ରାଜନଗରରେ ସରକାରୀ ଆବାସ, କୋରେଇରେ ମନରେଗା ଘୋଟାଲା

ସ୍ୱାମୀ, ସ୍ତ୍ରୀଙ୍କୁ ଡବଲ ଉପହାର!

ରାଜନଗର : ରାଜନଗର ବ୍ଲକରେ ସରକାରୀ ଆବାସ ଯୋଜନାରେ ଆଖିବୁଜା କେଳେଙ୍କାରୀ ହୋଇଛି। ସରକାରୀ ନୀତି, ନିୟମ, ଆଇନ୍‌ କାନୁନ୍‌କୁ ଦଳିମକଚି ବଣ୍ଟା ଯାଇଛି ବିଜୁ ପକ୍କାଘର। ପୂର୍ବରୁ ସ୍ୱାମୀ ସରକାରୀ କୋଠା ପାଇଥିବାବେଳେ ଏବେ ସ୍ତ୍ରୀଙ୍କୁୁ ବିଜୁ ପକ୍କାଘର ଧରାଇ ଦିଆଯାଇଛି। ଏହି ବ୍ଲକ୍‌ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତରେ ଏବେ ତିନି ଯୋଡ଼ା ସ୍ୱାମୀ, ସ୍ତ୍ରୀ ଡବଲ କୋଠାଘର ପାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି।

ମିଳିଥିବା ତଥ୍ୟ ଅନୁସାରେ, ଏହି ପଞ୍ଚାୟତର ସହଦେବ ସାମଲ ୨୦୦୪-୦୫ ଆର୍ଥକବର୍ଷରେ ଇନ୍ଦିରାଆବାସ ପାଇଥିଲେ। ଏବେ ୨୦୧୬-୧୭ ଆର୍ଥକବର୍ଷରେ ତାଙ୍କ ସ୍ତ୍ରୀ ଶକୁନ୍ତଳାଙ୍କୁ ବିଜୁ ପକ୍କାଘର ପ୍ରଦାନ କରାଯାଇଛି। ଶକୁନ୍ତଳାଙ୍କୁ ବିଜୁ ପକ୍କାଘର ଦେବା ପାଇଁ ବିଡିଓ ୨୦୧୭ ମାର୍ଚ୍ଚ ୩୧ରେ ସ୍ୱୀକୃତି ପ୍ରଦାନ କରିଛନ୍ତି। ଅମୂଲ୍ୟ ଜେନାଙ୍କୁ ୨୦୦୭-୦୮ ରେ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରାଯାଇଥିଲା। ୨୦୧୬-୧୭ ଆର୍ଥକ ବର୍ଷରେ ଅମୂଲ୍ୟଙ୍କ ପତ୍ନୀ ନେପୁରୀଙ୍କୁ ବିଜୁ ପକ୍କାଘର ପ୍ରଦାନ କରାଯାଇଛି। ତାଙ୍କର ଘର ନିର୍ମାଣ ସଂପୂର୍ଣ୍ଣ ଦର୍ଶାଯାଇଛି। ସେହିପରି ଏହି ଗାଁର ଧନେଶ୍ୱର ରାଉତଙ୍କ ୨୦୦୮-୦୯ ଆର୍ଥକ ବର୍ଷରେ ଇନ୍ଦିରାଆବାସ ଯୋଗାଇ ଦିଆଯାଇଥିଲା। ୨୦୧୬-୧୭ ଆର୍ଥକ ବର୍ଷରେ ଧନେଶ୍ୱରଙ୍କ ପତ୍ନୀ ସାରିଆଙ୍କୁ ବିଜୁ ପକ୍କାଘର ପ୍ରଦାନ କରାଯାଇଛି। ୨୩ ମାର୍ଚ୍ଚ ୨୦୧୭ରେ ସାରିଆଙ୍କୁ ବିଜୁ ପକ୍କାଘର ଦିଆଯିବା ପାଇଁ ମଂଜୁରୀ ପ୍ରଦାନ କରାଯାଇଥିବା ବେଳେ ପ୍ରଥମକିସ୍ତି ଅର୍ଥ ୨୦୧୭ ଅଗଷ୍ଟ ୧୭ରେ ପ୍ରଦାନ କରାଯାଇଛି।

ବ୍ଲକ କାର୍ଯ୍ୟାଳୟରୁ ପୂର୍ବରୁ ସରକାରୀ କୋଠା ପାଇଥିବା ହିତାଧିକାରୀଙ୍କ ତାଲିକା ରହିଛି। ସରକାରୀ କୋଠା ପ୍ରଦାନ ପୂର୍ବରୁ ହିତାଧିକାରୀ କିମ୍ବା ତାଙ୍କ ସ୍ୱାମୀ/ସ୍ତ୍ରୀ ପୂର୍ବରୁୁ ସରକାରୀ କୋଠା ପାଇଛନ୍ତି କି ନାହିଁ ସେ ନେଇ ରେକର୍ଡ ଯାଞ୍ଚ ପରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଇଥାଏ। ସହଦେବ, ଅମୂଲ୍ୟ, ଧନେଶ୍ୱର ପୂର୍ବରୁ ସରକାରୀ କୋଠା ହାତେଇଥିବା ବେଳେ ଏବେ କିପରି ତାଙ୍କ ସ୍ତ୍ରୀମାନଙ୍କୁ ବିଜୁ ପକ୍କାଘର ପ୍ରଦାନ କରାଗଲା ଓ ତଦନ୍ତକାରୀ ଅଫିସର ଏହାକୁ ଜାଣିପାରିଲେ ନାହିଁ ଏ ନେଇ ସନ୍ଦେହ ପ୍ରକାଶ ପାଇଛି।

ଜିଆର୍‌ଏସ୍‌ଙ୍କ ପୁଅ ଦିନ ମଜୁରିଆ

କୋରେଇ : ଯାଜପୁର ଜିଲ୍ଲା କୋରେଇ ବ୍ଲକ୍‌ରେ ମନରେଗା ଯୋଜନାରେ ବଡ଼ଧରଣର ଦୁର୍ନୀତି ହୋଇଛି। ଜଣେ ଜିଆର୍‌ଏସ୍‌ଙ୍କ ପୁଅ ଦିନ ମଜୁରିଆ ହୋଇଥିବାବେଳେ କେନ୍ଦୁଝରର ଛାତ୍ର ବି ଏଠି କାମ କରିବା ସହିତ ମଜୁରି ନେଇଛନ୍ତି।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ବ୍ଲକ୍‌ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଜିଆର୍‌ଏସ୍‌ ସସ୍ମିତା ବେହେରା ଚଞ୍ଚକତା କରି ନିଜର କଲେଜ ପଢୁଆ ପୁଅକୁ ମଧ୍ୟ ମନରେଗାରେ ମୂଲିଆ ସଜାଇବାକୁ ପଛଘୁଞ୍ଚା ଦେଇନାହାନ୍ତି। ଶ୍ରୀମତୀ ବେହେରାଙ୍କ ପୁଅ ଆକାଶ କେନ୍ଦୁଝର ସ୍ଥିତ ଡିଡି କଲେଜରେ +୩ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ତାଙ୍କର କେନ୍ଦୁଝରସ୍ଥିତ ଏକ୍ସିସ୍‌ ବ୍ୟାଙ୍କ ଏକାଉଣ୍ଟରେ ଗତ ମଇ ମାସ ୨୧ ତାରିଖରେ ମଷ୍ଟରରୋଲ ସଂଖ୍ୟା-୧୦୬୪ ଜରିଆରେ ମୋଟ ୧୨ ଦିନର କାଯ୍ୟର୍ଦିବସ ପାଇଁ ୨୧୮୪ ଟଙ୍କା ପ୍ରଦାନ କରାଯାଇଥିବାର ଦର୍ଶାଯାଇଛି। ଏହିଭଳି ବହୁ ଭୂତ ଜବକାର୍ଡଧାରୀଙ୍କ ନାମରେ ଟଙ୍କା ଦିଆଯାଇଥିବା ସହିତ କେତେକ ଲୋକଙ୍କର ଜବକାର୍ଡ ନଥାଇ ମଧ୍ୟ ଟଙ୍କା ପ୍ରଦାନ କରାଯାଇଛି।

ଏହି ଘଟଣା ଜଣାପଡ଼ିବା ପରେ ବିଡିଓ ହେମନ୍ତ କୁମାର ବିହାରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେବେ, ସେ ଜାଣିଶୁଣି ଏପରି କିଛି କରି ନାହାନ୍ତି। ଭୁଲବଶତଃ ଏଭଳି ହୋଇଥିବା ଜିଆର୍‌ଏସ୍‌ ଶ୍ରୀମତୀ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର