ଗୋଟିଏ ବିପିଏଲ୍‌ କାର୍ଡରେ ୪ ଆବାସ

ଦଶରଥପୁର : ଗୋଟିଏ ବିପିଏଲ୍‌ କାର୍ଡରେ ଚାରି ଚାରିଟି ଆବାସ ଯୋଗାଇ ଦିଆଯାଇଛି। ହିତାଧିକାରୀ ସେଥିରୁ ମାତ୍ର ଗୋଟିଏ ପାଇଥିବା ବେଳେ ଅନ୍ୟ ତିନିଟି ଲୁଟ୍‌ ହୋଇଛି। ଦୁଇଟି ଘର ହିତାଧିକାରୀଙ୍କ ସ୍ତ୍ରୀ ଓ ପୁଅ ନାମରେ ମଞ୍ଜୁର ହୋଇଥିବା ବେଳେ ଅନ୍ୟଟି ଅନ୍ୟଜଣଙ୍କ ନାମରେ ମଞ୍ଜୁର କରାଯାଇଛି। ସିଧା ସିଧା ୨ ଲକ୍ଷ ୨୫ ହଜାର ଟଙ୍କା ପକେଟ୍‌ରେ ପଶିଛି। ଏଭଳି ଠକେଇ ଏବେ ଯାଜପୁର ଜିଲ୍ଲାର ତରପଦା ପଞ୍ଚାୟତରେ ଧରାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ବ୍ଲକସ୍ଥ ତରପଦା ପଂଚାୟତ ତରପଦା ଗ୍ରାମର ସୁକୁଟି ମଲ୍ଲିକଙ୍କ ପୁଅ ମୂରଲୀ ମଲ୍ଲିକଙ୍କୁ ବିଜୁ ପକ୍କାଘର ଯୋଜନାରେ ୨୦୧୪-୧୫ରେ ଗୋଟିଏ ଯୋଗାଇ ଦିଆଯାଇଛି । ଯାହାର ବ୍ଲକ ସିଆର ନଂ ୪୮୯୫ ବିପିଏଲ ୧୬୪୪୮/୯୭ରେ ୩୧ ଡିସେମ୍ବର ୨୦୧୪ରେ ବାସଗୃହ ପାଇଁ ତିନୋଟି କିସ୍ତିରେ ୭୫ ହଜାର ଟଙ୍କା ମିଳିଛି। ଏହାଛଡା ମୂରଲୀଙ୍କ ପରିବାରକୁ ଅର୍ଥାତ୍‌ ସ୍ତ୍ରୀ ପ୍ରେମଲତା ମଲ୍ଲିକ ଏବଂ ପୁଅ ରାଜେଶ ମଲ୍ଲିକଙ୍କ ନାମରେ ଆଉ ଦୁଇଟି ବାସଗୃହ ପ୍ରଦାନ କରାଯାଇଥିବା ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟ କହୁଛି। କିନ୍ତୁ ଏହି ଦୁଇଟି ବାସଗୃହ ସମ୍ପର୍କରେ ସେମାନେ ଅଜ୍ଞ ବୋଲି ଅଭିଯୋଗ କରିଛନ୍ତି ।

ସୂଚନା କହୁଛି ମୂରଲୀଙ୍କ ସ୍ତ୍ରୀ ପ୍ରେମଲତା ମଲ୍ଲିକଙ୍କ ନାମରେ ଆର୍ଥିକବର୍ଷ ୨୦୧୩-୧୪ରେ ସିଆର (ବିପିଏନ) ନଂ ୧୬୪୪୮/୯୭ରେ ୭୫ ହଜାର ଓ ସେହି ବର୍ଷ ପୁଅ ରାଜେଶ ମଲ୍ଲିକଙ୍କ ନାମରେ ଆର୍ଥିକବର୍ଷ ୨୦୧୩-୧୪ରେ ବିପିଏଲ ନଂ ୧୬୪୪୮/୯୭ରେ ୭୫ ହଜାର ଯୋଗାଇଦିଆଯାଇଥିବା ବ୍ଲକ ଦର୍ଶାଇଛି । ଯାହାକି ମୂରଲୀଙ୍କ ସ୍ତ୍ରୀ ଓ ପୁଅ ପାଇ ନଥିବା ଖୋଲାଖୋଲି ଭାବେ ଅଭିଯୋଗ କରିଛନ୍ତି। ଏଥିନେଇ ଜିଲ୍ଲାପାଳ, ଭିଜିଲାନ୍ସ ଏବଂ ବିଡିଓଙ୍କୁ ଜଣାଇବେ ବୋଲି କହିଛନ୍ତି । ବିପିଏଲ ନଂ ୧୬୪୪୮ରେ ମୂରଲୀଙ୍କ ପରିବାରକୁ ୩ଟି ବାସଗୃହ ଯୋଗାଇ ଦିଆଯାଇଥିବା ବେଳେ ସେହି ତରପଦା ଗ୍ରାମର ଫକୀର ମଲ୍ଲିକଙ୍କ ପୁଅ ମୂରଲୀ ମଲ୍ଲିକଙ୍କୁ ସମାନ ବିପିଏଲ ନମ୍ବରରେ ୨୦୧୧-୧୨ରେ ଏକ ଘର ପ୍ରଦାନ କରାଯାଇଛି । ସରକାରୀ ନିୟମାନୁସାରେ ଗୋଟିଏ ବିପିଏଲ ନମ୍ବରରେ ମାତ୍ର ଗୋଟିଏ ବାସଗୃହ ପ୍ରଦାନ କରାଯିବାର ନିର୍ଦେଶ ରହିଛି। ଏହାର ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଇଛି । ଏହି ବ୍ଲକ ଗ୍ରାମ-ନନ୍ଦିପୁର ପଞ୍ଚାୟତରେ ଗତ ୨୨ ଏପ୍ରିଲ ୨୦୧୬ରେ ଇନ୍ଦିରା ଆବାସ ଯୋଜନା ହୋଇଥିବା ହଡପରେ ବିଡିଓ ଶ୍ରୀ ଖୁଣ୍ଟିଆ ଏବଂ ମୁଖ୍ୟ କିରାଣୀ ଶ୍ରୀ ପାଢିଙ୍କ ନାମରେ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଥିଲା।

ଏବିଷୟରେ ଜିଲ୍ଲାପାଳ ରଞ୍ଜନକୁମାର ଦାସଙ୍କୁ ପଚାରିବାରେ ସେ କହିଥିଲେ ଯେ ଅଭିଯୋଗ ପହଞ୍ଚିନାହିଁ। ଅଭିଯୋଗ ପହଞ୍ଚିଲେ ଘଟଣାର ତଦନ୍ତ କରାଯାଇ କାଯ୍ୟର୍ାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର