କଟକ ସହ କେନ୍ଦ୍ରାପଡ଼ାରେ ବି ଆବାସ ଦୁର୍ନୀତି : ‌କୋଠାଘର ଥାଇ ବି ଟଙ୍କା ମିଳିଛି

ହିତାଧିକାରୀ ତାଲିକାରେ ୨ ମୃତକ, ଶିକ୍ଷକ, କିରାଣିଙ୍କ ପତ୍ନୀ ହିତାଧିକାରୀ

କଟକ : କଟକ ଜିଲ୍ଲାରେ ମାହାଙ୍ଗା ପରେ ଏବେ ବଡମ୍ବା ବ୍ଳକ୍‌ରେ ଧରାପଡିଛି ଆବାସ କେଳେଙ୍କାରୀ। କୋଠାଘର ଥିବା ବ୍ୟକ୍ତିଙ୍କୁ ଚାଳଘର ଦର୍ଶାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆଯାଇଛି। ହିତାଧିକାରୀଙ୍କ ତାଲିକାରେ ୨ ଜଣ ମୃତବ୍ୟକ୍ତିଙ୍କ ନାମ ରହିଛି। ପୁଣି ପାଖାପାଖି ୬ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଏଭଳି ଘର ପାଇଁ ପ୍ରଥମ କିସ୍ତି ଟଙ୍କା ଆକାଉଣ୍ଟକୁ ଦିଆଯାଇଛି।

ସୂଚନା ଅନୁସାରେ, ବଡ଼ମ୍ବା ବ୍ଲକ୍‌ର ଯୋଡ଼ୁମ୍‌ ପଞ୍ଚାୟତରେ ଆବାସ ଦୁର୍ନୀତିକୁ ନେଇ ଅଭିଯୋଗ ହୋଇ ଆସୁଥିଲା। ଅଭିଯୋଗ ହେବା ପରେ ପଞ୍ଚାୟତିରାଜ ବିଭାଗ ଘଟଣାର ତଦନ୍ତ କରିବା ସହ ବିଡିଓ, ବ୍ଲକ୍‌ ଉପାଧ୍ୟକ୍ଷ, ଶଙ୍ଖାମେରୀ ସରପଞ୍ଚ ଓ ଗ୍ରାମସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିବା ସହ ସେମାନଙ୍କ ନାମରେ ବଡମ୍ବା ଥାନାରେ ଫୌଜଦାରୀ ମାମଲା ରୁଜୁ ହୋଇଥିଲା। ଏପରିକି ବିଡିଓ ମଧ୍ୟ ଦୀର୍ଘ ୩ମାସ ହେଲା ଘଟଣା ପରଠାରୁ ଛୁଟିରେ ଥିଲେ। ଏବେ ପୁଣି ଉକ୍ତ ବ୍ଲକ୍‌ର ଯୋଡୁମ୍‌ ପଞ୍ଚାୟତରୁ ଏଭଳି ଅଭିଯୋଗ ସାମ୍‌ନାକୁ ଆସିଛି। ଉକ୍ତ ପଞ୍ଚାୟତର ୬ ଜଣ ହିତାଧିକାରୀଙ୍କ ନାଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ରହିଥିଲା। ଏପରିକି ସେମାନଙ୍କୁ କାର୍ଯ୍ୟାଦେଶ ଦିଆଯାଇ ପ୍ରଥମ କିସ୍ତି ବାବଦକୁ ୨ହଜାର ଟଙ୍କା ଲେଖାଏଁ ଆକାଉଣ୍ଟକୁ ମଧ୍ୟ ପଠାଯାଇଥିଲା। ତେବେ କୋଠାଘର ଥିବା ସତ୍ତ୍ବେ କିପରି ଉକ୍ତ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଗଲା, ସେ ନେଇ ଅଭିଯୋଗ ଉଠିବା ପ‌ରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଏହି ଦୁର୍ନୀତି ଜଣାପଡ଼ିବା ପରେ ଶୁକ୍ରବାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ପ୍ରକଳ୍ପ ନିର୍ଦ୍ଦେଶକ ଯୋଡୁମ୍‌ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୟାମସୁନ୍ଦର ନାୟକଙ୍କୁ ଡିଆରଡିଏ ଡକାଇ ଘଟଣା‌ର ତଦନ୍ତ ଆରମ୍ଭ କରିଛନ୍ତି। କେଉଁଥି ପାଇଁ କୋଠାଘର ଥିଲାବାଲାଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇଥିଲା ଏବଂ ଏନେଇ କିଏ ନିର୍ଦ୍ଦେଶ ଦେଇଥିଲା ସେ ସଂପର୍କରେ ଲିଖିତ ଭାବେ ଜଣାଇବା ପାଇଁ ତା‌ଗିଦ୍‌ କରିଥିବା ଜଣାପଡିଛି।

ଶିକ୍ଷକ, କିରାଣିଙ୍କ ପତ୍ନୀ ହିତାଧିକାରୀ
କେନ୍ଦ୍ରାପଡ଼ା/ମହାକାଳପଡ଼ା : ସ୍ବାମୀ ସରକାରୀ ଚାକରିଆ। ସ୍କୁଲରେ ଶିକ୍ଷକତା କରୁଛନ୍ତି। କିନ୍ତୁ ପତ୍ନୀଙ୍କୁ ମିଳିଛି ଆବାସ ଯୋଜନାରେ କୋଠା। ଅନୁରୂପ ଭାବେ ସ୍ବାମୀ କିରାଣି ଚାକିରି କରିଥିବା ବେଳେ ପତ୍ନୀଙ୍କୁ ମିଳିଛି ଆବାସ। କେବଳ ଏହି ଦୁଇ ସରକାରୀ ଚାକିରିଆ ନୁହନ୍ତି; ଗୋଟିଏ ପଂଚାୟତର ବହୁସଂଖ୍ୟକ କୋଠାଘର ଥିବା ଅଯୋଗ୍ୟଙ୍କୁ ସବୁ ସରକାରୀ ନୀତି ନିୟମକୁ ଜଳାଞ୍ଜଳି ଦିଆଯାଇ ଯୋଜନାର ଲାଭାର୍ଥୀ ସଜାଇ ଦିଆଯାଇଛି। କେନ୍ଦ୍ରପଡ଼ା ଜିଲ୍ଲା ଅନ୍ତର୍ଗତ ମହାକାଳପଡ଼ା ବ୍ଲକ୍‌ରେ ଏଭଳି ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି।

ମହାକାଳପଡ଼ା ବ୍ଲକ୍‌ର ନାଞ୍ଜୁରା ପଂଚାୟତ ୨୦୧୭ ମସିହାରେ ଗଠନ ‌ହୋଇଛି। ଗତ ୨୦୧୭ରୁ ୨୦୧୯ ଡିସେମ୍ବର ସୁଦ୍ଧା ଆବାସ ଯୋଜନାରେ ୩୮୫ହିତାଧିକାରୀଙ୍କୁ ସାମିଲ୍ କରାଯାଇଛି। କିନ୍ତୁ ସେଥିରୁ ଅନେକ ଅଯୋଗ୍ୟ ହିତାଧିକାରୀ ଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା, ତାର ପ୍ରମାଣ ସମ୍ବାଦ ହାତରେ ଲାଗିଛି। ଦୋଳିଗାଁର କଲ୍ୟାଣୀ ନାୟକଙ୍କ ସ୍ବାମୀ ଉମାକାନ୍ତ ନାୟକ ସ୍ଥାନୀୟ ନୀଳକଣ୍ଠେଶ୍ବର ସାତମୌଜା ହାଇସ୍କୁଲର ଶିକ୍ଷକ ଅଛନ୍ତି। ଜଣେ ସରକାରୀ ଚାକିରିଆ ହୋଇ ସୁଦ୍ଧା ତାଙ୍କ ପତ୍ନୀ କଲ୍ୟାଣୀଙ୍କୁ ଆବାସ ଯୋଜନାରେ ଘର ମିଳିଛି। ଅନୁରୂପ ଭାବେ ସଂଜୟ ସ୍ବାଇଁ ସେହି ସ୍କୁଲରେ କିରାଣି ଥିବା ବେଳେ ତାଙ୍କ ପତ୍ନୀ ଶଶିରେଖା ସ୍ବାଇଁଙ୍କୁ ଆବାସରେ ସାମିଲ୍‌ କରାଯାଇ ୨ଟି କିସ୍ତି ବାବଦରେ ୫୦ହଜାର ଟଙ୍କା ମିଳିଛି। ଉଲ୍ଲେଖନୀୟ କଥା ହେଉଛି, ତାଲିକାରେ ଥିବା କଲ୍ୟାଣୀ ଓ ଶଶିରେଖାଙ୍କ ଠିକଣାରେ ସ୍ବାମୀଙ୍କ ନାଁ ଲେଖାଯାଇ ନାହିଁ। ଯେହେତୁ ସ୍ବାମୀ ସରକାରୀ ଚାକିରିଆ, ତେଣୁ କଲ୍ୟାଣୀଙ୍କ ଠିକଣାରେ ବାପଘରର ବାପାଙ୍କ ନାଁ  ବାସୁଦେବ ପାତ୍ର ଏବଂ ଶାଶୂ ସ୍ବର୍ଗତ ସତ୍ୟଭାମା ନାୟକ ଲେଖାଯାଇଥିବା ବେଳେ ଶଶିରେଖାଙ୍କ ଠିକଣାରେ ପିତା କାଳନ୍ଦୀ ପରିଡ଼ା ଏବଂ ଶାଶୂ ବସନ୍ତ ମଂଜରୀ ସ୍ବାଇଁ ‌ଉଲ୍ଲେଖ ରହିଛି। ଟଙ୍କା ପାଇବା ପରେ ଏମାନେ କେହି ଘର କରି ନାହାନ୍ତି। ଶଶିରେଖାଙ୍କ ପ୍ରାୟ ଦଶବର୍ଷ ତଳୁ କୋଠାଘର ଥିବା ବେଳେ କଲ୍ୟାଣୀଙ୍କର ଚାଳଘର ଅଛି। ମାତ୍ର ସରକାରୀ ଚାକିରିଆ ହୋଇଥିବା ବେଳେ ସେମାନଙ୍କ ପରିବାରକୁ କିଭଳି ଯୋଜନାରେ ସାମିଲ୍‌ କରାଗଲା ଏବଂ ବିଭାଗୀୟ କର୍ତୃପକ୍ଷ ବିନା ଯାଞ୍ଚରେ କିଭଳି କାର୍ଯ୍ୟାଦେଶ ଦେଲେ, ତାକୁ ନେଇ ପ୍ରଶ୍ନ ଉଠିଛି।

ଅନ୍ୟପକ୍ଷରେ ପଂଚାୟତ ନିର୍ବାହୀ ଅଧିକାରୀ ଅଲେଖ ପ୍ରଧାନ କହିଛନ୍ତି, ଯେଉଁମାନଙ୍କ ଘର ନାହିଁ, ସେମାନଙ୍କୁ ଆବାସରେ ଘର ମିଳିଛି। ଜିଓ ଟ୍ୟାଗ୍ ବଳରେ ହିତାଧିକାରୀ ଚୟନ କରାଯାଇଛି କହି ଦୁର୍ନୀତି ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି।

ସମ୍ବନ୍ଧିତ ଖବର