ଦଶପଲ୍ଲା : ସ୍ବାମୀଙ୍କ ମୃତ୍ୟୁ ପରେ ୩ ଛୁଆ ଓ ଭିନ୍ନକ୍ଷମ ଶାଶୂଙ୍କୁ ଧରି ଦଦରା କୁଡ଼ିଆ ଭିତରେ ପଡ଼ିରହିଛନ୍ତି ତପସ୍ୟା ନାୟକ (୩୫)। ଦଶପଲ୍ଲା ବ୍ଲକ୍ କାର୍ଯ୍ୟାଳୟଠାରୁ ମାତ୍ର ୮ କିମି ଦୂର ସରିଗଣ୍ତା ପଞ୍ଚାୟତ ତଥା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ କୁଆଁରିଆ ଛକଠାରେ ଏଭଳି ଏକ ପରିବାର ବାସ କରୁଛନ୍ତି। ପ୍ରତି ବର୍ଷ ସରକାରଙ୍କ ପକ୍ଷରୁ ହଜାର ହଜାର ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ଆବାସ ଯୋଗାଇ ଦିଆଯିବା ସହ ଭୂମିହୀନମାନଙ୍କୁ ଘରଡିହ ପଟ୍ଟା ଯୋଗାଇ ଦିଆଯାଉଛି। ମାତ୍ର ଦ୍ବୀପ ତଳ ଅନ୍ଧାର ଭଳି ତପସ୍ୟାଙ୍କ ପ୍ରତି ପ୍ରଶାସନିକ ଅଧିକାରୀଙ୍କ ବୈମାତୃକ ମନୋଭାବ, ସରକାରୀ ଯୋଜନା ପ୍ରତି ପ୍ରଶ୍ନବାଚୀ ଠିଆ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ତପସ୍ୟାଙ୍କ କହିବା ଅନୁଯାୟୀ ସ୍ବାମୀ ଜଗବନ୍ଧୁ ନାୟକ ରୋଗରେ ପୀଡ଼ିତ ହୋଇ ଅର୍ଥ ଅଭାବରୁ ମୃତ୍ୟୁ ହୋଇଛି। ମାତ୍ର ସ୍ବାମୀଙ୍କ ମୃତ୍ୟୁ ପରେ ୩ ପୁଅ ଓ ଭିନ୍ନକ୍ଷମ ଶାଶୂଙ୍କୁ ଧରି ଚଳିବା କଷ୍ଟକର ହୋଇପଡୁଛି। ଭିନ୍ନକ୍ଷମ ଶାଶୂ ଗୁଡ଼ିକା ବେୱା କୌଣସି କାର୍ଯ୍ୟ କରିବା ପାଇଁ ଅସମର୍ଥ। ବଡ଼ପୁଅ ଦଣ୍ତପାଣି (୧୨) ୭ମ ଓ ମଝିଆ ପୁଅ ବିଶ୍ବଭୂଷଣ (୮) ୩ୟ ଶ୍ରେଣୀରେ ପାଠପଢ଼ୁଛି। ସାନପୁଅ ବିଶ୍ବନାଥକୁ ୫ ବର୍ଷ। ହେଲେ ସରକାରୀ ସହାୟତା କହିଲେ ୨୫ କିଗ୍ରା ଚାଉଳ। ଉଭୟଙ୍କୁ ମିଳୁଥିବା ଭତ୍ତା ଟଙ୍କାରେ ବହୁ କଷ୍ଟରେ ପରିବାର ଚଳୁଛି। ମାତ୍ର ମୁଣ୍ତ ଗୁଞ୍ଜି ରହିବାକୁ ସାହାରା ନାହିଁ। ଚାଳରେ ନଡ଼ା ନଥିବା ବେଳେ କାନ୍ଥରୁ ମାଟି ଝଡ଼ି ପଡିଲାଣି। ଦିନରେ ଖରା ସାଙ୍ଗକୁ ରାତିରେ ଜହ୍ନତାରା ଦେଖାଯାଉଛି। ଟୋପାଏ ବର୍ଷା ହେଲେ ଘରେ କାଦୁଅ ହେବା ସହ ପାଦ ଦେବା ଅସମ୍ଭବ ହୋଇ ପଡ଼ୁଛି। ହେଲେ ତାହାରି ମଧ୍ୟରେ ଭଗବାନଙ୍କୁ ଭରସା କରି ୩ ଛୁଆ ଓ ଶାଶୂଙ୍କୁ ଧରି ରହିଥିବା କହିଛନ୍ତି ତପସ୍ୟା। କିନ୍ତୁ ଜମି ପଟ୍ଟା ନଥିବା ହେତୁ ଆବାସ ମିଳି ପାରୁନଥିବା ସେ କହିଛନ୍ତି। ଏଥିପାଇଁ ବାରମ୍ବାର ତହସିଲ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବିଡିଓଙ୍କୁ ସାକ୍ଷାତ କରି ଦରଖାସ୍ତ କରିଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଉନଥିବା ସେ କହିଛନ୍ତି। ଏ ସମ୍ପର୍କରେ ତହସିଲଦାର ପ୍ରମୋଦ କୁମାର ଦଳବେହେରା କହିଛନ୍ତି, ଦରଖାସ୍ତ ଆସିଲେ ତୁରନ୍ତ ତାଙ୍କୁ ପଟ୍ଟା ଯୋଗାଇ ଦିଆଯିବ।