ଗ୍ରାମାଞ୍ଚଳରେ ବଦଳିଲା ଚିତ୍ର : ହିତାଧିକାରୀଙ୍କ ଘର ସମ୍ମୁଖରେ କର୍ମଚାରୀଙ୍କ ଧାରଣା

୫-ଟି ପ୍ରଭାବ: ଆବାସ ଗୃହ ନିର୍ମାଣ କାର୍ଯ୍ୟ ସାରିବାକୁ ଦାବି

ସାକ୍ଷୀଗୋପାଳ : ସମୟ ବଦଳୁଛି। ରାଜ୍ୟ ସରକାରଙ୍କ ୫-ଟି ପ୍ରଭାବ ପ୍ରଶାସନିକ କାର୍ଯ୍ୟକଳାପରେ ଅନୁଭୂତ ହେବାରେ ଲାଗିଛି। ଘରଟିଏ ପାଇବା ପାଇଁ ହିତାଧିକାରୀମାନଙ୍କୁ ପ୍ରଶାସନ ଓ ରାଜନେତାଙ୍କ ନିକଟକୁ ବାରମ୍ବାର ଦୌଡ଼ିବାକୁ ପଡ଼ିଥାଏ। ମାତ୍ର ହିତାଧିକାରୀ ପାଇଥିବା ଆବାସ ଗୃହ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ପାଇଁ ସରକାରୀ କର୍ମଚାରୀମାନେ ହିତାଧିକାରୀଙ୍କ ଘର ସମ୍ମୁଖରେ ବ୍ୟାନର୍‌ ମାରି ଧାରଣା ଦେଇଛନ୍ତି। ସତ୍ୟବାଦୀ ବ୍ଲକ୍‌ ବୀରରାମଚନ୍ଦ୍ରପୁର ପଞ୍ଚାୟତରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ବୀରରାମଚନ୍ଦ୍ରପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୩୫ ଜଣ ହିତାଧିକାରୀ ବାସଗୃହ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ୪୨ ଜଣ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଗୃହ ନିର୍ମାଣ କରିନାହାନ୍ତି। ବାରମ୍ବାର ନୋଟିସ୍‌ ଦିଆଯାଇଥିଲେ ମଧ୍ୟ ଏଥିପ୍ରତି ସଂପୃକ୍ତ ହିତାଧିକାରୀମାନେ ଗୁରୁତ୍ୱ ଦେଉ ନାହାନ୍ତି। ବିଡିଓ ସରୋଜ କୁମାର ଦତ୍ତ ବାଧ୍ୟ ହୋଇ ଘର କରି ନ ଥିବା ହିତାଧିକାରୀମାନଙ୍କ ଘର ସମ୍ମୁଖରେ ଧାରଣା ଦେବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବାଶିଷ ପଟ୍ଟନାୟକ, କାଦୁଆ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଚିନ୍ଦ୍ର ପ୍ରଧାନ, ଦୁଗଲ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ସାମର୍ଥା, ମଧୁବନ ପଞ୍ଚାୟତ ନିର୍ବାହୀ ଅଧିକାରୀ ପାର୍ଥସାରଥି ସେଠୀ, ପେଣ୍ଠପଡ଼ା ପଞ୍ଚାୟତ ନିର୍ବାହୀ ଅଧିକାରୀ ବନଲତା ଚିନେରା ଓ ବୀରରାମଚନ୍ଦ୍ରପୁର ପଞ୍ଚାୟତ ଗ୍ରାମ ରୋଜଗାର ସେବକ ଜଗବନ୍ଧୁ ମିଶ୍ର, ବୀରରାମଚନ୍ଦ୍ରପୁର ସରପଞ୍ଚ ପ୍ରସନ୍ନ କୁମାର ଷଡ଼ଙ୍ଗୀ ପ୍ରମୁଖ କିଛି ହିତାଧିକାରୀଙ୍କ ଘର ଆଗରେ ଧାରଣା ଦେଇଥିଲେ। ଦୁଇ ମାସ ମଧ୍ୟରେ ଆବାସ କାର୍ଯ୍ୟ ଶେଷ କରିବେ, ନଚେତ ସମସ୍ତ ଅର୍ଥ ଫେରସ୍ତ କରିବେ ବୋଲି ହିତାଧିକାରୀମାନେ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ କର୍ମଚାରୀମାନଙ୍କ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧିତ ଖବର