲା, ୫ଟି ମ୍ୟୁନସିପାଲଟି ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବ। ୨ଟି ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରାଯିବ। ପ୍ରଥମ ପର୍ଯ୍ୟାୟରେ ୨୦ଜୁନ୍‌ରୁ ୧୯ଜୁଲାଇ ମଧ୍ୟରେ ସଶକ୍ତ ଡାଇରିଆ ନିୟନ୍ତ୍ରଣ ମାସ ପାଳନ କରାଯିବ। ଏହି ସମୟରେ ଡାଇରିଆ ନିୟନ୍ତ୍ରଣ, ଏହାର ପ୍ରତିରୋଧ ଓ ପ୍ରତିଷେଧକ ଉପାୟ ସଂପର୍କରେ ଲୋକମାନଙ୍କୁ ସଚେତନ କରାଯିବ। ଆଶାକର୍ମୀମାନେ ଘରକୁ ଘର ବୁଲି ପ୍ରତ୍ୟେକ ଘରେ ଓଆରଏସ୍‌ ପ୍ୟାକେଟ ବାଣ୍ଟିବା ସହିତ କିଭଳି ଓ କେଉଁ ସମୟରେ ଏହାକୁ ବ୍ୟବହାର କରାଯିବ ତାହାକୁ ବୁଝାଇବେ। ଏହି ସମୟରେ ଯଦି ଆଶା କୌଣସି ଡାଇରିଆ କିମ୍ବା ମ୍ୟାଲେରିଆ ଆକ୍ରାନ୍ତଙ୍କ ରୋଗୀଙ୍କୁ ଚିହ୍ନଟ କରନ୍ତି ତେବେ ତାଙ୍କୁ ଆବଶ୍ୟକ ସେବା ପ୍ରଦାନ କରିବେ। ହାତଧୁଆ କୌଶଳ, ପାଇଖାନାର ବ୍ୟବହାର, ଖାଦ୍ୟ ରାନ୍ଧିବା ଓ ପରିଶିବା ସମୟରେ ଯତ୍ନ, ପରିବେଶ ପରିଷ୍କାର ଓ ପରିଚ୍ଛନ୍ନ ରଖବା ଓ ବିଶୁଦ୍ଧ ପାନୀୟ ଜଳ ପିଇବା ଆଦି ବିଷୟରେ ଲୋକମାନଙ୍କୁ ସଚେତନତା ବାର୍ତା ପ୍ରଦାନ କରିବେ। ଡାକ୍ତରଖାନାଗୁଡ଼ିକରେ ଓଆରଏସ୍‌ ପ୍ରସ୍ତୁତି ପ୍ରଦର୍ଶନୀ କକ୍ଷ ପ୍ରତିଷ୍ଠା କରାଯିବା ସହିତ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀମାନେ ଏଠାରେ ଲୋକମାନଙ୍କୁ ଓଆରଏସ୍‌ ପ୍ରସ୍ତୁତି ଶିକ୍ଷା ଦେବେ।

ଦ୍ୱିତୀୟ ପର୍ଯ୍ୟାୟରେ ମ୍ୟାଲେରିଆ, ଡେଙ୍ଗୁ ରୋଗର ପ୍ରତିକାର ଓ ଏହାର ନିୟନ୍ତ୍ରଣ ସଂପର୍କରେ ଲୋକମାନଙ୍କୁ ସଚେତନ କରାଯିବ। ଏହି ସମୟରେ ଆଶା, ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡ଼ି କର୍ମୀ ମିଳିତଭାବେ ତାଙ୍କ ଗାଁରେ ପ୍ରତି ସ୍କୁଲରେ ହାତଧୁଆ କୌଶଳ ପ୍ରଦର୍ଶନ କରିବେ। ପ୍ରତ୍ୟେକ ଗାଁ କଲ୍ୟାଣ ସମିତି ସ୍ତରରେ ସମୂହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ କୀଟନାଶକ ଉପଚାରିତ ମଶାରୀର ବ୍ୟବହାର ଓ ଯେଉଁ ମଶାରି କୀଟନାଶକରେ ବୁଡ଼ାଯାଇ ନାହିଁ ତାହାକୁ ବୁଡ଼ାଇ ଉପଚାର କରିବା ନିଶ୍ଚିତ କରିବେ।

ଏହି ଅଭିଯାନକୁ ସଫଳ କରିବା ପାଇଁ ରାଜ୍ୟସ୍ତରରୁ ଆରମ୍ଭ କରି ତୃଣମୂଳସ୍ତର ପର୍ଯ୍ୟନ୍ତ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବାକୁ ନିଷ୍ପତ୍ତି ହୋଇଛି। ଟିଭି, ଖବରକାଗଜ, ସାମାଜିକ ଗଣମାଧ୍ୟମ, ପାରମ୍ପରିକ ପ୍ରଚାର ପ୍ରସାର ବ୍ୟବସ୍ଥା, ସ୍ୱାସ୍ଥ୍ୟକାନ୍ଥ, ପ୍ରଚାର ପତ୍ର, ହୋର୍ଡିଂ, ସାପ୍ତାହିକ ହାଟ ଓ ମେଳା ମହୋତ୍ସବ ଆଦି ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ସଚେତନତା ବାର୍ତା ପ୍ରଚାର କରାଯିବ। ଲୋକଙ୍କ ସହିତ ଆଲୋଚନା କରି ଏହି ଅଭିଯାନକୁ ସଫଳ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଏହି ଅଭିଯାନରେ ଗୋଷ୍ଠୀର ସଂପୃକ୍ତି ଠିକଣା ଭାବେ କାର୍ଯ୍ୟକାରୀ କରିବା ଓ ତଦାରଖ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଡା.ମେହେର୍ଦା ନିର୍ଦେଶ ଦେଇଛନ୍ତି।

ଜାତୀୟ ସ୍ୱାସ୍ଥ୍ୟ ମିସନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମର ନିର୍ଦେଶିକା ଅର୍ଚନା ପଟ୍ଟନାୟକ, ସ୍ୱାସ୍ଥ୍ୟସେବା ନିର୍ଦେଶକ ଡା.ବି.କେ ବ୍ରହ୍ମା, ପରିବାର କଲ୍ୟାଣ ନିର୍ଦେଶକ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର