ଅଣସର ମହାପ୍ରଭୁଙ୍କ ଚକା ବିଜେ : ଶ୍ରୀମନ୍ଦିର ଗଲା ଦଶମୂଳ ମହୌଷଧୀ, ଆଜି ମହାପ୍ରଭୁ ପିନ୍ଧିବେ ରକ୍ତ ବସ୍ତ୍ର

ପୁରୀ : ସ୍ନାନ ପୂର୍ଣ୍ଣିମା ପରେ ଜ୍ୱରରେ ପଡ଼ି ଅସୁସ୍ଥ ମହାପ୍ରଭୁ ଅଣସର ପିଣ୍ଡିରେ ବିଶ୍ରାମ ନେଉଛନ୍ତି। ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଚାଲିଛି ନାନାଦି ଗୁପ୍ତସେବା। ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଅଣସରକାଳୀନ ଗୁପ୍ତନୀତି ସଂପାଦନ କରୁଛନ୍ତି। ଏକବସ୍ତ୍ର ହୋଇ ଅଣସର ବାସଠାରୁ ଦୈନିନ୍ଦିନ ଚକଟା ଭୋଇ ଓ ଅନ୍ୟାନ୍ୟ ନୀତି ସଂପାଦନ କରୁଛନ୍ତି। ଶ୍ରୀଅଙ୍ଗରେ ଲାଗି ହେବା ପାଇଁ ବିଭିନ୍ନ ପ୍ରକାର ଚେରମୂଳିରୁ ପ୍ରସ୍ତୁତ ଓଷଧ ଯୋଗାଇ ଦିଆଯାଉଛି। ବଡ଼ଓଡ଼ିଆ ମଠ ଫୁଲୁରି ତେଲ ଯୋଗାଇଥିବା ବେଳେ ଶୁଦ୍ଧ ସୁଆର ସେବକମାନେ ଓଷୁଅ ଯୋଗାଇ ଦେଇଛନ୍ତି। ଆଜି ବିଧି ମୁତାବକ ଅଣସରରେ ଥିବା ତିନି ଠାକୁର ଚକା ବିଜେ କରିବା ସହ ଶ୍ରୀମନ୍ଦିର ବୈଦ୍ୟ ଦଶମୂଳ ପ୍ରସ୍ତୁତ କରି ଗାରଦରେ ଦାଖଲ କରିଛନ୍ତି। ଏକାଦଶୀ ତିଥି ଅର୍ଥାତ୍‌ ଆସନ୍ତାକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶ କ୍ରମେ ଶ୍ରୀଅଙ୍ଗର ଉପଚାର କରାଯିବ ବୋଲି ବରିଷ୍ଠ ଦଇତାପତି ସେବକ ବିଶ୍ୱାବସୁ ବିନାୟକ ଦାସ ମହାପାତ୍ର କହିଛନ୍ତି। ଏଥିସହ ଆସନ୍ତାକାଲି ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁ ଆସନ୍ତାକାଲି ରକ୍ତବସ୍ତ୍ର ପରିଧାନ କରିବେ। ପୂର୍ବରୁ ବିନା ତୁଳସୀରେ ଧଳା ଫୁଲରେ ପୂଜା ପାଉଥିବା ମହାପ୍ରଭୁଙ୍କୁ ଆସନ୍ତାକାଲିଠାରୁ ତୁଳସୀ ଲାଗି ହେବ ବୋଲି ଶ୍ରୀ ଦାସ ମହାପାତ୍ର କହିଛନ୍ତି।

ପରମ୍ପରା ମୁତାବକ ଆଜି ମହାପ୍ରଭୁଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ବିଶ୍ରାମ କରୁଥିବା ମହାପ୍ରଭୁ ଆଜି ଚକା ଉପରେ ବିଜେ କରିଛନ୍ତି। ଏହି ନୀତି ୧୨ଟାରୁ ସାଢ଼େ ୪ଟା ମଧ୍ୟରେ ହେବାକୁ ଥିବା ବେଳେ ଆଜି ନୀତି ମୁତାବକ ସମସ୍ତ କାର୍ଯ୍ୟ ସୁରଖୁରୁରେ ସଂପନ୍ନ ହୋଇଛି। ବିଶ୍ରାମାବସ୍ଥାରୁ ଚକା ଉପରେ ବିଜେ ହେବା ସ୍ଥିତି ମହାପ୍ରଭୁଙ୍କ ସୁସ୍ଥତାର ପରିଚୟ ଦେଇଛି। ଚକା ବିଜେ ହେବା ପରେ ଶ୍ରୀମନ୍ଦିରକୁ ଏହି ଦଶମୂଳ (ମୋଦକ) ବିଜେ କରାଯାଇଛି। ପ୍ରଭୁଙ୍କ କବିରାଜମାନେ ଏହି ଔଷଧକୁ ଦୀର୍ଘଦିନ ଶୁଦ୍ଧପୂତ ଭାବରେ ପ୍ରସ୍ତୁତ କରିଥିଲେ। ଆୟୁର୍ବେଦ ପଦ୍ଧତି ଏବଂ ଶାସ୍ତ୍ରାନୁସରଣରେ ଏହି ମହୌଷଧୀ ପ୍ରସ୍ତୁତ କରାଯାଇଥିଲା। ଏକାଦଶୀ ତିଥି ଅର୍ଥାତ୍‌ ଆସନ୍ତାକାଲି ଅସୁସ୍ଥ ଶ୍ରୀବିଗ୍ରହମାନଙ୍କୁ ଦଶମୂଳ ମୋଦକ ଲାଗି କରିବାର ବିଧି ରହିଛି। ଶ୍ରୀମନ୍ଦିର ବୈଦ୍ୟମାନ୍ୟତାପ୍ରାପ୍ତ କବିରାଜ ସେବକମାନେ ପୁରୁଷାନୁକ୍ରମେ ପ୍ରଭୁଙ୍କ ପାଇଁ ଏହି ମହୌଷଧୀ ପ୍ରସ୍ତୁତି ସେବାରେ ନିୟୋଜିତ ଅଛନ୍ତି। ଶାଳପର୍ଣ୍ଣିି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣିି, ବେଲ, ଖଣିବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ବାଗୋତି, ଦେଶୀ ଘିଅ, ମହୁ, ନବାତ, ଖୁଆସର, ଭାଙ୍ଗ ଆଦି ପ୍ରାକୃତିକ ଜଟିବୁଟି ସମ୍ମିଶ୍ରଣରେ ମହାପ୍ରଭୁଙ୍କ ପାଇଁ ଏହି ଔଷଧ ପ୍ରସ୍ତୁତ ହୋଇଛି। ହବିଷାନ୍ନ ବ୍ରତ ପାଳନ ସହ ଭକ୍ତିପୂତ ଚିତ୍ତରେ ନିଷ୍ଠାର ସହ ଏହି ଔଷଧ ପ୍ରସ୍ତୁତ କରାଯାଇଛି। ମହାପ୍ରଭୁଙ୍କ ଏହି ମହୌଷଧୀରେ ୩ କିଲୋରୁ ଅଧିକ ଚେରମୂଳି ବ୍ୟବହୃତ ହୋଇଛି। ବିଭିନ୍ନ ଭକ୍ତ ଓ କିଛି ଆୟୁର୍ବେଦ ଔଷଧ ଦୋକାନରୁ ଏହି ଦୁର୍ଲଭ ଚେରମୂଳିକୁ ବୈଦ୍ୟମାନେ ସଂଗ୍ରହ କରିଛନ୍ତି। ଧନ୍ଵନ୍ତରୀ ଆୟୁର୍ବେଦ ଶାସ୍ତ୍ର ଆଧାରରେ ଏହି ମୋଦକ ପ୍ରସ୍ତୁତ ହୋଇଛି।

ବିଶ୍ୱାବସୁ ଶ୍ରୀ ଦାସ ମହାପାତ୍ର କହିଛନ୍ତି, ଜଟିବୁଟିରେ ପ୍ରସ୍ତୁତ ମୋଦକ (ଔଷଧ)ରେ ଅଣସର ପିଣ୍ଡିରେ ଠାକୁରଙ୍କ ଉପଚାର କରାଯିବ। ଏକାଦଶୀ ଦିନ ମୋଦକ ଲାଗି ହେବା ସହ ପ୍ରଥମ କରି ଅଣସରରେ ଥିବା ମହାପ୍ରଭୁଙ୍କୁ ତୁଳସୀ ଲାଗି କରାଯିବ। ମହାପ୍ରଭୁଙ୍କୁ ଚନ୍ଦନ ଲାଗି ସହିତ ନୂଆ ଖଣ୍ଡୁଆ ମଧ୍ୟ ଲାଗି କରାଯିବ। ଏଥିପୂର୍ବରୁ ଠାକୁରମାନଙ୍କୁ ଫୁଲରି ତେଲ ଲାଗି ହୋଇସାରିଛି। ଦଶମୂଳ ଲାଗି ହେବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ। ଚତୁର୍ଦ୍ଦଶୀ ତିଥିରେ ବନକ ଲାଗି ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ।

ସମ୍ବନ୍ଧିତ ଖବର