ବିଧାୟକ ଆୟୁବ ଖାଁ ସ୍ୱାଧୀନ ପ୍ରାର୍ଥୀ ହେବେ!

କଣ୍ଟାବାଞ୍ଜି : ସୋମବାର ବିଜେଡି ବିଧାୟକ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରାଯାଇଛି। କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀରେ ବିଧାୟକ ଆୟୁବ ଖାଁଙ୍କୁ ଏଥର ଟିକଟରୁ ବାଦ ଦେଇ ନୂଆ ହୋଇ ଆପ୍‌ରୁ ବିଜେଡିକୁ ଆସିଥିବା ଅଜୟ ଦାସଙ୍କୁ ଦଳ ଏଠାରୁ ପ୍ରାର୍ଥୀ କରିଛି। ଏହି ‌ଘୋଷଣା ପରେ ଶ୍ରୀ ଦାସଙ୍କ ସମର୍ଥକମାନେ ଉତ୍ସାହିତ ଅଛନ୍ତି। ପରସ୍ପର ମଧ୍ୟରେ ଅଭିନନ୍ଦନ ଜଣାଇବା ସହ ମିଠା ବାଣ୍ଟିଛନ୍ତି। ତେବେ ଏସବୁ ଭିତରେ ବିଧାୟକ ଆୟୁବ ଖାଁଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ ବୋଲି ନାନା ଆଲୋଚନା ଆରମ୍ଭ ହୋଇଛି। ସେ ସ୍ବାଧୀନ ଭାବେ ମଧ୍ୟ ଲଢ଼ି ପାରନ୍ତି ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ବିଗତ ଦିନରେ ଆୟୁବ ଖାଁଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ନଥିବା ଯୋଗୁଁ ବିଜେଡି ତାଙ୍କୁ ଟିକଟରୁ ବାଦ ଦେଇଥିବା ଆଲୋଚନା ହେଉଛି। ଏଠାରୁ ବିଜେଡି ଟିକଟ ରେସରେ ବଙ୍ଗୋମୁଣ୍ଡା ବ୍ଲକ ସଭାପତି ଉଦ୍ଧବ ବେହେରା, ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ, ମହିଳା ବିଜେଡି ରାଜ୍ୟ ସାଧାରଣ ସଂପାଦିକା ଗୋପା ମହାନାନ୍ଦ ମଧ୍ୟ ରହିଥିଲେ। ହେଲେ ସମସ୍ତ ଆଗ ଧାଡ଼ିର ନେତାଙ୍କୁ ପଛରେ ପକାଇ ଶ୍ରୀ ଦାସ ମୁଖ୍ୟମନ୍ତ୍ରୀଙ୍କ ନିକଟତର ହୋଇ ପାରିଥିଲେ ବୋଲି ସହରରେ ଚର୍ଚ୍ଚା ହେଉଛି।

ଏ ନେଇ ବିଧାୟକ ଆୟୁବ ଖାଁଙ୍କୁ ପଚାରିବାରୁ ‘ଦଳ ଯାହା ନିଷ୍ପତ୍ତି ନେଇଛି ସେଥିରେ ମୋର କିଛି କହିବାର ନାହିଁ। କିନ୍ତୁ ମୁଁ ଏବେ ଜନମତ ଲୋଡ଼ିବି। ଯଦି ଲୋକେ ମତେ ପୁଣି ନିର୍ବାଚନ ଲଢ଼ିବାକୁ କହିବେ ମୁଁ ନିଶ୍ଚିତ ନିର୍ବାଚନ ଲଢ଼ିବି’ ବୋଲି ସେ କହିଥିଲେ। ଅନ୍ୟ ବିଜେଡି ନେତାମାନଙ୍କ ପ୍ରତିକ୍ରୟା ପାଇଁ ଉଦ୍ୟମ କରାଯାଇଥିଲେ ହେଁ ଫୋନ ଧରୁନଥିବାରୁ ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର