ଆବାସ ନିର୍ମାଣରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ବିଫଳ : ମାଟିଆର ରାତି କଟେ ମଞ୍ଚାରେ

କେନ୍ଦୁଝର : ଗ୍ରାମାଞ୍ଚଳ ଗୃହ ନିର୍ମାଣ କ୍ଷେତ୍ରରେ ସଫଳତା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ହାତେଇଛି ରାଜ୍ୟସ୍ତରୀୟ ପୁରସ୍କାର। ହେଲେ ବାସ୍ତବ ଚିତ୍ର ଠିକ୍‌ ଓଲଟା। ଏଠି କିଏ ଘର ନାହିଁ ବୋଲି ମଞ୍ଚା ଉପରେ ରାତି କାଟୁଛି ତ ଆଉ କିଏ ପଲିଥିନ୍‌ ଟାଙ୍ଗି ରହୁଛି। ଏଭଳି କି ନିଜର ଘର ନଥିବାରୁ କେହି କେହି ପର ବାରଣ୍ଡାରେ ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି।

ମଞ୍ଚା ବାନ୍ଧି ରହିବାର ଦୃଶ୍ୟ କେନ୍ଦୁଝର ଜିଲ୍ଲାର ସଦର ବ୍ଳକରେ ରହିଛି ବରଦାପାଳ ପଞ୍ଚାୟତରେ ଦେଖିବାକୁ ମିଳିଛି। ଏହି ପଞ୍ଚାୟତରେ ରହିଛି ଉପର କୁସୁମିତା ଗାଁ। ଏହି ଗାଁରେ ରୁହନ୍ତି ମାଟିଆ ମୁଣ୍ଡା (୪୫)। ୪ ବର୍ଷ ତଳୁ ମାଟିଆଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇ ଯାଇଛି। ଘର ନଥିବାରୁ ନିଜର ଦୁଇ ଝିଅ ଏବଂ ପୁଅକୁ ମାମୁ ଘରେ ଛାଡ଼ି ଦେଇଛନ୍ତି। ସେମାନେ ମାମୁ ଘରେ କିଛି ଦିନ ଏବଂ ବାପା, ବିବାହିତ ଭାଇଙ୍କ ସହ ଖୋଲା ଆକାଶ ତଳେ ଆଉ କିଛି ଦିନ କାଟୁଛନ୍ତି। ତେବେ ଏ ସବୁ ଭିତରେ ମାଟିଆ ମୁଣ୍ଡା ବାରମ୍ବାର ପ୍ରଶାସନ ଓ ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ଘରଟିଏ ପାଇ ପାରିଲା ନାହିଁ। ସବୁ ଆଡୁ ନିରାଶ ହେବା ପରେ ସେ ନିଜ ପାଇଁ ଗଛରେ ତିଆରି କଲା ମଞ୍ଚାଟିଏ। ଗଛ ତଳେ ବାଡ ବୁଲାଇ ରୋଷେଇ ବ୍ୟବସ୍ଥା ବି କଲା। ଦିନ ଥାଉ ଥାଉ ଗଛ ମୂଳେ ରୋଷେଇ କରି ନିଜର ଖାଇବା ପିଇବା ସାରି ଦେଇ ସନ୍ଧ୍ୟା ବେଳକୁ ସେ ଚଢ଼ି ଯାଏ ଗଛକୁ। ଦିନରେ ତାଙ୍କର ପୁଅ ଝିଅ ତାଙ୍କ ପାଖରେ ସେଇ ଗଛ ମୂଳେ ଖାଇବା ପିଇବା କରୁଥିବା ବେଳେ ରାତିରେ କେବେ କେବେ ଗଛ ମଞ୍ଚାରେ ବାପାଙ୍କ ସହିତ ରୁହନ୍ତି ତ ଆଉ କେବେ ଦାଦା, ଜେଜଙ୍କ ପାଖରେ ରହି ଯାଆନ୍ତି।

ପ୍ରଶାସନିକ ଅବହେଳାରୁ ମାଟିଆ ମଞ୍ଚାରେ ରହିବାର ଦୁଇ ବର୍ଷ ପୂରଣ ହେଲାଣି। କିନ୍ତୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ତାଙ୍କୁୁ ଘରଟିଏ ଦେବାର ବ୍ୟବସ୍ଥା କରାଇପାରିଲେ ନାହିଁ। କେତେବେଳେ ପଟ୍ଟା ନ ଥିବାରୁ ଘର ଯୋଗାଇ ଦିଆଯାଇ ପାରୁନାହିଁ ବୋଲି କହୁଛନ୍ତି ତ କେତେବେଳେ ଅନ୍ୟ କିଛି ବାହାନା ଦେଖାଉଛନ୍ତି। ଘରଟିଏ ଦେବା ନେଇ ଯେତିକି ତତ୍ପରତା ଦେଖାଇବା କଥା, ତାହା ଦେଖାଇ ନାହିଁ। ଏ ସଂପର୍କରେ କେନ୍ଦୁଝର ବିଡ଼ିଓ ଆଦିକନ୍ଦ ବେହେରା କହିଛନ୍ତି ଯେ, ତାଙ୍କର ଜମି ପଟ୍ଟା ନ ଥିବାର ଗୃହ ଯୋଗାଇବାରେ ସମସ୍ୟା ହେଉଛି। ଗ୍ରାମାଞ୍ଚଳ ଗୃହ ନିର୍ମାଣ କ୍ଷେତ୍ରରେ କେନ୍ଦୁଝର କେମିତି ପଛରେ ପଡ଼ିଛି ସେ କ୍ଷେତ୍ରରେ ମାଟିଆ ମୁଣ୍ଡା ଏକ ଉଦାହରଣ। ସମଗ୍ର ଜିଲ୍ଲାରେ ବିଜୁ ପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଜୁ ପକ୍କାଘର ଯୋଜନା( ମାଇନିଂ), ବିଜୁ ପକ୍କା ଘର ଯୋଜନା( ସ୍ୱତନ୍ତ୍ର)ରେ ବି ୫୦ ପ୍ରତିଶତ ଲକ୍ଷ୍ୟ ପୂରଣ କରିବାରେ ସଫଳ ହୋଇନାହିଁ ଜିଲ୍ଲା ପ୍ରଶାସନ। ଗତ ଏପ୍ରିଲ ୪ ଓ ୫ ତାରିଖରେ ଦୁଇଦିନିଆ ଗସ୍ତରେ ଆସିଥିଲେ ସ୍କିଲ ଡେଭଲପମେଣ୍ଟ ସଚିବ ସଞ୍ଜୟ ସିଂ। ସେ ରାଜ୍ୟ ସରକାରଙ୍କୁ ଗତ ଜୁନ୍‌ ୫ ତାରିଖରେ କେନ୍ଦୁଝରରେ ଗ୍ରାମାଞ୍ଚଳ ଗୃହ ନିର୍ମାଣ ନେଇ ଦେଇଥିବା ରିପୋର୍ଟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏହି ରିପୋର୍ଟ ଅଧାରାରେ ୨୦୧୬-୧୭ ମସିହାରେ କେନ୍ଦୁଝର ଜିଲ୍ଲାରେ ୨୪୮୩ଟି ବିଜୁ ପକ୍କା ଘର ନିର୍ମାଣ ପାଇଁ ଲକ୍ଷ୍ୟ ଥିଲା। ମାତ୍ର ଏହି ଯୋଜନାରେ ୫୦ ପ୍ରତିଶତ ଅର୍ଥାତ ୧୪୭୪ଟି ଗୃହ ତିଆରି କରିବାରେ ସଫଳ ହୋଇଛି ପ୍ରଶାସନ। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜାନରେ ମୋଟ ୨୦ ହଜାର ୪୪୪ଟି ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇ ଥିବା ବେଳେ ତିଆରି ହୋଇଛି ୬ ହଜାର ୨୧୦ଟି ଗୃହ ଅନ୍ୟପକ୍ଷରେ, ଯେଉଁଠି ବିଫଳ ହୋଇଛି ତା’ ଭିତରେ ରହିଛି ମାଟିଆଙ୍କ ଘଟଣା ଭଳି କରୁଣ ଚିତ୍ର। ଯାହାକି, ଯୋଜନାର ବାସ୍ତବ ରୂପରେଖକୁ ପଦାରେ ପକାଇ ଦେଇଛି।

ସମ୍ବନ୍ଧିତ ଖବର